ଦିଲ୍ଲୀ : ଦେଶରେ ବଢୁଥିବା H1N1 ବା ସ୍ୱାଇନ୍ ଫ୍ଲୁ ମାମଲାକୁ ନେଇ ଲୋକଙ୍କ ମନରେ ପୁଣି ଥରେ କରୋନା ମହାମାରୀର ଭୟ ସୃଷ୍ଟି ହୋଇଛି। ଜ୍ୱର, କାଶ, ଗଳା ଦରଜ ଓ ଶରୀର ବିନ୍ଧା ଭଳି ଲକ୍ଷଣ ଯୋଗୁଁ ଅନେକ ଏହାକୁ କୋଭିଡ୍ ସହ ତୁଳନା କରୁଛନ୍ତି। ତେବେ H1N1 କ’ଣ କୋଭିଡ୍-୧୯ ଭଳି ବଡ଼ ମହାମାରୀର ରୂପ ନେବ ? ନା କୋଭିଡ ଠାରୁ ବି ଆହୁରି ଭୟଙ୍କର ହେବ ? ଏପରି କିଛି ପ୍ରଶ୍ନ ଏବେ ଲୋକଙ୍କ ମନରେ ଘୁରି ବୁଲୁଛି | ତେବେ ଏନେଇ ଡାକ୍ତରମାନେ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ଦେଶର ବିଭିନ୍ନ ସ୍ଥାନରେ H1N1 ବା ସ୍ୱାଇନ୍ ଫ୍ଲୁର ମାମଲା ବଢୁଥିବା ଖବର ସାମ୍ନାକୁ ଆସୁଛି। ବିଶେଷକରି ମୌସୁମୀ ପରିବର୍ତ୍ତନ ଓ ଭିଡ଼ ସ୍ଥାନ ଯୋଗୁଁ ଫ୍ଲୁ ଭଳି ଶ୍ୱାସଜନିତ ସଂକ୍ରମଣ ବଢିପାରେ।ଏହି ବୃଦ୍ଧିକୁ ଦେଖି ଲୋକଙ୍କ ମଧ୍ୟରେ ପ୍ରଶ୍ନ ଆସୁଛି କ’ଣ ପୁଣି କରୋନା ଭଳି ପରିସ୍ଥିତି ଉପୁଜିବ କି ? ଡାକ୍ତରମାନଙ୍କ କହିବା ଅନୁସାରେ, H1N1 ଓ କୋଭିଡ୍-୧୯ ଦୁଇଟି ଭିନ୍ନ ଭାଇରସ୍ ଦ୍ୱାରା ହୋଇଥାଏ। H1N1 ହେଉଛି ଇନ୍ଫ୍ଲୁଏଞ୍ଜା-ଏ ଭାଇରସ୍ର ଏକ ପ୍ରକାର, ଯେତେବେଳେ କୋଭିଡ୍-୧୯ SARS-CoV-2 ଭାଇରସ୍ ଯୋଗୁଁ ହୁଏ। ଦୁଇଟିର ଲକ୍ଷଣ ସମାନ ହୋଇପାରେ, କିନ୍ତୁ ଦୁଇଟି ଏକା ରୋଗ ନୁହେଁ।

ତେବେ ବର୍ତ୍ତମାନର H1N1 ବୃଦ୍ଧିକୁ ନେଇ ଏବେଠାରୁ କୋଭିଡ୍ ଭଳି ମହାମାରୀର ଆଶଙ୍କା ନାହିଁ, ବୋଲି ବିଶେଷଜ୍ଞମାନେ କହିଛନ୍ତି। ICMR ମଧ୍ୟ କହିଛି ଯେ ଏବେ ଦେଖାଯାଉଥିବା H1N1 ହେଉଛି ଋତୁକାଳୀନ ଫ୍ଲୁର ଅଂଶ ଏବଂ ଏଥିପାଇଁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ତଥାପି ଏହାକୁ ହାଲୁକା ଭାବେ ନେବା ମଧ୍ୟ ଠିକ୍ ନୁହେଁ। H1N1ରେ ଜ୍ୱର, କାଶ, ଗଳା ଦରଜ, ମୁଣ୍ଡବିନ୍ଧା, ଥକାପଣ ଓ ଶରୀର ବିନ୍ଧା ଭଳି ଲକ୍ଷଣ ଦେଖାଯାଇପାରେ। କିଛି ମାମଲାରେ ଲକ୍ଷଣ ଗୁରୁତର ହୋଇପାରେ।

ବିଶେଷକରି ଛୋଟ ପିଲା, ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ଅନ୍ୟ କୌଣସି ରୋଗରେ ପୀଡ଼ିତ ବ୍ୟକ୍ତି ଅଧିକ ସତର୍କ ରହିବା ଆବଶ୍ୟକ। ତୀବ୍ର ଜ୍ୱର ସହ ଶ୍ୱାସକଷ୍ଟ, ଛାତିରେ ଚାପ କିମ୍ବା ଅସୁସ୍ଥତା ବଢୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। H1N1 ଓ କୋଭିଡ୍ର ଲକ୍ଷଣ ଅନେକ ସମୟରେ ସମାନ ହୋଇଥିବାରୁ କେବଳ ଲକ୍ଷଣ ଦେଖି ନିଜେ ରୋଗ ଚିହ୍ନଟ କରିବା ଠିକ୍ ନୁହେଁ। ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶରେ ଟେଷ୍ଟ କରାଇବା ଦ୍ୱାରା ସଠିକ୍ ରୋଗ ଚିହ୍ନଟ ହୋଇପାରିବ। ତେଣୁ H1N1 ମାମଲା ବଢୁଥିବାରୁ ସତର୍କ ରୁହନ୍ତୁ, କିନ୍ତୁ କୋଭିଡ୍ ଭଳି ମହାମାରୀ ହେବ ବୋଲି ଭୟଭୀତ ହୁଅନ୍ତୁ ନାହିଁ। ଅସୁସ୍ଥ ଥିଲେ ଘରେ ରୁହନ୍ତୁ, ଭିଡ଼ ସ୍ଥାନରେ ମାସ୍କ ବ୍ୟବହାର କରନ୍ତୁ, ହାତ ସଫା ରଖନ୍ତୁ ଏବଂ ଲକ୍ଷଣ ଗୁରୁତର ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।