ଭୁବନେଶ୍ୱର: ଭୁବନେଶ୍ୱରକୁ ମିଳିଲା ନୂଆ ଡିସିପି । ଜଗମୋହନ ମୀନାଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଡିସିପି ପଦ ଏବେ ପୂରଣ ହୋଇଛି । ଭୁବନେଶ୍ୱରର ନୂଆ ଡିସିପି ହୋଇଛନ୍ତି IPS ସର୍ବଣା ବିବେକ ଏମ୍ । ମଙ୍ଗଳବାର ଭୁବନେଶ୍ୱର ଡିସିପି ପଦ ପାଇଁ ଆଇପିଏସ୍ ଡ. ସର୍ବଣା ବିବେକ ଏମ୍‌ଙ୍କ ନାଁରେ ମୋହର ମାରିଛନ୍ତି ରାଜ୍ୟ ସରକାର ।୨୦୧୫ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ହେଉଛନ୍ତି ସର୍ବଣା ବିବେକ ଏମ୍ । ଅନ୍ୟପଟେ ଅଭିନବ ସୋନକରଙ୍କୁ ବ୍ରହ୍ମପୁର ଏସପି ଦାୟିତ୍ବ ଦିଆଯାଇଛି । ଅଭିନବ ଡ. ସର୍ବଣା ବିବେକ ଏମ୍‌ଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି । ତାଙ୍କ ବାଦ୍ ଅଜିଙ୍କ୍ୟ ବି. ମାନେ ଢେଙ୍କାନାଳ ଏସ୍ପି, ଏ.ବି. ଶିଳ୍ପାଙ୍କୁ ବରଗଡ଼ ଏସଡିପିଓ ଭାବରେ ନିଯୁକ୍ତି ଦିଆଯାଇଥିବା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ସୂଚନାଥାଉକି, ଡିସିପି ରେସରେ ଥିବା ଅନ୍ୟ ଚାରି ଆଇପିଏସଙ୍କୁ ପଛରେ ପକାଇ ସେ ଭୁବନେଶ୍ବର ଡିସିପି ହୋଇଛନ୍ତି ।  ପୂର୍ବରୁ ବ୍ରହ୍ମପୁର ଏସ୍‌ପି ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିବା ସର୍ବଣା ବିବେକଙ୍କ ପାଇଁ ଭୁବନେଶ୍ବରରେ ଲ’ ଆଣ୍ଡ ଅର୍ଡର, ଭିଭିଆଇପି ମୁଭମେଣ୍ଟ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହ ପୋଲିସର ସମନ୍ୱୟ ରଖିବା ବଡ଼ ଚ୍ୟାଲେଞ୍ଜ ରହିବ । ସେହିପରି ଅପରାଧ ନିୟନ୍ତ୍ରଣ, ଡିଟେକ୍ସନ୍ ଓ କେସ୍ କ୍ଲୋଜିଂ କ୍ଷେତ୍ରରେ ତାଙ୍କ ଦକ୍ଷତା ଉପରେ ଏବେ ରହିବ ସମସ୍ତଙ୍କ ନଜର । ଆଗକୁ ପାର୍ବଣ ଆସୁଥିବା ବେଳେ ଭୁବନେଶ୍ୱରର ଗୁରୁ ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ରହିବ ।

Also Read:-ତୋଟାପଡ଼ା ଛକରେ ଭୟଙ୍କର ଦୁର୍ଘଟଣା, ସ୍ପଟରେ ହିଁ ଚାଲିଗଲା ୨ ଜୀବନ

ସୂଚନାଯୋଗ୍ୟ ଯେ, ସର୍ବଣା ବିବେକ ଏମ୍ ହେଉଛନ୍ତି ଓଡ଼ିଶା କ୍ୟାଡରର ଭାରତୀୟ ପୋଲିସ ସେବା (IPS) ଅଧିକାରୀ । ସେ ୨୦୧୫ ବ୍ୟାଚର ଆଇପିଏସ୍ ଅଫିସର ଏବଂ ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ସେବା ଯୋଗାଇ ଆସୁଛନ୍ତି । ସେ ପଣ୍ଡିଚେରୀର ମହାତ୍ମା ଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରୁ ନିଜର MBBS ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ତେବେ ଡାକ୍ତରୀ ପେଶା ଛାଡ଼ି ସେ ସମାଜ ସେବା ପାଇଁ ୟୁପିଏସସି (UPSC) ପରୀକ୍ଷା ଦେଇ ଆଇପିଏସ୍‌ ଯୋଗ ଦେଇଥିଲେ ।

ପୋଲିସ କ୍ୟାରିୟରରେ ସେ ଓଡ଼ିଶାର ଅନେକ ଜିଲ୍ଲା ଯେପରିକି ରାୟଗଡ଼ା ଏବଂ ବ୍ରହ୍ମପୁରର ଏସପି ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଏହା ସହିତ ସେ ଭୁବନେଶ୍ୱରରେ ଭିଜିଲାନ୍ସ ଏସପି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ଜଣେ ଦକ୍ଷ ଏବଂ ସମ୍ବେଦନଶୀଳ ଅଧିକାରୀ ଭାବେ ସେ ଆଇନ ଶୃଙ୍ଖଳା ରକ୍ଷା କରିବା, ଅପରାଧ ନିୟନ୍ତ୍ରଣ ଏବଂ ନାରୀ ଓ ଶିଶୁ ସୁରକ୍ଷା ମାମଲାଗୁଡ଼ିକୁ ଅତ୍ୟନ୍ତ ଗୁରୁତ୍ୱର ସହ ସମାଧାନ କରିବା ପାଇଁ ବେଶ୍ ପରିଚିତ । ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତାଙ୍କ ଭୂମିକାକୁ ରାଜ୍ୟବାସୀ ଖୁବ ପ୍ରଶଂସା କରିଥିଲେ । କିପରି ସମସ୍ତ ଅଭିଯୁକ୍ତମାନଙ୍କୁ ଧରିବା ଏବଂ ହତ୍ୟା ପଛର ମୁଖ୍ୟ କାରଣକୁ ଖୋଜି ବାହାର କରିଥିଲେ । ତାହା ବେଶ୍ ପ୍ରଂଶସନୀୟ କାମ ଥିଲା ।