ଭୁବନେଶ୍ୱର ୦୩।୧୧ : ଗିଡ଼ିପାବାଲିରେ ଉଦ୍ଧାର କାର୍ଯ୍ୟକୁ ନେଇ ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ବଡ଼ ଅପଡେଟ୍। ଗତ ୪ ଦିନ ଧରି ଚାଲିଛି ଉଦ୍ଧାର ଅଭିଯାନ। ଆଜି ସନ୍ଧ୍ୟା ସୁଦ୍ଧା ଅପରେସନ ଶେଷ ହେବା ନେଇ ଆଶା ରଖିଛି ଉଦ୍ଧାରକାରୀ ଦଳ। ତେବେ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା ସାଜିଛି ବିଶାଳକାୟ ପଥର ଖଣ୍ଡ।

ଅଗ୍ନିଶମ ଡିଜିଙ୍କ ସୂଚନା ଅନୁସାରେ, ଘଟଣାସ୍ଥଳରେ ଥିବା କିଛି ପଥରର ଆକାର ଗୋଟିଏ ଘର ସଦୃଶ। ପଥରଗୁଡ଼ିକୁ ହଟାଇବା ପାଇଁ ରେଳ ବିଭାଗର ଚେନ୍ ପୁଲିଂ କୌଶଳ ମଧ୍ୟ ପ୍ରୟୋଗ କରାଯାଇଥିଲା। ହେଲେ ଏହା ସଫଳ ହୋଇନଥିଲା। ପରେ ନିୟନ୍ତ୍ରିତ ବିସ୍ଫୋରଣ ମାଧ୍ୟମରେ ପଥର ଭାଙ୍ଗିବାକୁ ଯୋଜନା କରାଯାଇଥିଲା। ଗତକାଲି ତିନୋଟି ବିସ୍ଫୋରଣ କରାଯାଇଥିଲେ ମଧ୍ୟ ପଥର ଭାଙ୍ଗିନଥିଲା।

Also Read:-ବାତ୍ୟା ମୁକାବିଲାକୁ ସରକାରଙ୍କ ବଡ଼ ପ୍ରସ୍ତୁତି, ୫୪ ଓଡ୍ରାଫ୍ ଓ ୯ ଏନ୍‌ଡିଆର୍‌ଏଫ୍ ଟିମ୍ ମୁତୟନ

ଅନ୍ୟପଟେ ଘଟଣାସ୍ଥଳକୁ ଟ୍ରାକ୍ଟର ଯାଇପାରୁନଥିବାରୁ ଆବଶ୍ୟକ ଯନ୍ତ୍ରପାତି ପହଞ୍ଚାଇବାରେ ସମସ୍ୟା ହେଉଛି। ତେଣୁ ଆଜି ଖଣି ବିଭାଗର ସହଯୋଗରେ ପଥର ଭାଙ୍ଗିବା ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଛି। ମାଟି ଅତଡ଼ା ଖସିବା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ଟିମ୍ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ତେବେ ଏବେ ବି ୧୧ ଜଣ ନିଖୋଜ ଥିବା ସୂଚନା ମିଳିଛି। ଆଜି ସନ୍ଧ୍ୟା ସୁଦ୍ଧା ଉଦ୍ଧାର ଅଭିଯାନରେ କେତେଦୂର ସଫଳତା ମିଳୁଛି, ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଅଗ୍ନିଶମ ଡିଜି।