ନୂଆଦିଲ୍ଲୀ: ୟୁଜରଙ୍କ ଲୋକେସନ୍ ଡାଟା ବ୍ୟବହାର ଓ ସୁରକ୍ଷା ନେଇ ଗୁଗଲ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ। ଆୟରଲ୍ୟାଣ୍ଡର ଡାଟା ପ୍ରୋଟେକ୍ସନ୍ କମିଶନ୍‌ (DPC) Google ଉପରେ ୪୦୩ ମିଲିୟନ୍ ୟୁରୋ, ଅର୍ଥାତ୍ ପ୍ରାୟ ୪,୩୦୦ କୋଟି ଟଙ୍କା ଜରିମାନା ଲଗାଇଛି। ସେପ୍ଟେମ୍ବର ୨୧ରେ ଏହି ଜରିମାନା ଘୋଷଣା କରାଯାଇଛି। ୟୁଜରଙ୍କ ଲୋକେସନ୍ ସୂଚନା ଗୁଗଲ କିପରି ସଂଗ୍ରହ ଓ ପ୍ରକ୍ରିୟାକରଣ କରୁଥିଲା, ତାହାକୁ ନେଇ ପ୍ରାୟ ୬ ବର୍ଷ ଧରି ତଦନ୍ତ ଚାଲିବା ପରେ ଡିପିସି ଏହି ନିଷ୍ପତ୍ତି ନେଇଛି।

ଡିପିସି କହିଛି, ଗୁଗଲର ଡାଟା ପ୍ରୋସେସିଂ ପ୍ରଣାଳୀ ୟୁରୋପୀୟ ୟୁନିଅନ୍‌ର ସାଧାରଣ ତଥ୍ୟ ସୁରକ୍ଷା ନିୟମାବଳୀ ବା GDPRର କିଛି ମୁଖ୍ୟ ଆବଶ୍ୟକତା ପୂରଣ କରୁନଥିଲା। ବିଶେଷକରି ଡାଟା ପ୍ରକ୍ରିୟାକରଣ ‘ଆଇନସମ୍ମତ’, ‘ନ୍ୟାୟସଙ୍ଗତ’ ଏବଂ ‘ସ୍ୱଚ୍ଛ’ ହେବାର ନିୟମ ପାଳନ ହୋଇନଥିବା ନିୟାମକ କହିଛି।

ଏହି ମାମଲା ଗୁଗଲର ୱେବ୍ ଆଣ୍ଡ & ଆପ ଆକ୍ଟିଭିଟି, ଲୋକେସନ ହିଷ୍ଟୋରୀ ଏବଂ ଲୋକେସନ ଆକ୍ୟୁରେସି ଫିଚର୍‌ ସହ ଜଡିତ। ତଦନ୍ତରେ ୨୦୧୮ ମେ’ ୨୫ରୁ ୨୦୨୦ ଫେବ୍ରୁଆରୀ ୪ ପର୍ଯ୍ୟନ୍ତ ଗୁଗଲ ଦ୍ୱାରା ଲୋକେସନ୍ ଡାଟା ବ୍ୟବହାରକୁ ଯାଞ୍ଚ କରାଯାଇଥିଲା। ୨୦୧୮ ମେ’ ୨୫ରେ ୟୁରୋପୀୟ ସଂଘର GDPR ଲାଗୁ ହୋଇଥିଲା।

Also Read- TRAIର ବଡ଼ ପଦକ୍ଷେପ ! ବିନା ଡାଟାର ରିଚାର୍ଜ ପ୍ଲାନ ଆଣିବେ ଟେଲିକମ୍ କମ୍ପାନି, ୩୦ ଦିନର ଭାଲିଡିଟି ମିଳିବ

କ’ଣ ପାଇଲା DPC?

ଡିପିସିର ତଦନ୍ତରେ ୱେବ୍‌ ଆଣ୍ଡଡ ଆପ ଆକ୍ଟିଭିଟି ଏବଂ ଲୋକେସନ ହିଷ୍ଟୋରୀ ମାଧ୍ୟମରେ ଡାଟା ପ୍ରକ୍ରିୟାକରଣରେ ଜିଡିପିଆର ଆଇନସମ୍ମତତା ଓ ନ୍ୟାୟସଙ୍ଗତତା ସମ୍ପର୍କିତ ନିୟମ ଉଲ୍ଲଂଘନ ହୋଇଥିବା କୁହାଯାଇଛି। ସେହିପରି ଲୋକେସନ ଆକ୍ୟୁରେସି ଫିଚର୍‌ ସମ୍ପର୍କରେ ଗୁଗଲ ନିଜର ଡାଟା ପ୍ରକ୍ରିୟାକରଣ ପାଇଁ ଆବଶ୍ୟକ ଦାୟିତ୍ୱ ପାଳନ କରିନଥିବା ଏବଂ ତିନୋଟି ଫିଚର୍‌ରେ ୟୁଜରଙ୍କୁ ପର୍ଯ୍ୟାପ୍ତ ସ୍ୱଚ୍ଛ ସୂଚନା ଦିଆଯାଇନଥିବା ଡିପିସି କହିଛି। ଲୋକେସନ୍ ଡାଟା କେତେ ସମୟ ପର୍ଯ୍ୟନ୍ତ ରଖାଯାଉଥିଲା, ସେ ନେଇ ମଧ୍ୟ ରେଗୁଲେଟର ପ୍ରଶ୍ନ ଉଠାଇଛି।

ଲୋକେସନ୍ ଡାଟା ସାଧାରଣ ତଥ୍ୟ ନୁହେଁ। ଏଥିରୁ ଜଣେ ବ୍ୟକ୍ତି କେଉଁଠି ରୁହନ୍ତି, କେଉଁଠି କାମ କରନ୍ତି, କେଉଁ ସ୍ଥାନକୁ ଯାତ୍ରା କରନ୍ତି କିମ୍ବା କେଉଁଠି ଅଧିକ ସମୟ ବିତାନ୍ତି, ସେ ସମ୍ପର୍କରେ ଅନୁମାନ କରାଯାଇପାରେ। ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କର ଅନେକ ବ୍ୟକ୍ତିଗତ ଓ ସମ୍ବେଦନଶୀଳ ସୂଚନା ପ୍ରକାଶ ପାଇପାରେ ବୋଲି ଡିପିସି କହିଛି।

ଡିପିସି ଡେପୁଟି କମିଶନର ଗ୍ରାହାମ୍ ଡୋଏଲ୍ କହିଛନ୍ତି ଯେ ଲୋକେସନ୍ ଡାଟା ଟ୍ରାକିଂ ମାଧ୍ୟମରେ ପ୍ରକ୍ରିୟାକରଣ ହୁଏ ଏବଂ ଗୁଗଲ ସଂଗ୍ରହ କିମ୍ବା ପ୍ରକ୍ରିୟାକରଣ କରୁଥିବା ତଥ୍ୟରୁ ଏକାକୀ କିମ୍ବା ଅନ୍ୟ ତଥ୍ୟ ସହ ମିଶାଇ ଜଣେ ବ୍ୟକ୍ତିଙ୍କ ଅବସ୍ଥାନ ସମ୍ପର୍କରେ ଅନୁମାନ କରାଯାଇପାରେ।

ବିଜ୍ଞାପନ ଓ ୟୁଜରଙ୍କ ଗୋପନୀୟତା ନେଇ ପ୍ରଶ୍ନ

ରେଗୁଲେଟରଙ୍କ ଅନୁସାରେ, ଗୁଗଲର ପୁରୁଣା ପ୍ରଥା ଯୋଗୁ ୟୁଜରମାନେ ନିଜ ଲୋକେସନ୍ ଡାଟା କିପରି ବ୍ୟବହାର ହେଉଛି, ତାହା ସବୁବେଳେ ସ୍ପଷ୍ଟ ଭାବେ ବୁଝିପାରୁନଥିଲେ। ଏହି ଡାଟା ବିଜ୍ଞାପନକୁ ପ୍ରଭାବିତ କରିବା କିମ୍ବା ୟୁଜରଙ୍କ ଆଗ୍ରହ ସମ୍ପର୍କରେ ଅନୁମାନ କରିବାରେ ବ୍ୟବହୃତ ହୋଇପାରୁଥିବା ବିଷୟରେ ମଧ୍ୟ ରେଗୁଲେଟର ଚିନ୍ତା ପ୍ରକାଶ କରିଛି। ଏହାସହ ଆବଶ୍ୟକତାଠାରୁ ଅଧିକ ସମୟ ଲୋକେସନ୍ ଡାଟା ରଖିବା ଦ୍ୱାରା ନିଜ ବ୍ୟକ୍ତିଗତ ତଥ୍ୟ ଉପରେ ୟୁଜରଙ୍କ ନିୟନ୍ତ୍ରଣ କମିଥିବା ଡିପିସି ମତ ଦେଇଛି।

କଣ କହିଲା ଗୁଗଲ ?

ଏହି ମାମଲାକୁ ପୁରୁଣା ନୀତି ସହ ଜଡିତ ବୋଲି ଗୁଗଲ ସଫେଇ ଦେଇଛି। କମ୍ପାନୀର କହିବା ଅନୁସାରେ, ମାମଲାରେ ଉଲ୍ଲେଖ ହୋଇଥିବା ନୀତିଗୁଡ଼ିକ ପରେ ପରିବର୍ତ୍ତନ କରାଯାଇଛି। ୨୦୧୯ ପରଠାରୁ ଲୋକେସନ୍ ଡାଟା ସମ୍ପର୍କିତ ପ୍ରଥାରେ ପରିବର୍ତ୍ତନ କରାଯିବା ସହ ୟୁଜରଙ୍କ ପାଇଁ ଅଧିକ ଗୋପନୀୟତା ନିୟନ୍ତ୍ରଣ ସୁବିଧା ଅଣାଯାଇଛି ବୋଲି ଗୁଗଲ ସ୍ପଷ୍ଟୀକରଣ ଦେଇଛି।

ଗୁଗଲ ତିନି, ୧୮ କିମ୍ବା ୩୬ ମାସ ପରେ ଡାଟା ଆପେ ଆପେ ଡିଲିଟ୍ ହେବା ପାଇଁ ଅଟୋ ଡିଲିଟ କଣ୍ଟ୍ରୋଲ୍ ଅପସନ ଆଣିଛି। ଏହାସହ ପର୍ସୋସନାଲାଇଜ୍ଡ ଆଡଭାର୍ଟାଇଜିଂ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ମଧ୍ୟ ୟୁଜରଙ୍କୁ ସୁବିଧା ଦିଆଯାଇଛି ବୋଲି କମ୍ପାନୀ କହିଛି। ଗୁଗଲ ଆହୁରି କହିଛି ଯେ ଏବେ କିଛି ଲୋକେସନ୍ ତଥ୍ୟ ୟୁଜରଙ୍କ ଡିଭାଇସ୍‌ରେ ସିଧାସଳଖ ଷ୍ଟୋର୍ କରିବା ଏବଂ ବିଜ୍ଞାପନ ପାଇଁ ଲୋକେସନ୍ ସୂଚନା କିପରି ବ୍ୟବହାର ହେବ, ତାହା ନିୟନ୍ତ୍ରଣ କରିବାର ସୁବିଧା ଦିଆଯାଇଛି।

କେବଳ ଜରିମାନା ନୁହେଁ, ୬ ମାସର ଡେଡ୍‌ଲାଇନ୍

ଡିପିସିର ନିଷ୍ପତ୍ତି କେବଳ ୪୦୩ ମିଲିୟନ୍ ୟୁରୋ ଜରିମାନାରେ ସୀମିତ ନୁହେଁ। ଗୁଗଲକୁ ଲୋକେସନ୍ ଡାଟା ପ୍ରକ୍ରିୟାକରଣକୁ GDPR ଅନୁସାରେ ସଠିକ୍ କରିବା ପାଇଁ ୬ ମାସ ସମୟ ଦିଆଯାଇଛି।

ଆୟରଲ୍ୟାଣ୍ଡର DPCର ପ୍ରକାଶିତ ରେକର୍ଡ ଅନୁସାରେ, ୪୦୩ ମିଲିୟନ୍ ୟୁରୋର ଏହି ଜରିମାନା ଆୟରଲ୍ୟାଣ୍ଡ ରେଗୁଲେଟର ଲଗାଇଥିବା ଚତୁର୍ଥ ବୃହତ୍ତମ ଜରିମାନା। GDPR ଲାଗୁ ହେବା ପରଠାରୁ DPC ୪ ବିଲିୟନ୍ ୟୁରୋରୁ ଅଧିକ ଜରିମାନା ଲଗାଇସାରିଛି। ତେବେ ଏଭଳି ଜରିମାନା ବିରୋଧରେ ଅପିଲ୍ ହୋଇପାରେ ଏବଂ କୋର୍ଟ ନିଶ୍ଚିତ କରିବା ପୂର୍ବରୁ ଜରିମାନା ଦେବା ବାଧ୍ୟତାମୂଳକ ହୁଏ ନାହିଁ।

Also read- ନିଜ ନାଁର ସିମ୍ ଅନ୍ୟକୁ ଦେଲେ ଫସିବେ! ଜରିମାନା ସହ ଜେଲ୍ ଯିବେ

ଏହାଛଡ଼ା Google ସହ ଜଡିତ ଆଉ ତିନିଟି ଆଇନଗତ ତଦନ୍ତ ଶେଷ ପର୍ଯ୍ୟାୟରେ ଥିବା DPC କହିଛି। ତେଣୁ ଆୟରଲ୍ୟାଣ୍ଡରେ Googleର ଡାଟା ପ୍ରଥା ଉପରେ ରେଗୁଲେଟରଙ୍କ ନଜର ଆଗକୁ ମଧ୍ୟ ଜାରି ରହିବ।