ଭୁବନେଶ୍ୱର: ଭୁବନେଶ୍ୱରକୁ ମିଳିଲା ନୂଆ ଡିସିପି । ଜଗମୋହନ ମୀନାଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଡିସିପି ପଦ ଏବେ ପୂରଣ ହୋଇଛି । ଭୁବନେଶ୍ୱରର ନୂଆ ଡିସିପି ହୋଇଛନ୍ତି IPS ସର୍ବଣା ବିବେକ ଏମ୍ । ଭୁବନେଶ୍ୱର ଡିସିପି ପଦ ପାଇଁ ସର୍ବଣା ବିବେକଙ୍କ ନାଁରେ ମୋହର ମାରିଛନ୍ତି ରାଜ୍ୟ ସରକାର। ୨୦୧୫ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସର୍ବଣା ବିବେକ ଏମ୍ ।

ପୂର୍ବରୁ ବ୍ରହ୍ମପୁର ଏସ୍‌ପି ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିବା ସର୍ବଣା ବିବେକଙ୍କୁ ଏବେ ରାଜଧାନୀର ଦାୟିତ୍ୱ ମିଳିଛି । ଡିସିପି ରେସରେ ଥିବା ଅନ୍ୟ ଚାରି ଆଇପିଏସଙ୍କୁ ପଛରେ ପକାଇ ଭୁବନେଶ୍ବର ଡିସିପି ହେଲେ ସର୍ବଣା ବିବେକ ଏମ୍.। ଲ’ ଆଣ୍ଡ ଅର୍ଡର, ଭିଭିଆଇପି ମୁଭମେଣ୍ଟ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହ ପୋଲିସର ସମନ୍ୱୟ ରଖିବା, ଭୁବନେଶ୍ୱରର ନୂଆ ଡିସିପି ସାମ୍ନାରେ ରହିବ ଅନେକ ବଡ଼ ଚ୍ୟାଲେଞ୍ଜ ।

Also Read:-ତୋଟାପଡ଼ା ଛକରେ ଭୟଙ୍କର ଦୁର୍ଘଟଣା, ସ୍ପଟରେ ହିଁ ଚାଲିଗଲା ୨ ଜୀବନ

ସେହିପରି ଅପରାଧ ନିୟନ୍ତ୍ରଣ, ଡିଟେକ୍ସନ୍ ଓ କେସ୍ କ୍ଲୋଜିଂ କ୍ଷେତ୍ରରେ ତାଙ୍କ ଦକ୍ଷତା ଉପରେ ଏବେ ରହିବ ସମସ୍ତଙ୍କ ନଜର। ଆଗକୁ ପାର୍ବଣ ଆସୁଥିବା ବେଳେ ଭୁବନେଶ୍ୱରର ଗୁରୁ ଦାୟିତ୍ୱ ତାଙ୍କ ଉପରେ ରହିବ। ପୂର୍ବତନ ଡିସିପି ଜଗମୋହନ ମୀନାଙ୍କ ପରେ ରାଜଧାନୀ ପୋଲିସର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେବେ ସର୍ବଣା ବିବେକ ଏମ୍.। ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତାଙ୍କ ଭୂମିକାକୁ ରାଜ୍ୟବାସୀ ଖୁବ ପ୍ରଂଶସା କରିଥିଲେ । କିପରି ସମସ୍ତ ଅଭିଯୁକ୍ତମାନଙ୍କୁ ଧରିବା ଏବଂ ହତ୍ୟା ପଛର ମୁଖ୍ୟ କାରଣକୁ ଖୋଜି ବାହାର କରିଥିଲେ । ତାହା ବେଶ୍ ପ୍ରଂଶନୀୟ କାମ ଥିଲା ।

ସୂଚନାଯୋଗ୍ୟ ଯେ, ସର୍ବଣା ବିବେକ ଏମ୍ ହେଉଛନ୍ତି ଓଡ଼ିଶା କ୍ୟାଡରର ଭାରତୀୟ ପୋଲିସ ସେବା (IPS) ଅଧିକାରୀ । ସେ ୨୦୧୫ ବ୍ୟାଚର ଆଇପିଏସ୍ ଅଫିସର ଏବଂ ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ସେବା ଯୋଗାଇ ଆସୁଛନ୍ତି । ସେ ଜଣେ ପେଶାଦାର ଡାକ୍ତର ମ। ସେ ପଣ୍ଡିଚେରୀର ମହାତ୍ମା ଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରୁ ନିଜର MBBS ଡିଗ୍ରୀ ହାସଲ କରିଛନ୍ତି । ଡାକ୍ତରୀ ପେଶା ଛାଡ଼ି ସେ ସମାଜ ସେବା ପାଇଁ ୟୁପିଏସସି (UPSC) ପରୀକ୍ଷା ଦେଇ ଆଇପିଏସ୍‌ ଯୋଗ ଦେଇଥିଲେ । ପୋଲିସ କ୍ୟାରିୟରରେ ସେ ଓଡ଼ିଶାର ଅନେକ ଜିଲ୍ଲା ଯେପରିକି ରାୟଗଡ଼ା ଏବଂ ବ୍ରହ୍ମପୁରର ଏସପି ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଏହା ସହିତ ସେ ଭୁବନେଶ୍ୱରରେ ଭିଜିଲାନ୍ସ ଏସପି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ଜଣେ ଦକ୍ଷ ଏବଂ ସମ୍ବେଦନଶୀଳ ଅଧିକାରୀ ଭାବେ ସେ ଆଇନ ଶୃଙ୍ଖଳା ରକ୍ଷା କରିବା, ଅପରାଧ ନିୟନ୍ତ୍ରଣ ଏବଂ ନାରୀ ଓ ଶିଶୁ ସୁରକ୍ଷା ମାମଲାଗୁଡ଼ିକୁ ଅତ୍ୟନ୍ତ ଗୁରୁତ୍ୱର ସହ ସମାଧାନ କରିବା ପାଇଁ ବେଶ୍ ପରିଚିତ ।