ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା ନାମୀଦାମୀ ହ୍ବିସ୍କି ଓ ରମ୍ ବିକ୍ରି ଉପରେ ଲାଗିଲା କଟକଣା। ବିକ୍ରି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଦେଶର ଖାଦ୍ୟ ସୁରକ୍ଷା ନିୟାମକ, ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) କଡ଼ା ପଦକ୍ଷେପ କ୍ରମେ ଭାରତରେ ବିକ୍ରି ହେଉଥିବା କିଛି ନାମୀ ହ୍ବିସ୍କି ତଥା ରମ୍ ବ୍ରାଣ୍ଡ୍‌ର ନିର୍ଦ୍ଦିଷ୍ଟ ଭାରିଆଣ୍ଟର ବିକ୍ରି ଉପରେ ତୁରନ୍ତ ବ୍ୟାନ୍ ଲଗାଇଛି।

ରିପୋର୍ଟ ଅନୁଯାୟୀ, ଦେଶର କେତେକ ପ୍ରସିଦ୍ଧ ମଦ ବ୍ରାଣ୍ଡର ନିର୍ଦ୍ଦିଷ୍ଟ ଭାରିଆଣ୍ଟ ଉପରେ ଏହି ପ୍ରତିବନ୍ଧକ ଲଗାଯାଇଛି। ଏଥିରେ ଡିଆଜିଓ ଇଣ୍ଡିଆର 'ୟୁନାଇଟେଡ୍ ସ୍ପିରିଟ୍ସ' (USL), 'ଇନବ୍ରୁ ବେଭରେଜେସ୍' ଏବଂ 'ମୋହନ ରକି ସ୍ପ୍ରିଙ୍ଗୱାଟର' ଭଳି ପ୍ରତିଷ୍ଠିତ କମ୍ପାନୀଗୁଡ଼ିକ ସାମିଲ ଅଛନ୍ତି। ମଧ୍ୟପ୍ରଦେଶରେ ପ୍ରସ୍ତୁତ ହେଉଥିବା 'ଆଣ୍ଟିକ୍ୱିଟି ବ୍ଲୁ ହ୍ବିସ୍କି' ଓ 'ରୟାଲ ଚ୍ୟାଲେଞ୍ଜ ହ୍ବିସ୍କି' ସମେତ 'ବ୍ୟାଗପାଇପର୍ ଡିଲକ୍ସ ହ୍ବିସ୍କି' ଏବଂ 'ଓଲ୍ଡ କାସ୍କ ଡିଲକ୍ସ ରମ୍'ର ବିକ୍ରି ବନ୍ଦ କରାଯାଇଛି। ଏହା ବ୍ୟତୀତ ମହାରାଷ୍ଟ୍ରରେ ପ୍ରସ୍ତୁତ ଲୋକପ୍ରିୟ 'ଓଲ୍ଡ ମଙ୍କ୍' ରମ୍‌ର ତିନୋଟି ଭିନ୍ନ ଭାରିଆଣ୍ଟ ଉପରେ ମଧ୍ୟ ବ୍ୟାନ୍ ଲଗାଯାଇଛି।

ରସାୟନରେ ପ୍ରସ୍ତୁତ ହେଉଥିଲା 'ନକଲି ସ୍ୱାଦ'

ସାଧାରଣତଃ ଭଲ ମଦ ଏହାର କଞ୍ଚାମାଲ ଏବଂ ଦୀର୍ଘ ଦିନର ସଂରକ୍ଷଣ ପ୍ରକ୍ରିୟା (Aging Process) ମାଧ୍ୟମରେ ପ୍ରାକୃତିକ ସ୍ୱାଦ ପାଇଥାଏ। ମାତ୍ର FSSAIର ଲାବୋରେଟୋରୀ ଯାଞ୍ଚରୁ ଜଣାପଡ଼ିଛି ଯେ, ଏହି କମ୍ପାନୀଗୁଡ଼ିକ ମହଙ୍ଗା ଉତ୍ପାଦନ ପ୍ରକ୍ରିୟାରୁ ବଞ୍ଚିବା ପାଇଁ ବାହାରୁ କୃତ୍ରିମ 'ରମ୍ ଫ୍ଲେଭର୍' ଏବଂ 'ହ୍ବିସ୍କି ଫ୍ଲେଭର୍' ସିଧାସଳଖ ମିଶାଉଥିଲେ। ନିୟାମକ ସଂସ୍ଥା ସ୍ପଷ୍ଟ କରିଛି ଯେ, ଆନ୍ତର୍ଜାତୀୟ ସ୍ତରରେ ମଦରେ ଏଭଳି କୃତ୍ରିମ ସ୍ୱାଦ ମିଶାଇବାର କୌଣସି ନିୟମ ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ନିମ୍ନମାନର ଅଟେ।

Also Read: ଏଣିକି 'Energy Drink' ଲେଖିପାରିବେନି କମ୍ପାନି; ସମସ୍ତ ବ୍ରାଣ୍ଡକୁ ୯୦ ଦିନର ମହଲତ

FSSAIର କଡ଼ା ଆଭିମୁଖ୍ୟ: ନିଶାଣରେ ବଡ଼ ବଡ଼ କମ୍ପାନୀ

ଗ୍ରାହକଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନେଇ FSSAI ବର୍ତ୍ତମାନ ବେଶ୍ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ନିକଟରେ କମ୍ପାନୀ ପେପ୍ସି ଏବଂ ରେଡ୍ ବୁଲ୍ ଭଳି ପ୍ରତିଷ୍ଠିତ ବ୍ରାଣ୍ଡଗୁଡ଼ିକୁ ମଧ୍ୟ ନିଜର ଅଧିକ କ୍ୟାଫିନ୍ ଯୁକ୍ତ ପାନୀୟକୁ 'ଏନର୍ଜି ଡ୍ରିଙ୍କ୍' ନାମରେ ବିକ୍ରି ନକରିବାକୁ ନିର୍ଦ୍ଦେଶ ଦେଇଥିଲା। ଆଉ ଏବେ ମଦ ପ୍ରସ୍ତୁତକାରୀ ସଂସ୍ଥାଗୁଡ଼ିକ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।