ନୂଆଦିଲ୍ଲୀ: ପଶ୍ଚିମ ଏସିୟାରେ ଜାରି ସଂକଟ ମଧ୍ୟରେ ଭାରତ ସରକାର ଲଗାତାର ଭାରତୀୟ ପଣ୍ୟବାହୀ ଜାହାଜ ଓ କାର୍ଗୋଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ଲାଗି ବିଭିନ୍ନ ମନ୍ତ୍ରାଳୟ ଓ ସମ୍ପର୍କିତ ପକ୍ଷଙ୍କ ସହ ମିଶି କାମ କରୁଛନ୍ତି। କେନ୍ଦ୍ରୀୟ ବନ୍ଦର, ପୋତ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ନିର୍ଦ୍ଦେଶକ ଓପେସ କୁମାର ଶର୍ମା ଗୁରୁବାର ଏହି ସୂଚନା ଦେଇଛନ୍ତି। ଏକ ବ୍ରିଫିଙ୍ଗ କାଳରେ ଶର୍ମା କହିଛନ୍ତି ଯେ ମାଲ୍ଟା ପତାକା ଲାଗିଥିବା ଏଲଏନଜି କ୍ୟାରିୟର ‘ଦିଶା’ଜୁନ ୧୫ ତାରିଖରେ ହର୍ମୁଜ ପ୍ରଣାଳୀ ପାର କରିଥିଲା ଓ ସେ ଏବେ ଭାରତ ମୁହାଁ ଅଛି।

ଏହା ଛଡା ଅନ୍ୟ କେତେକ ଭାରତୀୟ ପତାକାଧାରୀ ଜାହାଜ ଏବେବି ପାରସ୍ୟ ଉପସାଗରରେ ଫଶି ରହିଛନ୍ତି। ତେବେ ହର୍ମୁଜରେ ସମୁଦ୍ର ଯାତାୟାତ ସ୍ୱଭାବିକ ହେବା ସମ୍ଭାବନା ନେଇ କରାଯାଇଥିବା ପ୍ରଶ୍ନର ଜବାବରେ ଶର୍ମା କହିଛନ୍ତି ଯେ ସରକାର ସବୁ ସମ୍ପର୍କିତ ଏଜେନ୍ସୀଙ୍କ ସହିତ ମିଶି ପରିସ୍ଥିତି ଉପରେ ନଜର ରଖି ରହିଛନ୍ତି ଓ ଜରୁରି ପ୍ରସ୍ତୁତି କରୁଛନ୍ତି। ସେ କହିଛନ୍ତି ଯେ ଆମେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ, ରସାୟନ ଓ ସାର ମନ୍ତ୍ରାଳୟ, ବିଦେଶ ମନ୍ତ୍ରାଳୟ ତଥା ଅନ୍ୟ ସମ୍ପର୍କିତ ହିତାଧିକାରୀଙ୍କ ସହିତ ଲଗାତାର ସମ୍ପର୍କରେ ରହିଛୁ। ଯାହା ଦ୍ୱାରା ଜରୁରି ପ୍ରସ୍ତୁତି ଜାରି ରହେ ଓ ଆମ ଜାହାଜ ଯଥାଶୀଘ୍ର ସୁରକ୍ଷିତ ଫେରି ଆସନ୍ତୁ।

ତେବେ କ୍ଷେତ୍ରରେ ଥିବା ଭାରତୀୟ ଜାହାଜଙ୍କ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଶର୍ମା କହିଛନ୍ତି ଯେ ସରକାର ଇନ୍ଧନ କାର୍ଗୋ ଓ ଭାରତୀୟ ପତାକା ଥିବା ସବୁ ଜାହାଜଙ୍କ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ପାଇଁ ଋଲଗାତାର ପ୍ରୟାସ ଜାରି ରଖିଛନ୍ତି। ମାଲ୍ଟା ଜାହାଜ ଦିଶା ୬୨,୩୭୦ ମେଟ୍ରିକ୍ ଟନ ଏଲଏନଜି ନେଇ ଶୁକ୍ରବାର ଗୁଜରାଟର ଦହେଜ ବନ୍ଦରକୁ ପହଞ୍ଚି ପାରେ। ଏହି ଜାହାଜ ଜୁନ ୧୫ ତାରିଖରେ ହର୍ମୁଜ ପାର କରିଥିଲା। ସେତେବେଳେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ନେଇ ସନ୍ଧି ହୋଇ ନଥିଲା।