ନୂଆଦିଲ୍ଲୀ: ମୋବାଇଲରେ ଇଣ୍ଟରନେଟ୍ ବ୍ୟବହାର କରୁ ନ ଥିବା କିମ୍ବା କମ୍ ଡାଟା ବ୍ୟବହାର କରୁଥିବା ୟୁଜରଙ୍କ ଟ୍ରାଇ ବଡ଼ ପଦକ୍ଷେପ ନେଇଛି । ଟେଲିକମ ରେଗୁଲେଟାର ଅଥରିଟି ଅଫ୍ ଇଣ୍ଡିଆ ଏକ ନୂଆ ନିୟମ ଲାଗୁ କରିଛି, ଯାହା ପରେ ଜିଓ,ଏୟାରଟେଲ୍, ଭିଆଇ ଏବଂ ଅନ୍ୟ ଟେଲିକମ୍ ଅପରେଟରମାନଙ୍କୁ କେବଳ କଲ୍ ଏବଂ ଏସ୍‌ଏମଏସ୍ ଥିବା ଅଧିକ ବିକଳ୍ପ ଦେବାକୁ ପଡ଼ିବ । ଏହି ପ୍ଲାନଗୁଡ଼ିକର ଦାମ୍ ଡାଟା ଥିବା ପ୍ଲାନ୍ଠାରୁ କମ୍ ରଖିବାକୁ ହେବ । ଅର୍ଥାତ୍ ଆଗକୁ ଯାଇ ଯେଉଁମାନଙ୍କର ଡାଟାର ଆବଶ୍ୟକତା ନାହିଁ, ସେମାନଙ୍କୁ ଆଉ ଡାଟା ପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ ।

ଗତ କିଛି ବର୍ଷ ମଧ୍ୟରେ ମୋବାଇଲ୍ ରିଚାର୍ଜ ପ୍ଲାନ୍ ବହୁତ ବଦଳିଯାଇଛି । ଆଜି ଅଧିକାଂଶ କମ୍ପାନିଙ୍କ ଲୋକପ୍ରିୟ ପ୍ଲାନରେ କଲିଂ, ଏସ୍ଏମଏସ୍ ଏବଂ ଡାଟା, ଏହି ତିନୋଟିଯାକ ଏକାଠି ମିଳିଥାଏ । ଯଦି କୌଣସି ଗ୍ରାହକଙ୍କୁ କେବଳ କଲ୍ କରିବାର ଅଛି, ସେମାନଙ୍କୁ ମଧ୍ୟ ଏପରି ପ୍ୟାକ୍ ବାଛିବାକୁ ପଡ଼ିଥାଏ ଯେଉଁଥିରେ ଡାଟା ସାମିଲ ଥାଏ । ଏବେ ଟ୍ରାଇ ଏହି ସମସ୍ୟାର ସମାଧାନ ପାଇଁ ନୂଆ ନିୟମ ଜାରି କରିଛି ।

ଟ୍ରାଇ, 'ଟେଲିକମ୍ କଞ୍ଜ୍ୟୁମର ପ୍ରୋଟେକ୍ସନ୍ ରେଗୁଲେସନ୍ ୨୦୨୬'କୁ ସେପ୍ଟେମ୍ବର ୨୧ରେ ଜାରି କରିଛି । ତେବେ ଏହି ନିୟମ ତୁରନ୍ତ ଲାଗୁ ହେବ ନାହିଁ । ଅଫିସିଆଲ୍ ନିୟମ ଅନୁସାରେ, ଏହା ଅଫିସିଆଲ୍ ଗେଜେଟ୍‌ରେ ପ୍ରକାଶିତ ହେବାର ୩୦ ଦିନ ପରେ ଲାଗୁ ହେବ ।

ଏବେ କେବଳ କଲ୍-ଏସ୍‌ଏମଏସ୍ ଥିବା ଶସ୍ତା ରିଚାର୍ଜ ମିଳିବ

ନୂଆ ନିୟମର ସବୁଠାରୁ ବଡ଼ ପ୍ରଭାବ ଏହା ଯେ ଯଦି କୌଣସି ଟେଲିକମ୍ କମ୍ପାନି କୌଣସି ନିର୍ଦ୍ଦିଷ୍ଟ ସମୟସୀମା ପାଇଁ ଭଏଏସ୍, ଏସ୍ଏମଏସ୍ ଏବଂ ଡାଟା ଥିବା ପ୍ଲାନ୍ ବିକ୍ରି କରୁଛି, ତେବେ ସେହି ସମାନ ସମୟସୀମା ପାଇଁ କେବଳ ଭଏଏସ୍ ଏବଂ ଏସଏମଏସ୍ ପ୍ଲାନ୍ ମଧ୍ୟ ଦେବାକୁ ପଡ଼ିବ । ଅର୍ଥାତ୍ ଯଦି କୌଣସି କମ୍ପାନି ପାଖରେ ୨୮ ଦିନର କଲିଂ + ଏସ୍‌ଏମଏସ୍ + ଡାଟା ପ୍ଲାନ୍ ଅଛି, ତେବେ ସେହି ସମାନ ସମୟସୀମା ପାଇଁ ବିନା ଡାଟା ଥିବା ଅପସନ୍ ମଧ୍ୟ ଦେବାକୁ ହେବ । ଯଦି କମ୍ପାନି ୩୦ ଦିନ କିମ୍ବା ତା’ଠାରୁ କମ୍ ଅନ୍ୟ ଭାଲିଡିଟି ଥିବା ଡାଟା-ବଣ୍ଡଲ୍ଡ ପ୍ଲାନ୍ ବିକ୍ରି କରୁଛି, ତେବେ ସେହି ସମୟସୀମା ପାଇଁ ମଧ୍ୟ କେବଳ ଭଏଏସ୍-ଏସଏମଏସ୍ ବିକଳ୍ପ ଦେବାକୁ ପଡ଼ିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୂଲ୍ୟ । ଟ୍ରାଇ ସ୍ପଷ୍ଟ କରିଛି ଯେ ଏହି କେବଳ ଭଏଏସ୍ ଏବଂ ଏସଏମଏସ୍ ଅର୍ଥାତ୍ STV (ସ୍ପେଶାଲ୍ ଟାରିଫ୍ ଭାଉଚର୍)ରୁ ଡାଟା ହଟାଇବା ହିସାବରେ ଉଚିତ ପରିମାଣରେ ଦାମ୍ କମ୍ କରିବାକୁ ପଡ଼ିବ । ଏହାର ଅର୍ଥ ନୁହେଁ ଯେ ଟ୍ରାଇ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଦାମ୍ ସ୍ଥିର କରିଦେଇଛି । କମ୍ପାନିଗୁଡ଼ିକ ନିଜର ଦାମ୍ ନିର୍ଦ୍ଧାରଣ କରିପାରିବେ, କିନ୍ତୁ ଡାଟା ହଟାଇବା ପରେ ମୂଲ୍ୟରେ ଉଚିତ ହ୍ରାସ କରିବାକୁ ପଡ଼ିବ ।

କ’ଣ ଥିଲା ସମସ୍ୟା ?

ଟ୍ରାଇ ନିଜର ନୂଆ ନିୟମ ପଛର କାରଣ ମଧ୍ୟ ଦର୍ଶାଇଛି । ଡିସେମ୍ବର ୨୦୨୪ରେ ଟ୍ରାଇ କମ୍ପାନିଗୁଡ଼ିକ ପାଇଁ ଅତିକମରେ ଗୋଟିଏ Voice ଏବଂ SMS-only STV ଦେବା ବାଧ୍ୟତାମୂଳକ କରିଥିଲା । ଏହା ପରେ ଜିଓ, ଏୟାରଟେଲ୍, ଭିଆଇ ଭଳି କମ୍ପାନିଗୁଡ଼ିକ ଏପରି ପ୍ଲାନ୍ ଲଞ୍ଚ କରିଥିଲେ । କିନ୍ତୁ ଟ୍ରାଇ ଅନୁସାରେ ସେଗୁଡ଼ିକର ସଂଖ୍ୟା ବହୁତ କମ୍ ଥିଲା । ଅଧିକାଂଶ Voice-SMS-only ପ୍ଲାନ୍ ଦୀର୍ଘ ଭାଲିଡିଟି ପାଇଁ ରହୁଥିଲା । ଏହି କାରଣରୁ ଯେଉଁ ଗ୍ରାହକମାନେ କମ୍ ଦିନ ପାଇଁ ଶସ୍ତା କଲିଂ-କେବଳ ରିଚାର୍ଜ ଚାହୁଁଥିଲେ । ସେମାନଙ୍କୁ ବିନା କୌଣସି କାରଣରେ ଡାଟା ଥିବା ମହଙ୍ଗା ପ୍ଲାନ୍ ବାଛିବାକୁ ପଡ଼ୁଥିଲା ।

ଭାଲିଡିଟିକୁ ନେଇ ମଧ୍ୟ ନିୟମ ସ୍ପଷ୍ଟ

ଏହା ବ୍ୟତୀତ, କମ୍ପାନିଗୁଡ଼ିକୁ ମାସିକ ଭାଲିଡିଟି (୨୮ ଦିନ ପରିବର୍ତ୍ତେ ପୂରା ୩୦ ଦିନ) ଏବଂ ନିର୍ଦ୍ଦିଷ୍ଟ ତାରିଖରେ ରିଚାର୍ଜ ହେଉଥିବା ପ୍ଲାନ୍ ଆଣିବାକୁ ପଡ଼ିବ । ଏହାଦ୍ୱାରା ବାରମ୍ବାର ୨୮ ଦିନରେ ରିଚାର୍ଜ କରିବାର ସମସ୍ୟାରୁ ଗ୍ରାହକଙ୍କୁ ମୁକ୍ତି ମିଳିପାରିବ ।