ନୂଆଦିଲ୍ଲୀ: ବ୍ରେନ୍‌ ହାମରେଜ୍‌ରେ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନଙ୍କ ମୃତ୍ୟୁ ହୋଇଥିବା ନେଇ ଦାବି ହୋଇଥିଲା । ଏହି ଗୁଜବ ପ୍ରଚାରିତ ହେବାର କିଛି ଦିନ ଭିତରେ କିମଙ୍କୁ ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳିଛି । ଏକ ପୋଷାକ ପ୍ରଦର୍ଶନୀରେ ସେ ସାମିଲ ହୋଇଥିଲେ ଏବଂ ତାଙ୍କର ଫଟୋ ଭିଡିଓ ଭାଇରାଲ୍‌ ହୋଇଛି । ତେବେ କିମଙ୍କ ମୃତ୍ୟୁ ଖବର ମିଥ୍ୟା ଏବଂ ଗୁଜବ ।

ଆମେରିକାରେ ରହୁଥିବା ଜଣେ ଚୀନ୍‌ର ନାଗରିକ ବିସ୍ଫୋରକ ଦାବି କରିଥିଲେ । ଡେମୋକ୍ରେଟିକ୍‌ ପାର୍ଟି ସହ ଜଡ଼ିତ ଓ୍ବାନଜୁନ୍‌ ଜି ଏକ୍ସରେ ଦାବି କରିଥିଲେ ଯେ, କିମ୍‌ ଜଙ୍ଗ ଉନଙ୍କ ମୃତ୍ୟୁ ହୋଇ ସାରିଛି । ଏପରିକି ଉତ୍ତର କୋରିଆରେ କ୍ଷମତା ହସ୍ତାନ୍ତରକୁ ନେଇ ଉପୁଜିଥିବା ସଙ୍କଟ ପାଇଁ ଚୀନ୍‌ ସେଠାକୁ ନିଜର ୯୦୦୦ ସୈନିକ ପଠାଇଛି । ସେ ଲେଖିଥିଲେ, କିମଙ୍କ ବ୍ରେନ ହାମରେଜ୍‌ ହେବାରୁ ସେ କୋମାକୁ ଚାଲିଯାଇଥିଲେ।  ତାଙ୍କୁ ଚୀନ୍‌ ଚିକିତ୍ସା ପାଇଁ ନିଆଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଓ୍ବାନଜୁନଙ୍କ ଦାବିର ସତ୍ୟତା କେତେ ଥିଲା ତାହା ସ୍ପଷ୍ଟ ହୋଇନଥିଲା।  

ସେପଟେ କିମଙ୍କ ମୃତ୍ୟୁ ଗୁଜବ ପ୍ରଚାର ହେବା ପରେ ଉତ୍ତର କୋରିଆ ସ୍ପଷ୍ଟୀକରଣ ଦେଇଛି । ଦେଶର ସରକାରୀ ଗଣମାଧ୍ୟମ କେସିଏନଏ ପକ୍ଷରୁ କିମ୍‌ଙ୍କ ଫଟୋ ସେୟାର କରାଯାଇଛି । ଏହି ଫଟୋରେ କିମ୍‌ ଏକ ଜାତୀୟ ପୋଷାକ ଏବଂ ଜୋତା ପ୍ରଦର୍ଶନୀରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏହି ସମୟରେ କିମ୍‌ଙ୍କ ସହ ତାଙ୍କ ପତ୍ନୀ ଏବଂ ଝିଅ ଉପସ୍ଥିତ ଥିଲେ । 
 
ପ୍ରକାଶିତ ହୋଇଥିବା ଫଟୋଗୁଡ଼ିକରେ କିମ୍ ସ୍ୱଭାବିକ ଅବସ୍ଥାରେ ନଜର ଆସିଛନ୍ତି । ଗୋଟିଏ ଫଟୋରେ ସେ ଜଣେ ମହିଳାଙ୍କ ଦ୍ୱାରା ଧରାଯାଇଥିବା ଏକ କାଗଜ କିମ୍ବା ଛୋଟ ଗୋଲାପୀ ରଙ୍ଗର ଜୋତାକୁ ନିକଟରୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି।   ଆଉ ଏକ ଫଟୋରେ ସେ ଜଣେ ଅଧିକାରୀଙ୍କ ସହ ଉତ୍ସାହର ସହ କଥା ହେଉଥିବାର ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ ସେ ଏକ କୋଟକୁ ଛୁଉଁଥିବାର ଦେଖାଯାଇଛି । ଏହି ସମୟରେ ତାଙ୍କର ସହଯୋଗୀମାନେ ତାଙ୍କ ପଛରେ ଠିଆ ହୋଇଛନ୍ତି।

ସେପଟେ କିମଙ୍କୁ ନେଇ ଗୁଜବ ପ୍ରଚାର ହେବା ନୂଆ କଥା ନୁହେଁ । ଏହାପୂର୍ବରୁ ୨୦୨୦ ମସିହାରେ ମଧ୍ୟ କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏପରି ଅନେକ ଭୁଲ୍ ଖବର ପ୍ରସାରିତ ହୋଇଥିଲା । ପରେ ସେ ସାମ୍ନାକୁ ଆସି ସେହି ସବୁ ଦାବି ଭୁଲ ପ୍ରମାଣିତ କରିଥିଲେ । ଆଉ ଏବେ ସେ ଜୀବିତ ଥିବା ବେଳେ ତାଙ୍କୁ ନେଇ ପ୍ରସାରିତ ହୋଇଥିବା ଗୁଜବ ଉପରେ କିମ୍‌ ବିରାମ ଟାଣିଛନ୍ତି ।