ଟୋକିଓ: ଏସୀୟ କ୍ରୀଡ଼ା ପାଇଁ ଜାପାନ ଗସ୍ତରେ ଥିବା ଭାରତୀୟ ଦଳ ଏବଂ ଜାପାନ ମଧ୍ୟରେ ସ୍ମରଣୀୟ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳା ଯାଇଛି। ବର୍ଷା ବାଧାପ୍ରାପ୍ତ ଏବଂ ଓଦା ପଡ଼ିଆ କାରଣରୁ ୫ ଓଭର ବିଶିଷ୍ଟ ମ୍ୟାଚ୍ ଖେଳା ଯାଉଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪ ଓ୍ଵିକେଟ୍ ହରାଇ କେବଳ ୩୨ ରନ କରି ପାରିଛି। ସ୍ପିନକୁ ସୁହାଉଥିବା ଏବଂ ଅତି ମନ୍ଥର ପିଚରେ ଭାରତ ପକ୍ଷରୁ ଅଧିନାୟକ ଶ୍ରେୟସ ଆୟର ସର୍ବାଧିକ ୧୬ ରନ କରିଛନ୍ତି। ଆୟୋଜକ ଜାପାନ ସାମ୍ନାରେ ରହିଛି ୩୩ ରନର ବିଜୟ ଲକ୍ଷ୍ୟ।

ବର୍ଷା ଯୋଗୁଁ ଅଦା ଆଉଟ୍ ଫିଲ୍ଡ କାରଣରୁ ମ୍ୟାଚ୍ ୫ ଓଭର ବିଶିଷ୍ଟ ଖେଳା ଯାଉଛି। ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏହି ମନ୍ଥର ଏବଂ ସ୍ପିନରଙ୍କୁ ସୁହାଉଥିବା ପିଚରେ ଭାରତୀୟ ବ୍ୟାଟର ହାତଖୋଲା ସଟ୍ ଖେଳି ପାରି ନଥିଲେ। ଜାପାନ ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟର ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ଓପନର ସଞ୍ଜୁ ସାମସନ ୯ ରନ କରିଥିବା ବେଳେ ନିକଟରେ ଆଫଗାନିସ୍ତାନ ବିପକ୍ଷରେ ଶତକ ମାରିଥିବା ଅଭିଷେକ ଶର୍ମା ଖାତା ଖୋଲି ପାରି ନ ଥିଲେ। ଇଶାନ କିଶନ(୩) ମଧ୍ୟ ବିଫଳ ହୋଇଥିଲେ। ହେଲେ ଅଧିନାୟକ ଶ୍ରେୟସ ଆୟର ପରିସ୍ଥିତି ଅନୁସାରେ ବ୍ୟାଟିଂ କରି ୧୨ ବଲରୁ ୧୬ ରନ କରିଥିଲେ। ଫଳରେ ଭାରତ ୩୨ ରନ କରି ପାରିଥିଲା। ତିଳକ ବର୍ମା ୧ ରନ କରି ଅପରାଜିତ ଥିଲେ।