ନୂଆଦିଲ୍ଲୀ,୩୧ /୦୩ମଧ୍ୟପ୍ରାଚ୍ୟରେ ଯୁଦ୍ଧ । ଭାରତ ଉପରେ ପ୍ରଭାବ । ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଇରାନ କଟକଣା ଲଗାଇଥିବାରୁ ବାଧାପ୍ରାପ୍ତ ହେଉଛି ପଣ୍ୟ କାରବାର । ଏପରିକି ତୈଳ ଏବଂ ସିଏନଜି, ଏଲପିଜି ଆଦି ପରିବହନ ହୋଇପାରୁ ନାହିଁ । ଫଳରେ ଭାରତରେ ସହଜରେ ମିଳୁନି ଗ୍ୟାସ୍ । କିଛି ଜାଗାରେ ଚୋରାରେ ବିକ୍ରି ହେଉଛି । ବ୍ୟବସାୟିକ ଗ୍ୟାସ୍ ନପାଇ ହୋଟେଲ ବନ୍ଦ ହେବାକୁ ବସିଲାଣି । ଗ୍ୟାସ୍ ମିଳିଲେ ବି କେହି କେହି ଚଢା ଦରରେ ବିକ୍ରି କରୁଛନ୍ତି । କିନ୍ତୁ ଏବେବି ୩୦୦ ଟଙ୍କା କମ୍ ଦାମରେ ରନ୍ଧନ ଗ୍ୟାସ୍ ମିଳୁଛି ।

ପିଏମ୍ ଉଜ୍ଜ୍ୱଳା ଯୋଜନାରେ ଲାଭ

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସରେ ୩୦୦ ଟଙ୍କାର ସବସିଡି ମିଳୁଛି । ଅର୍ଥାତ ସାଧାରଣ ଖାଉଟିଙ୍କ ଅପେକ୍ଷା ପିଏମ୍ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ୩୦୦ ଟଙ୍କା କମ୍ ମୂଲ୍ୟରେ ଗ୍ୟାସ୍ ପାଉଛନ୍ତି । ସେମାନଙ୍କୁ ବିନା କୌଣସି ସିକ୍ୟୁରିଟି ଡିପୋଜିଟରେ ଗ୍ୟାସ୍ କନେକ୍ସନ୍ ପ୍ରଦାନ କରାଯାଉଛି ।

ଆପଣ ମଧ୍ୟ ନେଇପାରିବେ ଲାଭ

ଯଦି ଆପଣ ଯୋଗ୍ୟ ହିତାଧିକାରୀ ତେବେ ପିଏମ୍ ଉଜ୍ଜ୍ୱଳା ଯୋଜନାରେ ସିଲିଣ୍ଡର୍ ପାଇପାରିବେ । ଏଥିପାଇଁ ଅନଲାଇନରେ ରେଜିଷ୍ଟ୍ରେସନ୍ କରିବାକୁ ହେବ । କିମ୍ବା ପାଖ ଗ୍ୟାସ ଡିଲରଙ୍କ ସହ ଯୋଗାଯୋଗ କରିବାକୁ ପଡିବ । ଆବେଦନ କରିବାକୁ ମାତ୍ର ୨୦ ଟଙ୍କା ଲାଗିପାରେ । 

କ'ଣ ରହିଛି ଯୋଗ୍ୟତା

ଉଜ୍ଜ୍ୱଳା ଯୋଜନାରେ ଲାଭ ପାଇବାକୁ ହେଲେ ଆପଣ ଜଣେ ମହିଳା ହୋଇଥିବା ଆବଶ୍ୟକ । ଏହାସହ ବୟସ ୧୮ ହୋଇଥିବା ଉଚିତ । ଘରେ ଅନ୍ୟ କୌଣସି ଏଲପିଜି କନେକ୍ସନ ଥିଲେ ଉଜ୍ଜ୍ୱଳା ଯୋଜନାରେ ଲାଭ ମିଳିବ ନାହିଁ । ଫର୍ମ୍ ଦାଖଲ ବେଳେ ପାସପୋର୍ଟ ଫଟୋ, ଆଧାର କାର୍ଡ ଆଦି ଆବଶ୍ୟକ । ରାସନ କାର୍ଡର ଜେରକ୍ସ ମଧ୍ୟ ଦେବାକୁ ପଡିପାରେ । ଆବେଦନ ପରେ ଭେରିଫିକେସନ କରାଯିବ । ଆପଣ ଯୋଗ୍ୟ ପ୍ରମାଣିତ ହେଲେ ଉଜ୍ଜ୍ୱଳାରେ ଗ୍ୟାସ୍ ସିଲିଣ୍ଡର ପାଇପାରିବେ ।