ଟୋକିଓ: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଐତିହାସିକ ସଫଳତା ହାସଲ କରି ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି । ଏକତରଫା ଫାଇନାଲ୍ ମ୍ୟାଚରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ହର୍ମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ସ୍ୱର୍ଣ୍ଣିମ ଇତିହାସ ରଚିଛି । ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା ଏବଂ ରିଚା ଘୋଷଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୧୬ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା । ଜବାବରେ ଶ୍ରୀଲଙ୍କା ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୧୫.୪ ଓଭରରେ ୬୯ ରନରେ ଅଲଆଉଟ୍ ହୋଇଛି ।

ମନ୍ଧାନାଙ୍କ ବିଶ୍ୱ ରେକର୍ଡ ଓ ଶେଫାଳୀଙ୍କ ବିସ୍ଫୋରକ ବ୍ୟାଟିଂ

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ଆପଣାଇଥିବା ଭାରତୀୟ ଦଳକୁ ଶେଫାଳୀ ବର୍ମା ଓ ସ୍ମୃତି ମନ୍ଧାନା ଓପନିଂ ଯୋଡ଼ିରେ ୯୯ ରନର ଦମ୍‌ଦାର୍‌ ଭାଗୀଦାରୀ କରିତୀଲେ। ଶେଫାଳୀ ମାତ୍ର ୨୯ ବଲରୁ ୩ଟି ଛକା ଓ ୩ଟି ଚୌକା ସହ ୪୮ ରନ୍‌ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ।

Also Read: CSKର ବଡ଼ ମାଷ୍ଟରଷ୍ଟ୍ରୋକ୍, ଜାହିର ଖାନ୍‌ ହେଲେ ଦଳର ହେଡ୍ କୋଚ୍

ଅନ୍ୟପଟେ ସ୍ମୃତି ମନ୍ଧାନା ବିଶ୍ୱ ରେକର୍ଡ ରଚି ୪୫ ବଲରେ ୭୯ ରନ୍‌ (୭ଟି ଛକା, ୫ଟି ଚୌକା)ର ଏକ ବିସ୍ପୋରକ ପାଳି ଖେଳିଥିଲେ । ନିଜର ଏହି ଇନିଂସରେରେ ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟ୍‌ରେ ୧୧,୦୦୦ ରନ୍‌ ପୂରଣ କରିବାରେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ହେବାର ଗୌରବ ହାସଲ କରିଛନ୍ତି । ଅଦିନାୟକ ହର୍ମନପ୍ରୀତ କୌର ୧୯ ରନ୍‌ର ଯୋଗଦାନ ଦେଇଥିଲେ ।

ରିଚା ଘୋଷଙ୍କ ବିସ୍ଫୋରକ ବ୍ୟାଟିଂ

ମନ୍ଧାନା ଆଉଟ୍‌ ହେବା ସମୟରେ ୧୬.୫ ଓଭରରେ ଦଳୀୟ ସ୍କୋର ୧୬୩ ରନ୍‌ ଥିଲା । କିନ୍ତୁ ଶେଷ ଓଭରଗୁଡ଼ିକରେ ରିଚା ଘୋଷଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତୀୟ ଦଳ ୨୦୦ ରନ୍‌ ପାର୍‌ କରି ୨୧୬ ରନରେ ପହଞ୍ଚିଥିଲା । ରିଚା ମାତ୍ର ୨୨ ବଲ୍‌ରୁ ୬ଟି ଚୌକା ଓ ୩ଟି ଛକା ସହାୟତାରେ ଅପରାଜିତ ୪୯ ରନ୍‌ ସଂଗ୍ରହ କରିଥିଲେ। ମ୍ୟାଚର ଶେଷ ଓଭରରୁ ହିଁ ୨୫ ରନ୍‌ ସଂଗ୍ରହ ହୋଇଥିଲା।

Also Read: ରାଜନୀତିରେ ଏଣ୍ଟ୍ରି କରିବେ କି ଶାମି ? ୨୦୨୭ରେ ଲଢିବେ ନିର୍ବାଚନ ! ଟିକେଟ୍ ଦେବ ଏହି ଦଳ

ଭାରତର ଘାତକ ବୋଲିଂ

୨୧୭ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରୁଥିବା ଶ୍ରୀଲଙ୍କା ଦଳ ପ୍ରାରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବ୍ୟାଟିଂ ପରେ ବୋଲିଂରେ ମଧ୍ୟ କମାଲ କରିଥିଲେ ଶେଫାଳୀ ବର୍ମା। ସେ ପାୱାରପ୍ଲେ ମଧ୍ୟରେ ହିଁ ଇମେଶା ଦୁଲାନୀ (୩) ଓ ହସିନୀ ପରେରା (୦)ଙ୍କୁ ପବିଲିୟନ୍‌ ପଠାଇଥିଲେ।

ପାୱାରପ୍ଲେ ଶେଷ ହେବା କ୍ଷଣି ଦୀପ୍ତି ଶର୍ମା ଶ୍ରୀଲଙ୍କା ଅଧିନାୟିକା ଚମାରୀ ଅଟ୍ଟାପଟ୍ଟୁ (୨୧)ଙ୍କୁ କ୍ୟାଚ୍‌ ଆଉଟ୍‌ କରି ଶ୍ରୀଲଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ସ୍ରେୟଙ୍କା ପାଟିଲ୍‌ ହର୍ଷିତା ମାଧବୀ (୦)ଙ୍କୁ ଆଉଟ୍‌ କରିଥିବା ବେଳେ ୪୯ ରନ୍‌ ସୁଦ୍ଧା ଶ୍ରୀଲଙ୍କା ନିଜର ୬ଟି ମୂଲ୍ୟବାନ ୱିକେଟ୍‌ ହରାଇ ସାରିଥିଲା । ଶେଷରେ ସମ୍ପୂର୍ଣ୍ଣ ଶ୍ରୀଲଙ୍କା ଦଳ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରି  ୧୫.୪ ଓଭରରେ ୬୯ ରନରେ ଅଲଆଉଟ୍ ହୋଇଛି। ଏହି ଦମଦାର ବିଜୟ ସହ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା ।