କଟକ ୨୨।୯: ଯେବେ ନିର୍ବାଚିତ କମିଟିର ଅବଧି ପୂରି ଗଲାଣି, ତେବେ ସେମାନେ ଓସିଏ ପରିଚାଳନା ପାଇଁ ନୀତିଗତ ନିଷ୍ପତ୍ତି କିପରି ନେଇ ପାରିବେ ? ଓଡ଼ିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନ ମାମଲା ଉପରେ ଆବେଦନକାରୀଙ୍କ ପକ୍ଷରୁ କିଛି ଏହିଭଳି ଯୁକ୍ତି ରଖାଯାଇଛି । ଆଗକୁ ଓସିଏ କର୍ତ୍ତୃପକ୍ଷ କୌଣସି ଆର୍ଥିକ କାରବାର ଯେପରି ନକରି ପାରିବେ ସେନେଇ ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ଆବେଦନକାରୀଙ୍କ ପକ୍ଷରୁ, ଆଜି ହାଇକୋର୍ଟଙ୍କୁ ନିବେଦନ କରାଯାଇଛି । ଏପରିକି ଓସିଏ ପରିଚାଳନା ପାଇଁ ଜଣେ ପ୍ରଶାସକ ନିଯୁକ୍ତ କରାଯାଉ ବୋଲି ମଧ୍ୟ ସେ ଦାବି କରିଛନ୍ତି ।

ତେଣେ ପ୍ରତିପକ୍ଷ ମଧ୍ୟ ନିଜ ସପକ୍ଷରେ ସୁନ୍ଦର ଯୁକ୍ତି ରଖିଛନ୍ତି । ଯେହେତୁ ନିର୍ବାଚନ କରାଇବା ନେଇ ବିସିସିଆଇ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ, ତେଣୁ ନିର୍ବାଚିତ କମିଟି, ୨୦୨୬ ଡିସେମ୍ବର ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ନେଇ ସ୍ପେଶାଲ ଜେନେରାଲ ବଡି ବୈଠକରେ ନିଷ୍ପତ୍ତି ହୋଇ ସାରିଛି । ଏନେଇ ଗତ ଫେବୃୟାରୀ ୨୨ ତାରିଖରେ ଗୃହିତ ହୋଇଥିବା ପ୍ରସ୍ତାବରେ ଓସିଏର ୫୮ ଜଣ ସଦସ୍ୟ ଦସ୍ତଖତ କରିଛନ୍ତି ।

Also Read:- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି, ମେଗା ଚକ୍ଷୁ ଚିକିତ୍ସା ଶିବିରରେ ହେବେ ସାମିଲ

ତେଣେ ନ୍ୟାସନାଲ ସ୍ପୋର୍ଟ୍ସ ଗଭରନାନ୍ସ ଆକ୍ଟ ୨୦୨୫ ଅଧୀନରେ କ୍ରିକେଟ ଆସୋସିଏସନ ଗୁଡିକ ଆସୁଛନ୍ତିକି ନାହିଁ ସେନେଇ ସ୍ପଷ୍ଟ ସୂଚନା ନାହିଁ । ଏନେଇ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର ହୋଇଥିବା ନେଇ, ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ପ୍ରତିପକ୍ଷ ତଥା ଓସିଏର ଯୁଗ୍ମ ସମ୍ପାଦକ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ଆସନ୍ତା ୨୮ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ସେହି ସମୟ ଭିତରେ ସମସ୍ତ ପକ୍ଷଙ୍କୁ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ମାମଲା ବାବଦୀୟ ସବିଶେଷ ତଥ୍ୟ ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ହୋଇଛି । ଓସିଏ କର୍ମକର୍ତ୍ତା ନିର୍ବାଚନ କରାଇବା ଦାବିରେ ଏକ୍ସ ରଣଜୀ ପ୍ଲେୟାର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । ଯାହା ଉପରେ ଆସନ୍ତା ୨୮ ତାରିଖ ଦିନ ପରବର୍ତ୍ତୀ ଶୁଣାଣି ହେବ ।