ଭୁବନେଶ୍ୱର ୨୫।୦୩ : ବିଧାନସଭାରେ ଉପସ୍ଥାପିତ ହେଲା ଶ୍ୱେତପତ୍ର । ୨୦୨୫ରେ ଅପରାଧିକ କାର୍ଯ୍ୟକଳାପକୁ ନେଇ ଶ୍ୱେତପତ୍ର ପକାଶ ପାଇଛି । ଯେଉଁଥିରେ ୨୦୨୫ରେ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ଘଟଣା କମିଛି। ରାଜ୍ୟର ୯ଟି ଜିଲ୍ଲା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ରାଉରକେଲାର କିଛି ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ସାମାନ୍ୟ କମିଛି । ରାଉରକେଲାରେ ୩ଟି ହିଂସାତ୍ମକ ଘଟଣା ଛାଡ଼ ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ହିଂସାକାଣ୍ଡ ଘଟିନଥିଲା। ଓଡ଼ିଶା-ଛତିଶଗଡ ମିଳିତ ସର୍ଚ୍ଚ ଅପରେସନରେ ୧୭ ମାଓବାଦୀ ନିହତ ହୋଇଛନ୍ତି ।

Also Read:-ଆଇନମନ୍ତ୍ରୀଙ୍କ ଟାର୍ଗେଟ, ବିରୋଧୀଙ୍କ ପାଇଁ ନଷ୍ଟ ହେଲାଣି ୧୨ କୋଟି...

ସେହିପରି ଚୋରି, ଡକାୟତି ସାଙ୍ଗକୁ ମହିଳା ଦୁଷ୍କର୍ମ ଘଟଣା ପ୍ରତିବର୍ଷ ବଢ଼ିବାରେ ଲାଗିଛି। ସରକାରୀ ତଥ୍ୟ କହୁଛି ୨୦୨୪ ତୁଳନାରେ ୨୦୨୫ରେ ରାଜ୍ୟରେ ସାମଗ୍ରିକ ଅପରାଧର ହାରରେ ୭.୩୬ ପ୍ରତିଶତ ବୃଦ୍ଧି ହୋଇଛି। ମହିଳାଙ୍କ ପ୍ରତି ଦୁଷ୍କର୍ମ ଘଟଣା ପୂର୍ବ ବର୍ଷ ତୁଳନାରେ ସାମାନ୍ୟ କମିଥିଲେ ବି ଚିନ୍ତାଜନକ ସ୍ଥିତିରେ ରହିଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ବାଲେଶ୍ବର ଜିଲ୍ଲା ସବୁଠୁ ସମ୍ବେଦନଶୀଳ। ଦେଶର ମିଜାଇଲ ଜିଲ୍ଲା ଭାବେ ପରିଚିତ ଏହି ଉପକୂଳ ଜିଲ୍ଲା ହତ୍ୟା, ଡକାୟତି ଓ ଦୁଷ୍କର୍ମରେ ରେକର୍ଡ କରିଛି।

୨୦୨୪ରେ ସାମଗ୍ରିକ ଭାବେ ରାଜ୍ୟରେ ୩୦୫୪ଟି ଦୁଷ୍କର୍ମ ଘଟଣା ଘଟିଥିବା ବେଳେ ୨୦୨୫ରେ ଏହି ସଂଖ୍ୟା ୨୯୯୪କୁ ହ୍ରାସ ପାଇଛି। ୨୦୨୪ରେ ରାଜ୍ୟରେ ମୋଟ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ଥିଲା ୨ଲକ୍ଷ ୧୪ ହଜାର ୧୧୩। ୨୦୨୫ରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ୨ଲକ୍ଷ ୨୯ହଜାର ୮୮୧କୁ ବୃଦ୍ଧି ପାଇଛି। ୨୦୨୪ ନିର୍ବାଚନୀ ବର୍ଷ ତୁଳନାରେ ୨୦୨୫ରେ ଅଧିକ ସଂଖ୍ୟାରେ ହତ୍ୟାକାଣ୍ଡ, ଚୋରୀ ଓ ମୋଟରଯାନ ଦୁର୍ଘଟଣା ଘଟିଛି। ୨୦୨୪ରେ ରାଜ୍ୟର ବିଭିନ୍ନ ଥାନାରେ ୧୨୫୮ ହତ୍ୟା, ୧୭ ହଜାର ୮୦୫ ଚୋରୀ ଓ ୧୨ହଜାର ୩୭୫ ମୋଟରଜାନ ଦୁର୍ଘଟଣା ମାମଲା ପଞ୍ଜିକୃତ ହୋଇଥିଲା। ୨୦୨୫ରେ ୧୩୦୪ ହତ୍ୟା, ୨୧ହଜାର ୧୯୨ ଚୋରୀ ଓ ୧୨ହଜାର ୭୮୨ ମୋଟରଜାନ ଦୁର୍ଘଟଣା ମାମଲା ପଞ୍ଜୀକୃତ ହୋଇଛି । ସେହିଭଳି ୨୦୨୫ରେ ୩୫୨ ଡକାୟତି, ୧୮୦୨ ଲୁଟ ଓ ୧୦୯୫ ଦଙ୍ଗା ହୋଇଛି ।

Watch Video:-