ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ଚ୍ୟାଲେଞ୍ଜ। ରତ୍ନ ଅଳଙ୍କାର ଗଣତି ମଣତି ବେଳେ ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି ଚାଲେଞ୍ଜ। ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍। ଗୋଟିଏ ନୁହେଁ ଦୁଇଟି ଡ୍ରୋନ୍ ନୀଳଚକ୍ର ଉପରେ ଉଡୁଥିବା ଦେଖିବାକୁ ମିଳିଛି। ନ୍ୟୁଜ7 କ୍ୟାମେରାରେ ଏକ୍ସକ୍ଲ୍ୟୁସିଭ ଭିଜୁଆଲ କଏଦ। ବଡ କଥା ଏହି ସମୟରେ ପତିତପାବନ ବାନା ପରିବର୍ତ୍ତନ କରାଯାଉଥିଲା। ବେଧଡ଼କ ଦୁଇଟି ଡ୍ରୋନ ଉଡ଼ୁଥିବା ବେଳେ ସିଂହଦ୍ଵାର ସମ୍ମୁଖରେ ମୁତୟନ ପୋଲିସ ଅଧିକାରୀ ଓ କର୍ମଚାରୀ ଅସହାୟ ହୋଇ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

ଆଜି ସନ୍ଧ୍ୟା ୫ ଟା ୨୫ ମିନିଟ୍ ରୁ ଦୀର୍ଘ ୩୦ ମିନିଟ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଉପରେ ଉଡ଼ିଛି ଡ୍ରୋନ। ଶ୍ରୀମନ୍ଦିର ନୀଳଚକ୍ରରେ ବାନା ପରିବର୍ତ୍ତନ ସମୟରେ ଏହି ଭିଡିଓ କୁ ଦୁଇଟି ଡ୍ରୋନ ସୁଟ୍ କରୁଥିବା ନ୍ୟୁଜ7 କ୍ୟାମେରାରେ କଏଦ ହୋଇଥିଲା। ତେବେ ଏହାକୁ ନେଇ ଭକ୍ତ ମାନେ ଉଦବେଗ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ଭଳି ଏକ ହାଇ ସିକ୍ୟୁରିଟି ଜୋନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଡ୍ରୋନ ଉଡ଼ିବା ଅତ୍ୟନ୍ତ ବିପଦ ଜନକ ବୋଲି ଭକ୍ତ ଅଭିଯୋଗ କରିଛନ୍ତି। ସେପଟେ ଶ୍ରଦ୍ଧାଳୁ କହିଛନ୍ତି ଶ୍ରୀମନ୍ଦିର ଭଳି ଏକ ହାଇ ସିକ୍ୟୁରିଟି ଜୋନରେ ୨ ଟି ଡ୍ରୋନ ଉଡ଼ିବା ସୁରକ୍ଷା ଦୃଷ୍ଟି କୋଣରୁ ଠିକ୍ ନୁହେଁ। ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଛନ୍ତି। ଯଦି ଡ୍ରୋନ ରେ କିଛି କେହି ବିସ୍ଫୋରକ ସାମଗ୍ରୀ ରେ ଆକ୍ରମଣ କରେ ତେବେ ବହୁତ କ୍ଷତି ଘଟିବ। ଏଣୁ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧ ରେ ପୋଲିସ୍ କଡା କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।

Also Read: ସହର ସାରା ମାଟିତଳେ ଐତିହ୍ୟ କୀର୍ତ୍ତିରାଜି ଭର୍ତ୍ତି, ଶ୍ରୀମନ୍ଦିର ଠାରୁ ସମୁଦ୍ର ପର୍ଯ୍ୟନ୍ତ ରହିଛି ସୁଡ଼ଙ୍ଗ​​​​​​​

ଶ୍ରୀ ମନ୍ଦିର ଉପରେ ଡ୍ରୋନ ଉଡାଣ ବନ୍ଦ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ହେଉ। ସେପଟେ ନ୍ୟୁଜ7 ରେ ପ୍ରଥମେ ଖବର ପ୍ରସାରଣ ହେବା ପରେ ପୁରୀ ସିଂହଦ୍ୱାର ଥାନା ପୋଲିସ ଘଟଣାକୁ ଅତି ଗୁରୁତର ସହ ନେଇଥିଲା। ଡ୍ରୋନ୍ ଉଡାଉଥିବା ଦୁଇଜଣ ଯୁବକଙ୍କୁ ପୋଲିସ୍ ଅଟକ ରଖିବା ସହିତ ଗୋଟିଏ ଡ୍ରୋନ୍ ଜବତ କରିଛି। ଅଟକ ଥିବା ଦୁଇ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର କଲ୍ୟାଣ ଦାସ ଏବଂ ସମ୍ରାଟ ବିଶ୍ୱାସ। ଆଇନ ଅନୁସାରେ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ତେବେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ଆଣ୍ଟି ଡ୍ରୋନ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରୀ କରିନାହାନ୍ତି ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଏହା ପୂର୍ବରୁ ଫେବୃଆରୀ ୨୨ରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିଥିଲା। ଏମିତି ଘଟଣା ବାରମ୍ବାର ଘଟୁଥିଲେ ହେଁ ଶ୍ରୀମନ୍ଦିର ପ୍ରଶାସକ ଚେତୁ ନ ଥିବା ପରି ମନେ ହେଉଛି। ଶ୍ରୀମନ୍ଦିରର ସୁରକ୍ଷା ନେଇ ଶ୍ରୀମନ୍ଦିର ପ୍ରଶାସକ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ପୂର୍ବରୁ ବୈଠକ ବସିଥିଲା। ସରକାର ବାରମ୍ବାର ସଫେଇ ଦେଇ ଆସିଛନ୍ତି ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସତ୍ତ୍ଵେ ବି ଡ୍ରୋନ ଉଡ଼ିବା ଘଟଣା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି। ଯିଏ ବି ଏମିତି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇବାର ଦୁଃସାହାସ କରୁଛି ତା ବିରୋଧରେ ଅତୀତରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ମଧ୍ୟ ସନ୍ଦେହ ଘେରରେ ରହିଛି।

Also Read: ଗହଣା ପ୍ରିୟ ଠାକୁରଙ୍କ ଭଣ୍ଡାରରେ ଅଛି ପୁଳା ପୁଳା ସୁନା ରୂପା, ଜାଣନ୍ତୁ କେତେ ?​​​​​​​

ଅନ୍ୟପଟେ ଗତ କିଛି ଦିନ ହେବ ଲଗାତାର ଶ୍ରୀମନ୍ଦିରର ନୀଳଚକ୍ରରେ ଉପରେ ଚିଲ ବସିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଅନେକ ମତ ପ୍ରକାଶ ମଧ୍ୟ ପାଇଛି। ନୀଳଚକ୍ରରେ ଚିଲ ବସିବା ବାସ୍ତବରେ ବିପଦର ସଙ୍କେତ ତାକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏହା ମଧ୍ୟରେ ଡ୍ରୋନ ଉଡ଼ିବା ଶ୍ରୀମନ୍ଦିରର ପ୍ରଶାସନକୁ କାର୍ଯ୍ୟଶୈଳୀ ପ୍ରତି ପ୍ରତି ପ୍ରଶ୍ନ ଉଠିଛି।