ଭୋପାଳ,୨୭ /୦୩: ଦିନେ କୌନ ବନେଗା କରୋଡପତିର ହଟ୍ ସିଟରେ ବସିଥିଲେ । ବିଗ୍ ବି ଅମିତାଭ ବଚ୍ଚନଙ୍କ ଆଗରେ ସୁନ୍ଦର ସୁନ୍ଦର କଥା କହୁଥିଲେ । ଏହାସହ ଲକ୍ଷ ଲକ୍ଷ ଟଙ୍କା ଜିତିଥିଲେ । ଏବେ କିନ୍ତୁ ପୁରା ଓଲଟା ସ୍ଥିତି । କେବିସିରେ ଟଙ୍କା ଜିତିଥିବା ଜଣେ ମହିଳା ତହସିଲଦାର ଏବେ ଜେଲରେ ।

ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶର ଜଣେ ପୂର୍ବତନ ସରକାରୀ ଅଧିକାରୀ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ଅଧିକାରୀ ହେଲେ ଅମିତା ସିଂ ତୋମାର । ବନ୍ୟା ରିଲିଫ ପାଣ୍ଠି ହେରଫେର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସେ ୨୦୧୯ରେ କେବିସିରେ ନଜର ଆସିଥିଲେ । ଏଠାରେ ସେ ୫୦ ଲକ୍ଷ ଟଙ୍କା ଜିତିଥିଲେ । ତେବେ ଗତ ୨୬ ତାରିଖରେ ତାଙ୍କୁ ଗ୍ୱାଲିଅର ବାସଭବନରୁ ଗିରଫ କରାଯାଇଛି । ଏହାସହ ଶିବପୁରୀ ଜେଲକୁ ପଠାଯାଇଛି ।

Also Read :-KBCରେ ଜିତିଥିଲେ ଏତେ, କିନ୍ତୁ ଖାଇଗଲେ ରିଲିଫ୍ ପାଣ୍ଠି ଟଙ୍କା : ମହିଳା ତହସିଲଦାରଙ୍କୁ ବାନ୍ଧିଲା ପୋଲିସ

ରିପୋର୍ଟ ଅନୁସାରେ, ଅମିତା ବିଜୟପୁରର ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ୨୦୨୧ରେ ଏଠାରେ ଭୟଙ୍କର ବନ୍ୟା ଅସିଥିଲା । ବନ୍ୟା ସମୟରେ ପ୍ରାୟ ଦୁଇରୁ ଅଢେଇ କୋଟି ଟଙ୍କାର ରିଲିଫ ପାଣ୍ଠି ହଡପ କରାଯାଇଥିଲା । ଏଥିରେ ଅମିତାଙ୍କ ନାଁ ଆସିବା ପରେ ସେ ସ୍କାନରକୁ ଆସିଥିଲେ ।

ବନ୍ୟା ପରେ ୭୯୪ ଜଣ ବନ୍ୟା ପୀଡିତଙ୍କ ପାଇଁ ସରକାର ରିଲିଫ୍ ଘୋଷଣା କରିଥିଲେ । କିନ୍ତୁ ୧୨୭ ଫେକ୍ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇ ସରକାରୀ ଅର୍ଥ ବାଟମାରଣା କରାଯାଇଥିଲା । ସବୁଠୁ ବଡ କଥା ହେଲା ଯେ ଯେଉଁ ଭୂତ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇ ଟଙ୍କା ଟ୍ରାନ୍ସଫର କରାଯାଇଥିଲା ସେମାନଙ୍କ ମଧ୍ୟରୁ କିଛି ଜଣ ଅମିତାଙ୍କ ସମ୍ପର୍କୀୟ ରହିଥିଲେ ।

ସ୍ଥାନୀୟ ଏସପି ସୁଧିର କୁମାରଙ୍କ କହିବାନୁସାରେ, ଅମିତଙ୍କୁ ଗିରଫ କରାଯାଇଛି । ତଦନ୍ତ ଜାରି ରହିଛି । ଜେଲରେ ସେ ଜାମିନ ଆବେଦନ କରିଥିଲେ । କିନ୍ତୁ ତାହା ଖାରଜ ହୋଇଯାଇଛି । ଏହାସହ ତାଙ୍କୁ ସସପେଣ୍ଡ୍ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।