ଭୁବନେଶ୍ୱର ୧୭।୧୦ : ବିଶେଷ ବର୍ଷା ସମ୍ଭାବନା ନାହିଁ । ପ୍ରତିଦିନ ଅଳ୍ପ କିଛି ଜାଗାରେ ହାଲୁକା କିମ୍ବା ଅସରାଏ ମଧ୍ୟମ ଧରଣର ବର୍ଷା ହୋଇପାରେ । ଦଶହରାରେ ପାଗ ଭଲ ରହିପାରେ । ବିଭିନ୍ନ ମଡେଲ୍ ପୂର୍ବାନୁମାନ କରିଛନ୍ତି, ଚଳିତ ଅକ୍ଟୋବର ମାସ ଶେଷବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହାର ପ୍ରଭାବ, ଗତିପଥ ଓ ତୀବ୍ରତା ନେଇ ଏବେଠାରୁ କିଛି ଆକଳନ କରାଯାଇନି।

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଫେରିଯାଇଛି। ତାମିଲନାଡୁର ଦକ୍ଷିଣ ଉପକୂଳରେ ଥିବା ଏକ ଘୂର୍ଣ୍ଣିବଳୟଠାରୁ ଓଡ଼ିଶା ଉପକୂଳ ନିକଟ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ନିମ୍ନଚାପ ରେଖା ଲମ୍ବିଛି । ବାୟୁମଣ୍ଡଳରେ ଜଳୀୟବାଷ୍ପ ଥିବା ଯୋଗୁ ଆସନ୍ତା ୧୮ ତାରିଖ ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

Also Read:-ନ୍ୟୁଜିଲାଣ୍ଡ ବିପକ୍ଷ ODI ଓ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଶ୍ରେୟସ ଆୟର ଅଧିନାୟକ !

ମୁଖ୍ୟତଃ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କାଁ ଭାଁ ଓ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ଘଡ଼ଘଡ଼ି ହୋଇପାରେ । କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଆସନ୍ତା ୧୯ରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ।

ବିଜୟା ଦଶମୀରେ (୨୦ ଓ ୨୧ ବେଳକୁ) ପାଗ ଭଲ ରହିପାରେ । ୨୧ରୁ ୨୬ ତାରିଖ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିପାରେ । ତେବେ ଦକ୍ଷିଣ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ । ୨୬ ତାରିଖ କୁମାର ପୂର୍ଣ୍ଣିମାରେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ । ତେବେ ୨୨ରୁ ୨୪ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୨୫-୨୬ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା କେତେ ଶକ୍ତିଶାଳୀ ହେବ ଓ କେଉଁ ଦିଗକୁ ଗତି କରିବ, ଏବେଠାରୁ କହିବା ସମ୍ଭବ ନୁହେଁ ।