ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ବିଶ୍ୱ ଅଥନୈତିକ ମାନଚିତ୍ରରେ ଦେଖିବାକୁ ମିଳିବ ନୂଆ ରୂପ । ଭାରତ ପାଲଟିବ ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା। ଆମେରିକାକୁ ଟପି ଚୀନ ହେବ ମହାଶକ୍ତିଶାଳୀ। ପିପିପି ଆଧାରରେ କେତେକ ବିକାଶମୁଖୀ ଅର୍ଥନୀତିଗୁଡ଼ିକର ଜିଡିପି ରାଙ୍କିଙ୍ଗ୍ ବଢ଼ିଯିବ। ତଳକୁ ଖସିବେ ଲମ୍ବା ସମୟ ଧରି ଅର୍ଥନୈତିକ ମହାଶକ୍ତିର ମୁକୁଟ ପିନ୍ଧିଥିବା ରାଷ୍ଟ୍ର। ଏଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛିଓ୍ୱର୍ଲ୍ଡ ଇକୋନୋମିକଫୋରମ୍ (ଡବ୍ଲ୍ୟୁ ଇଏଫ୍)। ରିପୋର୍ଟ ଅନୁସାରେ, ଆର୍ଥିକ ଦୃଷ୍ଟିକୋଣରୁ ପ୍ରଭାବଶାଳୀ ରହିବା ସତ୍ତ୍ୱେ ୨୦୩୦ ସୁଦ୍ଧା କିଛି ଅର୍ଥନୈତିକ ମହାଶକ୍ତିଗୁଡ଼ିକର ଗ୍ଲୋବାଲ ଜିଡିପି ରାଙ୍କିଙ୍ଗ୍ ଖସିଯିବ। ସେହଭଳି କେତେକ ବିକାଶମୁଖୀ ଅର୍ଥନୀତିଗୁଡ଼ିକର ସ୍ଥାନ ଉନ୍ନୀତ ହେବ ।

ଏହାର ପ୍ରମୁଖ କାରଣ ହେଉଛି ଏହି ରାଷ୍ଟ୍ରଗୁଡ଼ିକର ବର୍ଦ୍ଧିତ ଜନସଂଖ୍ୟା, ଦ୍ରୁତ ସହରାଞ୍ଚଳ ବିକାଶ, ଉତ୍ପାଦକତା ଅଭିବୃଦ୍ଧି ଏବଂ ପରିବର୍ଦ୍ଧିତ ଘରୋଇ ଚାହିବା। ଏ କ୍ଷେତ୍ରରେ ଏସିଆର ପ୍ରଦର୍ଶନ ଭଲ ରହିବ। ଉତ୍ତର ଆମେରିକା ଏବଂ ୟୁରୋପର କିଛି ଭାଗରେ ଆର୍ଥିକ ଏବଂ ରାଜନୈତିକ ଗୁରୁତ୍ବ ବଜାୟ ରହିବ ।

ରିପୋର୍ଟ ଅନୁସାରେ, କ୍ରୟ କ୍ଷମତା ସମାନତା(ପିପିପି) ଆଧାରରେ ୨୦୩୦ ସୁଦ୍ଧାଭାରତ ପାଲଟିବ ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା। ବିଶ୍ୱ ଜିଡିପିକୁ ଏହାଦେବ ୮.୫୦% ଯୋଗଦାନ। ତେବେ ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ପକାଇଚୀନ୍ ପାଲଟିବ ବିଶ୍ଵର ସର୍ବବୃହତ୍ ଅର୍ଥନୀତି। ବିଶ୍ୱ ଜିତିପିକୁ ଏହାର ଯୋଗଦାନ ରହିବ ୧୯.୭୦% । ସେହିଭଳି ଦ୍ଵିତୀୟ ସ୍ଥାନକୁ ଖସିଯିବ ଆମେରିକା।

ବିଶ୍ୱ ଜିଡିପିରେ ରିପୋର୍ଟରେ କୁହାଯାଇଛି ଯେ, କ୍ରୟ କ୍ଷମତା ସମାନତା(ପିପିପି) ହିସାବରେ ୨୦୩୦ ସୁଦ୍ଧା ଚୀନ୍ ବିଶ୍ୱର ସର୍ବବୃହତ୍ ଅର୍ଥବ୍ୟବସ୍ଥା ପାଲଟିବ। ଦେଶର ମଜଭୂତ ବିନିର୍ମାଣ ଇକୋସିଷ୍ଟମ ଯୋଗୁ ଏହା ଏ ଉପଲବ୍ଧି ହାସଲ କରିବ। ପ୍ରଯୁକ୍ତି, ଭିଭିଭୂମି ନିବେଶ ଏବଂ ଉପଭୋକ୍ତା ବ୍ୟୟ କ୍ଷେତ୍ରରେ ଚୀନର ଅଗ୍ରଗତି ହିଁ ଏହାକୁ ବିଶ୍ଵର ସର୍ବବୃହତ୍ ଅର୍ଥବ୍ୟବସ୍ଥାର ମୁକୁଟ ପିନ୍ଧାଇବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ତେବେ ଏସିଆରୁ ମଜଭୁତ ପ୍ରତିଯୋଗିତା ସତ୍ତ୍ୱେ ଯୁକ୍ତରାଷ୍ଟ୍ର ଆମେରିକା ୨୦୩୦ ସୁଦ୍ଧା ବିଶ୍ଵର ପ୍ରଭାବଶାଳୀ ଅର୍ଥନୈତିକ ମହାଶକ୍ତି ରହିବ। ବିତ୍ତୀୟ ବଜାର, ଗବେଷଣା ପ୍ରତିଷ୍ଠାନ, ବହୁରାଷ୍ଟ୍ରୀୟ କମ୍ପାନି ଏବଂ ଆମେରିକୀୟ ଡଲାରର ବର୍ବିତ କ୍ଷମତା ହିଁ ଆମେରିକାର ପ୍ରଭାବକୁ ବଳବତ୍ତର ରଖିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଫାର୍ମା, ପ୍ରତି ରକ୍ଷା ପ୍ରଯୁକ୍ତି ଏବଂ ଅତ୍ୟାଧୁନିକ କମ୍ପ୍ୟୁଟିଂ ଆଦି କ୍ଷେତ୍ରରେ ଦେଶ ନିବେଶ ଗଣିବ। ଅନ୍ୟପକ୍ଷରେ, ପିପିପି ଆଧାରରେ ଏହାର ଗ୍ଲୋବାଲ ଜିଡିପି ରାଙ୍କିଙ୍ଗ୍ ଦ୍ଵିତୀୟ ସ୍ଥାନକୁ ଖସିଯିବ ବୋଲି ରିପୋର୍ଟରେ କୁହାଯାଇଛି।

ପରିବର୍ଦ୍ଧିତ ଡିଜିଟାଲ ଭିତ୍ତିଭୂମି, ବନ୍ଧିତ ସହରାଞ୍ଚଳ ଚାହିଦା ଏବଂ ମଧ୍ୟମ ଆୟବର୍ଗଙ୍କ ସଂଖ୍ୟା ବୃଦ୍ଧି ହିଁ ଏଥିରେ ସହାୟକ ହେବ। ଭାରତ କେବଳ ରପ୍ତାନି ଉପରେ ନିର୍ଭର କରିବ ନାହିଁ । ଘରୋଇ ଚାହିଦା ବୃଦ୍ଧି ଫଳରେ ଆଗକୁ ଏହା ଅନେକ ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକୁ ପଛରେ ପକାଇଦେବ ବୋଲି ଡବ୍ଲ୍ୟୁଇଏଫ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶରେ ସେବା, ଟେଲି ଯୋଗାଯୋଗ, ଆର୍ଥିକ ଏବଂ ବିନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଦେଖିବାକୁ ମିଳିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଜନସଂଖ୍ୟାଜନିତ ଚାପ ଏବଂ ମନ୍ଥର ଜନସଂଖ୍ୟା ଅଭିବୃଦ୍ଧି ସତ୍ତ୍ୱେ ଜାପାନ ବିଶ୍ଵର ଅନ୍ୟତମ ଅଗ୍ରଣୀ ଅର୍ଥବ୍ୟବସ୍ଥାର ମାନ୍ୟତା ବଜାର ରଖିବ। ସେହିଭଳି ଜର୍ମାନି ମଧ୍ୟ ବିଶ୍ଵର ଅନ୍ୟତମ ସର୍ବବୃହତ୍ ଅର୍ଥନୀତି ରହିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।