ନୂଆଦିଲ୍ଲୀ, ୨୮।୧୧: ବଲିଉଡ୍ ଅଭିନେତା ଇମ୍ରାନ୍ ହାଶମୀ ନିଜର ରୋମାଣ୍ଟିକ୍ ଓ ଆକ୍ସନ୍ଭିତ୍ତିକ ଅଭିନୟ ପାଇଁ ବେଶ୍ ପରିଚିତ । ଦୀର୍ଘ ଦିନ ପରେ ସେ ‘ଗନ୍ମାଷ୍ଟର ଜି୯’ ଚଳଚ୍ଚିତ୍ର ଜରିଆରେ ପୁଣି ବଡ଼ ପରଦାକୁ ଫେରିଛନ୍ତି । ନଭେମ୍ବର ୨୭ରେ ରିଲିଜ୍ କରିଥିବା ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ବିଶେଷକରି ଇମ୍ରାନ୍ ହାଶମୀ ଓ ଜେନେଲିଆ ଡି’ସୁଜାଙ୍କ ପ୍ରଥମ ଅନ୍-ସ୍କ୍ରିନ୍ ଯୋଡ଼ି ଦର୍ଶକଙ୍କ ମନ ଜିଣିଛି ।

ଚଳଚ୍ଚିତ୍ରଟି ରିଲିଜ୍ କରିବା ପରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଦର୍ଶକଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଛି । ଅନେକ ଦର୍ଶକ ଏହାର ଆକ୍ସନ୍ ସିନ୍, ରୋମାନ୍ସ, କାହାଣୀରେ ଥିବା ଟ୍ୱିଷ୍ଟ୍ ଓ କଳାକାରଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି । ଇମ୍ରାନ୍ ଓ ଜେନେଲିଆଙ୍କ ଯୋଡ଼ିକୁ ନେଇ ସୋସିଆଲ୍ ମିଡିଆରେ ବିଶେଷ ଚର୍ଚ୍ଚା ହେଉଛି । ଜଣେ ଦର୍ଶକ ଏହି ଯୋଡ଼ିକୁ ‘ସବୁଠାରୁ ସୁନ୍ଦର ଯୋଡ଼ି’ ବୋଲି ମଧ୍ୟ କହିଛନ୍ତି । ଚଳଚ୍ଚିତ୍ରରେ ଇମ୍ରାନ୍ ହାଶମୀଙ୍କ ଆକ୍ସନ୍ ଅବତାର ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଜେନେଲିଆଙ୍କ ସହ ତାଙ୍କର ରୋମାଣ୍ଟିକ୍ କେମେଷ୍ଟ୍ରି କାହାଣୀକୁ ଏକ ନୂଆ ଦିଗ ଦେଇଛି । ଏହା ସହିତ ଚଳଚ୍ଚିତ୍ରର ଆକ୍ସନ୍ ସିନ୍, ଟ୍ୱିଷ୍ଟ ଓ କ୍ଲାଇମାକ୍ସକୁ ମଧ୍ୟ ଅନେକେ ପସନ୍ଦ କରିଛନ୍ତି । ଏହାର ସଙ୍ଗୀତ ଓ ଅନ୍ୟ କଳାକାରଙ୍କ ଅଭିନୟକୁ ନେଇ ମଧ୍ୟ ସକାରାତ୍ମକ ମତାମତ ମିଳିଛି ।

‘ଗନ୍ମାଷ୍ଟର ଜି୯’ରେ ଇମ୍ରାନ୍ ହାଶମୀ ‘ଈଶ୍ୱର’ ନାମକ ଜଣେ ଦୁଗ୍ଧ ଚାଷୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଈଶ୍ୱର ନିଜ ପରିବାର ସହ ଏକ ଶାନ୍ତିପୂର୍ଣ୍ଣ ଜୀବନ ବିତାଇବାକୁ ଚାହାନ୍ତି । ହେଲେ ଏକ ବିପଜ୍ଜନକ ଗୋଷ୍ଠୀ ତାଙ୍କ ପରିବାରକୁ ଟାର୍ଗେଟ୍ କରିବା ପରେ ତାଙ୍କ ଜୀବନରେ ଝଡ଼ ସୃଷ୍ଟି ହୁଏ । ପରିବାର ଓ ପ୍ରିୟଜନଙ୍କୁ ସୁରକ୍ଷା ଦେବା ପାଇଁ ଈଶ୍ୱରଙ୍କୁ ନିଜର ହିଂସାତ୍ମକ ଅତୀତ ସହ ପୁଣିଥରେ ମୁହାଁମୁହିଁ ହେବାକୁ ପଡ଼େ । ଏହି ସଂଘର୍ଷକୁ ନେଇ ଚଳଚ୍ଚିତ୍ରର କାହାଣୀ ଆଗକୁ ବଢ଼ିଛି ।