ନୂଆଦିଲ୍ଲୀ: ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଅଧିକ କ୍ୟାଫିନ୍ ଥିବା ପାନୀୟ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି । କମ୍ପାନିଗୁଡ଼ିକୁ ସେମାନଙ୍କ ଲେବଲରୁ 'Energy Drink' ଶବ୍ଦ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଦେଶ ପେପ୍ସି, ରେଡ୍ ବୁଲ୍, ମନଷ୍ଟର, ରାଇଲାଏନ୍ସ ଏବଂ ହେଲ୍ ଏନର୍ଜି ସମେତ ସମସ୍ତ ପ୍ରମୁଖ କମ୍ପାନି ଉପରେ ଲାଗୁ ହେବ ।

FSSAIର କହିବା କଥା, ଭାରତରେ ବର୍ତ୍ତମାନ 'Energy Drink' ନାମରେ କୌଣସି ସରକାରୀ ଖାଦ୍ୟ ଶ୍ରେଣୀ ମାନକ ନାହିଁ । ଏଣୁ ଏହି ଶବ୍ଦର ବ୍ୟବହାର ଗ୍ରାହକଙ୍କୁ ଭ୍ରମିତ କରିପାରେ । ଏହା ବ୍ୟତୀତ "ଶରୀର ଓ ମନକୁ ଶକ୍ତି ଦିଏ" କିମ୍ବା "ଦୁର୍ବଳତା ଦୂର କରେ" ଭଳି ଦାବିକୁ ମଧ୍ୟ ବିଭ୍ରାନ୍ତିକର ବୋଲି ଗ୍ରହଣ କରାଯାଇଛି ।

କମ୍ପାନିଗୁଡ଼ିକୁ ୯୦ ଦିନର ସମୟ

ରିପୋର୍ଟ ଅନୁସାରେ, ନିୟାମକ କମ୍ପାନିଗୁଡ଼ିକୁ ସେମାନଙ୍କ ଲେବଲରୁ 'Energy Drink' ଏବଂ ଏହିପରି ଅନ୍ୟ ଶବ୍ଦ ହଟାଇବା ପାଇଁ ୯୦ ଦିନର ସମୟ ଦେଇଛି । ରିପୋର୍ଟ ଅନୁଯାୟୀ, ଏଫଏସଏସଏଆଇର ମୁଖ୍ୟ ନିର୍ବାହୀ ଅଧିକାରୀ ରାଜିତ୍ ପୁନହାନି ଇଣ୍ଡଷ୍ଟ୍ରିର ଆପତ୍ତିକୁ ଖାରଜ କରିଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି, ଯଦି କମ୍ପାନିଗୁଡ଼ିକ ଚାହିଁବେ ତେବେ, ନିଷ୍ପତ୍ତିକୁ ଅଦାଲତରେ ଚ୍ୟାଲେଞ୍ଜ କରିପାରିବେ । ତେବେ ପରବର୍ତ୍ତୀ ସମୟରେ ଶିଳ୍ପ ପ୍ରତିନିଧିମାନେ ନୂଆ ନିୟମ ପାଳନ କରିବାକୁ ସମ୍ମତି ଜଣାଇଛନ୍ତି ।

ଇଣ୍ଡଷ୍ଟ୍ରି କାହିଁକି ଚିନ୍ତିତ ?

ଇଣ୍ଡିଆନ୍ ବେଭରେଜ୍ ଆସୋସିଏସନ୍ FSSAIକୁ ଚିଠି ଲେଖିଥିଲା । ଏଥିରେ କୁହାଯାଇଥିଲା, ଏପରି ନିଷ୍ପତ୍ତି କମ୍ପାନିଗୁଡ଼ିକର ସୁନାମ ଓ ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ ଏବଂ ଗ୍ରାହକଙ୍କ ମନରେ ଭ୍ରମ ସୃଷ୍ଟି କରିପାରେ । ଆସୋସିଏସନ୍ ଭବିଷ୍ୟତରେ ନିୟମ ପରିବର୍ତ୍ତନ ପୂର୍ବରୁ ଆଲୋଚନା କରିବାକୁ ଦାବି କରିଛି ।

ଉଲ୍ଲେଖଯୋଗ୍ୟ ଯେ ଭାରତରେ ଏନର୍ଜି ଡ୍ରିଙ୍କ୍ ବଜାର ଗତ କିଛି ବର୍ଷ ହେବ ଦ୍ରୁତ ଗତିରେ ବଢ଼ିଛି । ୨୦୧୭ରେ ପେପ୍ସିର ଷ୍ଟିଙ୍ଗ ଲଞ୍ଚ ହେବା ପରେ ଯୁବବର୍ଗ ଓ ଗ୍ରାମାଞ୍ଚଳରେ ଏହାର ଲୋକପ୍ରିୟତା ବଢ଼ିଥିଲା । ବଜାର ଗବେଷଣା ସଂସ୍ଥା ୟୁରୋମୋନିଟର ଅନୁଯାୟୀ, ଭାରତର ଏହି ବଜାର ୨୦୨୮ ସୁଦ୍ଧା ୧.୬ ବିଲିୟନ ଡଲାରରେ ପହଞ୍ଚିପାରେ ଏବଂ ପ୍ରତିବର୍ଷ ପ୍ରାୟ ୧୨.୬% ବୃଦ୍ଧି ପାଇବାର ଆକଳନ କରାଯାଇଛି ।

ରାଜସ୍ଥାନରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

FSSAI ନିର୍ଦ୍ଦେଶ ପରେ ରାଜସ୍ଥାନରେ ପ୍ରଶାସନ ଷ୍ଟିଙ୍ଗ, କାମ୍ପା ଏନର୍ଜି ଏବଂ ରେଡ୍‌ବୁଲ୍‌ର ହଜାର ହଜାର ବୋତଲ ଜବତ କରିଛି । ଅନ୍ୟପଟେ ରାଜ୍ୟ ସରକାର ଆମାଜନ୍, ଫ୍ଲିପକାର୍ଟ ଓ ସ୍ୱିଗି ଇନଷ୍ଟାମାର୍ଟ ଭଳି ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ ମଧ୍ୟ ଏହି ପ୍ରଡକ୍ଟଗୁଡ଼ିକୁ 'Energy Drink' ଭାବେ ପ୍ରଚାର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।