ନୂଆଦିଲ୍ଲୀ: ନିଜ ଦେଶକୁ ଫେରି  ପାରନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା।୨୦୨୪ ଅଗଷ୍ଟରେ କ୍ଷମତାରୁ ବେଦଖଲ ହୋଇ ଭାରତରେ ଶରଣ ନେଇଥିବା ହସିନା ଏବେ ସ୍ଵଦେଶ ଫେରିବା ପାଇଁ ଇଚ୍ଛୁକ। ବିବିସି ବାଂଲାର ଏକ ରିପୋର୍ଟ ଅନୁସାରେ ଭାରତ ମଧ୍ୟ ଚାହୁଁଛି ଯେ, ହସିନା ନିଜ ଦେଶକୁ ଫେରନ୍ତୁ। ହେଲେ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି ଭାରତ ସରକାର। ଭାରତର ଦାବି ଶେଖ ହସିନାଙ୍କ ସୁରକ୍ଷାର ପୂରା ଗ୍ୟାରେଣ୍ଟି ଦେଉ ଢାକା ଏବଂ ତାଙ୍କୁ ନିରପେକ୍ଷ ଶୁଣାଣିର ସୁଯୋଗ ଦିଆଯାଉ। ହେଲେ ଶୁକ୍ରବାର ଏହି ଅଜ୍ଞାତ ରିପୋର୍ଟ ଉପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଟିପ୍ପଣୀ କରାଯାଇ ନାହିଁ।

ବିବିସି ବାଂଲା ଗୁରୁବାର ପ୍ରକାଶିତ ନିଜ ରିପୋର୍ଟରେ କହିଛି ଯେ, ନୂଆଦିଲ୍ଲୀ ଗତ କିଛି ସମୟରୁ ଶେଖ ସହିନାଙ୍କ ସ୍ଵଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପଥ  ପରିଷ୍କାରରେ ଜୁଟି ଯାଇଛି। ଏଥିପାଇଁ ଏମିତି ବ୍ୟବସ୍ଥା ଉପରେ ବିଚାର ଚାଲିଛି, ଯେଉଁଥିରେ ଆବାମୀ ଲିଗର ପ୍ରମୁଖ ଶେଖ ହସିନାଙ୍କ ସୁରକ୍ଷା ସୁନିଶ୍ଚିତ ହୋଇ ପାରିବ ଓ ତାଙ୍କ ବିରୋଧରେ ହୋଇଥିବା ଦଣ୍ଡାଦେଶ ବିରୋଧରେ ଅପିଲ୍ କରିବାର ସୁଯୋଗ ମିଳିବ। ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରେହମାନଙ୍କ ନେତୃତ୍ଵାଧୀନ ସରକାର ମଧ୍ୟ ଏହି ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

Also Read: ପାକିସ୍ତାନରେ ସୁରକ୍ଷା ଚେକ୍ପୋଷ୍ଟ ନିକଟରେ ଆତ୍ମଘାତୀ କାର୍ ବିସ୍ଫୋରଣ; ୫ ମୃତ, ୧୩ ଆହତ

ହସିନାଙ୍କ ସ୍ଵଦେଶ ପ୍ରତ୍ୟାବର୍ତ୍ତନ ଉପରେ ଭାରତର ନିରବତା

ଶୁକ୍ରବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲଙ୍କୁ ଶେଖ ହସିନାଙ୍କ ସ୍ଵଦେଶ ପ୍ରତ୍ୟାବର୍ତ୍ତନ ନେଇ ପ୍ରଶ୍ନ ପଚରା ଯାଇଥିଲା। ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ, କଣ ଭାରତ ଚାହୁଁଛି ବାଂଲାଦେଶ ଶେଖ  ହସିନାଙ୍କୁ ନେବା ପାଇଁ ସୈନ୍ୟ ବିମାନ ପଠାଇବ ?  କଣ ଭାରତ ଏହି ସର୍ତ୍ତ ରଖିଛି କି, ଶେଖ ହସିନାଙ୍କୁ ବାଂଲାଦେଶରେ ସୁରକ୍ଷାର ଗ୍ୟାରେଣ୍ଟି ମିଳୁ ଏବଂ ନିରପେକ୍ଷ ଶୁଣାଣି କରାଯିବାର ସୁଯୋଗ ଦିଆଯାଉ। ଏହା ଉପରେ ରଣଧୀର ଜୟସ୍ଵାଲ କେବଳ କହିଛନ୍ତି, ମୋତେ ଏହି ପ୍ରସଙ୍ଗରେ କିଛି କହିବାର ନାହିଁ।

କଣ କହୁଛି ବାଂଲାଦେଶ

ବିବିସି ବାଂଲାର ରିପୋର୍ଟ ସାମ୍ନାକୁ ଆସିବା ପରେ ବାଂଲାଦେଶ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିଛି। ପ୍ରଧାନମନ୍ତ୍ରୀଙ୍କ ସହାୟକ ପ୍ରେସ ସଚିବ କେଏମ ନଜମୁଲ ହକ ଦାବି କରିଛନ୍ତି ଯେ, କୌଣସି ବି ଦେଶ ଶେଖ ହସିନାଙ୍କୁ ଶରଣ ଦେବାକୁ ପ୍ରସ୍ତୁତ ନୁହନ୍ତି। ସେ ଫେସବୁକରେ ପୋଷ୍ଟ  କରି ଲେଖିଛନ୍ତି, ବ୍ରିଟେନ, ୟୁଏଇ, ସାଉଦି ଆରବ, ଫିନଲ୍ୟାଣ୍ଡ, ଆମେରିକା, ବେଲାରୁସ ଓ କାତାର ସମେତ କୌଣସି ବି ଦେଶ ତାଙ୍କୁ ଶରଣ ଦେବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି। ଏପରିକି ଆଫ୍ରିକାର କୌଣସି ବି ଦେଶ ତାଙ୍କୁ ଶରଣ ଦେବାକୁ ପ୍ରସ୍ତୁତ ନୁହନ୍ତି।

Also Read: ଇଣ୍ଡୋନେସିଆରେ ସର୍ବସାଧାରଣରେ ମହିଳାଙ୍କୁ ବେତ୍ରାଘାତ, ଶରିଆ ଆଇନ ଉଲ୍ଲଂଘନ ଅଭିଯୋଗରେ ୬ ଜଣଙ୍କୁ ଦଣ୍ଡ

ନଜମୁଲ ହକ କହିଛନ୍ତି, ନରସଂହାରରେ ସାମିଲ ହସିନାଙ୍କ ଗୋଟିଏ  ଗୋଟିଏ କରି ସବୁ ରାସ୍ତା ବନ୍ଦ ହେଉଛି। ତେଣୁ ଏବେ ସେ ଶେଷ ବିକଳ୍ପ ଭାବେ ବାଂଲାଦେଶ ଫେରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ନିଜର ଆବାମୀ ଲିଗର କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ଉପରେ ଭରସା କରୁଛନ୍ତି।

ଶେଖ ହସିନାଙ୍କ ବାଂଲାଦେଶ ଫେରିବା ନେଇ ଭାରତର ୨ ସର୍ତ୍ତ

ରିପୋର୍ଟ ଅନୁସାରେ, ଶେଖ ହସିନାଙ୍କୁ ବାଂଲାଦେଶ ଫେରାଇ ନେବା ପାଇଁ ଭାରତ ଦୁଇଟି ପ୍ରମୁଖ ସର୍ତ୍ତ ରଖିଛି। ପ୍ରଥମ ସର୍ତ୍ତ ହେଉଛି, ତାଙ୍କ ପ୍ରତ୍ୟାବର୍ତ୍ତନରେ ବାଂଲାଦେଶ ସେନାର ଭୂମିକା। ଭାରତ ଚାହୁଁଛି, ବାଂଲାଦେଶ ସେନା ହିଁ ଶେଖ ହସିନାଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରାଇ ନେବାର ଦାୟିତ୍ୱ ନିଅନ୍ତୁ। ଉଲ୍ଲେଖଯୋଗ୍ୟ, ୫ ଅଗଷ୍ଟ ୨୦୨୪ରେ କ୍ଷମତା ଛାଡ଼ିବା ପରେ ଶେଖ ହସିନା ବାଂଲାଦେଶ ସେନାର ବିମାନରେ ହିଁ ଭାରତ ଆସିଥିଲେ। ଏବେ ତାଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ସେହି ସାମରିକ ସଂସ୍ଥାର ଦାୟିତ୍ୱରେ ହେଉ ବୋଲି ଭାରତ ଚାହୁଁଥିବା ରିପୋର୍ଟରେ କୁହାଯାଇଛି।

Also Read: ଏନଭିଡିଆ ସିଓ ଜେନସନ୍ ହୁଆଙ୍ଗଙ୍କ ପତ୍ନୀ ଲୋରି କିଏ? ପ୍ରଥମେ ପ୍ରେମ ପରେ କୋଟିପତି

ଦ୍ଵିତୀୟ ସର୍ତ୍ତ ହେଉଛି ଶେଖ ହସିନାଙ୍କ ସୁରକ୍ଷା ଓ ଆଇନଗତ ଅଧିକାର ସହ ଜଡ଼ିତ। ବାଂଲାଦେଶ ଫେରିବା ପରେ ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ନିରପେକ୍ଷ ବିଚାର ପ୍ରକ୍ରିୟାର ସୁଯୋଗ ଦେବାକୁ ଭାରତ ଚାହୁଁଛି। ଏହା ସହ ମୃତ୍ୟୁଦଣ୍ଡ ବିରୋଧରେ ଅପିଲ୍ କରିବା ଏବଂ ୨୦୨୪ର ଘଟଣାକ୍ରମ ସହ ଜଡ଼ିତ ମାମଲାରେ ପୁନର୍ବାର ନ୍ୟାୟିକ ପ୍ରକ୍ରିୟାର ସାମ୍ନା କରିବାର ସୁଯୋଗ ଦେବା ନେଇ ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।