କନ୍ଧମାଳ/ଭୁବନେଶ୍ଵର: ସରେଣ୍ଡର ନହେଲେ ଏନକାଉଣ୍ଟର। ହିଂସା ଛାଡ ନହେଲେ ନିଶ୍ବାସ ଛାଡ। କନ୍ଧମାଳ ଜିଲ୍ଲାରେ ମୋଷ୍ଟ ୱାଣ୍ଟେଡ୍ ଶୁକ୍ରୁ ସହ ୪ ମାଓ ବାଦୀ ଙ୍କ ଆତ୍ମ ସମର୍ପଣ ପରେ ଓଡ଼ିଶାରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମାଓ ଦମନ ଅଭିଯାନ। ଆଉ ହାତଗଣତି ମାଓ ବାଦୀଙ୍କୁ ଧରିବାକୁ ପୋଲିସର ଜାରି ରହିଛି ଅପରେସନ୍ । ବାକି ମାଓ ବାଦୀଙ୍କୁ ଆତ୍ମସମର୍ପଣ ପାଇଁ ପୋଲିସ ଆହ୍ବାନ ଦେଇଛି।

ମୋଷ୍ଟ ୱାଣ୍ଟେଡ୍ ଓ ଦୁର୍ଦ୍ଦାନ୍ତ ମାଓବାଦୀ ଶୁକ୍ରୁ ଓରଫ କୋଷା ସୋଡ଼ିର ଆତ୍ମସମର୍ପଣ । ମାଇକରେ ନାଁ ଆନାଉନ୍ସ ପରେ ହାତରେ ବନ୍ଧୁକ ଧରି ଜଣଙ୍କ ପରେ ଜଣେ ମାୱାଦୀ ଷ୍ଟେଜ ଆଡ଼କୁ ଆସି ଏବଂ ଆଣ୍ଟି ନକ୍ସଲ ଅପରେସନ ମୁଖ୍ୟଙ୍କ ହାତକୁ ବନ୍ଧୁକ ଟେକିଦେବା ସହ ନିଜକୁ ସରେଣ୍ଡର କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଛି ଶୁକ୍ରୁ । ମାଲକାନଗିରି କାଲିମେଳା କୁରୁବ ଗାଁର ୪୯ ବର୍ଷୀୟ ଶୁକ୍ରୁର ଘର । ୩୦ ବର୍ଷ ଧରି ଲାଲ୍ବାହିନୀରେ ସକ୍ରିୟ ଥିଲା ଶୁକ୍ରୁ । ସୁରକ୍ଷା ବାହିନୀ ଉପରେ ଅନେକ ଆକ୍ରମଣର ନାୟକ ଥିଲା ।

Also Read: ଶ୍ରୀମନ୍ଦିର ସୁରକ୍ଷାକୁ ଚ୍ୟାଲେଞ୍ଜ, ପୁଣି ନୀଳଚକ୍ର ଉପରେ ଉଡ଼ିଲା ଦୁଇଟି ଡ୍ରୋନ

ଶୁକ୍ରୁ ମୁଣ୍ଡ ଉପରେ ଥିଲା ୫୫ଲକ୍ଷର ପୁରସ୍କାର

ଓଡ଼ିଶା ଓ ଛତିଶଗଡ଼ ସୀମାରେ ଆତଙ୍କ ଖେଳାଇ ଥିଲା ଶୁକ୍ରୁ । ଶୁକ୍ରୁ ମୁଣ୍ଡ ଉପରେ ଥିଲା ୫୫ଲକ୍ଷର ପୁରସ୍କାର। ପ୍ରାୟ ସମସ୍ତ ଟପ୍ କ୍ୟାଡର ମାଓନେତାଙ୍କ ମୃତ୍ୟୁ ଓ ଆତ୍ମସମର୍ପଣ ପରେ ଏକମାତ୍ର ଶୁକ୍ରୁ ଓଡ଼ିଶା ପୋଲିସର ମୁଣ୍ଡବ୍ୟଥା ହୋଇ ରହିଥିଲା । ଅଳ୍ପ କିଛି ସାଥୀଙ୍କୁ ଧରି କନ୍ଧମାଳ-ରାୟଗଡ଼-ଜଳାହାଣ୍ଡି ଜିଲ୍ଲା ସୀମାନ୍ତରେ ସକ୍ରିୟ ଥିଲା । ଆଉ ଶେଷରେ ଶୁକ୍ରୁ ସମେତ ସଞ୍ଜୟ, ରୋନୀ,କୁନି ଓ ବନିଲା ମଧ୍ୟ କରିଛନ୍ତି ଆତ୍ମସମର୍ପଣ। ମାଓବାଦୀମାନେ ପୋଲିସ ପାଖରେ ଗୋଟିଏ ଏକେ-୪୭, ଇନଶାସ୍, ଏସଏଲ୍ଆର ଭଳି ୫ଟି ଅତ୍ୟାଧୁନିକ ଅସ୍ତ୍ର ମଧ୍ୟ ସମର୍ପଣ କରିଛନ୍ତି । ଏଡିଜି ଆଣ୍ଟି ନକ୍ସଲ ଅପରେସନ ମୁଖ୍ୟ, ସଂଜୀବ ପଣ୍ଡାଙ୍କ ନେତୃତ୍ବରେ ସଫଳ ହୋଇଛି କନ୍ଧମାଳ ପୋଲିସର ମିଶନ ଶୁକ୍ରୁ।

ଗତ ମାସ ୨୫ ରେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପକାରୀ ସଂରକ୍ଷିତ ଜଙ୍ଗଲରୁ ଅନ୍ୟତମ ମାଓନେତା ଅନ୍ଵେଷଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ଜାନୁଆରୀରେ ଅନ୍ଵେଷଙ୍କୁ, ଶୁକ୍ରୁ ଓ ତାର କିଛି ସହଯୋଗୀ ମାରି ପୋତି ଦେଇଥିବା ପୋଲିସକୁ ସୂଚନା ମିଳିଥିଲା। ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରୁ ରହିଥିବା ନେଇ ପୋଲିସ ନିଶ୍ଚିତ ହୋଇଥିଲା। ଏହାପରେ ତାକୁ ଧରି ଧରିବା ପାଇଁ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଅଭିଯାନ।

Also Read: ବିଧାନସଭାରେ ପ୍ରକାଶ ପାଇଲା ଶ୍ୱେତପତ୍ର : ୨୦୨୫ରେ ରାଜ୍ୟରେ ୧୩୦୪ ହତ୍ୟା ମାମଲା ଓ ୨୯୯୪ ଦୁଷ୍କର୍ମ ମାମଲା

ବଛା ବଛା ଅଧିକାରୀଙ୍କୁ ନେଇ ହୋଇଥିଲା ମିଶନ

କନ୍ଧମାଳ ଏସପିଙ୍କ ତତ୍ତ୍ଵାବଧାନରେ ଏସ୍ଓଜି, ସିଆର୍ପିଏଫ୍, ବିଏସ୍ଏଫ୍ ସହିତ ଜିଲ୍ଲା ପୋଲିସର ବଛା ବଛା ଅଧିକାରୀଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଟିମ୍ ଏହି ମିଶନରେ ନିୟୋଜିତ ହୋଇଥିଲେ। କନ୍ଧମାଳ-ରାୟଗଡ଼ ୟଗଡ଼ା- କଳାହାଣ୍ଡି ଜିଲ୍ଲା ସୀମାବର୍ତ୍ତୀ ଜଙ୍ଗଲକୁ ଘେରି ରହିଥିଲେ ଯବାନ। ଏପରିକି ଶୁକ୍ରୂର ସନ୍ଧାନ କରିବା ସହ ଅତ୍ୟାଧୁନିକ ଡ୍ରୋନ୍ ଏବଂ ଥର୍ମାଲ୍ ସେନ୍ସର ମଧ୍ୟ ବ୍ୟବହାର କରାଯାଇଥିଲା। ଆତ୍ମସମର୍ପଣ କରିବାକୁ ଶୁକ୍ରୁକୁ ଆହ୍ବାନ ଦିଆଯାଇଥିଲା।

ଶେଷରେ ପୋଲିସର ଆହ୍ବାନକ୍ରମେ ୪ ସହଯୋଗୀଙ୍କୁ ନେଇ ଆତ୍ମସମର୍ପଣ କରିଛି ମୋଷ୍ଟ୍ ୱାଣ୍ଟେଡ୍ ମାଓନେତା ଶୁକ୍ରୁ। ଆତ୍ମସମର୍ପଣ ପରେ କନ୍ଧମାଳରେ ମାଓ ଅଭିଯାନ ଶେଷ ହେବା ଉପରେ। କ୍ୟାଡର ମାଓବାଦୀ ଶିଲା ସମେତ ବାକି ୯ଜଣଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଛି। ସରକାରଙ୍କ ଥଇଥାନ ଯୋଜନା ମୁତାବକ ଆତ୍ମସମର୍ପଣ କରୁଥିବା ମାଓ ବାଦୀଙ୍କୁ ସମସ୍ତ ସୁବିଧା ଦିଆଯିବ ବୋଲି କହିଛନ୍ତି କନ୍ଧମାଳ ଜିଲ୍ଲାପାଳ । ଏପର୍ଯ୍ୟନ୍ତ ନୂଆପଡା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ବୌଦ୍ଧ, ବଲାଙ୍ଗିର, ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାଗୁଡ଼ିକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରାଯାଇଛି। ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ କରିବାକୁ ପ୍ରତିବଦ୍ଧ ଅଛି ଓଡ଼ିଶା ପୋଲିସ ।