ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବାଂଲାଦେଶ ଫେରିବେ ବୋଲି ଘୋଷଣା କରିଛନ୍ତି । ତାଙ୍କ ଜୀବନ ପ୍ରତି ବାଂଲାଦେଶରେ ବିପଦ ଥିଲେ ବି ସେ ଫେରିବେ । ସେଠାକୁ ଗଲେ ତାଙ୍କୁ ନିର୍ଯାତନା ଦିଆଯାଇପାରେ, ହତ୍ୟା କରାଯାଇପାରେ, ତଥାପି ସେ ସ୍ବଦେଶ ଫେରିଯିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଶେଖ ହସିନା । ନିଜର ସମର୍ଥକ ଏବଂ ଦେଶର ସାଧାରଣ ନାଗରିକମାନେ କଷ୍ଟ ଭୋଗୁଥିବା ବେଳେ ସେ ଦୂରରେ ରହିପାରିବେ ନାହିଁ ବୋଲି କହିଛନ୍ତି।

ୱାଶିଂଟନ୍‌ରେ ଆୟୋଜିତ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ହସିନା କହିଛନ୍ତି, ‘ବାଂଲାଦେଶ ଫେରିବା କେତେ ବିପଜ୍ଜନକ, ସେଥିପ୍ରତି ମୋର ଆଦୌ ଖାତିର ନାହିଁ। ମୋତେ ନିଜ ଦେଶକୁ ଫେରିବାକୁ ହିଁ ପଡ଼ିବ।’ ଅଗଷ୍ଟ ୨୦୨୪ରେ ସରକାର ଭାଙ୍ଗିବା ପରେ ସେ ଦେଶ ଛାଡ଼ି ପଳାୟନ କରିଥିଲେ ।  ସେବେଠାରୁ ଭାରତରେ ଆଶ୍ରୟ ନେଇଛନ୍ତି ଶେଖ ହସିନା । ଏହି ସଙ୍କଟ ସମୟରେ ତାଙ୍କୁ ଆଶ୍ରୟ ଦେଇଥିବାରୁ ସେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ହସିନା ୧୯୭୫ ମସିହାର ଦୁଃଖଦ ଘଟଣାକୁ ମନେ ପକାଇଛନ୍ତି ହସିନା । ସେହି ସମୟରେ ବି ତାଙ୍କୁ ଭାରତ ସହାୟତା କରିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୯୮୧ରେ ଏବଂ ୨୦୦୭ର ଜରୁରୀକାଳୀନ ପରିସ୍ଥିତି ସମୟରେ ବିପଦ ଥିବା ସତ୍ତ୍ୱେ ସେ ନିଜ ଦେଶକୁ ଫେରିଥିଲେ। ତାଙ୍କ ବିରୋଧରେ ଏବଂ ତାଙ୍କ ଦଳ 'ଆୱାମୀ ଲିଗ୍' ବିରୋଧରେ କରାଯାଇଥିବା ସମସ୍ତ ମାମଲାକୁ ସେ ରାଜନୈତିକ ପ୍ରତିଶୋଧ ବୋଲି ଅଭିଯୋଗ କରିଛନ୍ତି ଶେଖ ହସିନା ।

ହସିନା କହିଛନ୍ତି, ‘ମୁଁ ଆମେରିକାକୁ ଶେଖ୍ ହସିନା କିମ୍ବା ଅନ୍ୟ କାହାକୁ ଚୟନ କରିବାକୁ କହୁନାହିଁ । ମୁଁ ଆମେରିକାକୁ ବାଂଲାଦେଶରେ ଗଣତନ୍ତ୍ରକୁ ସମର୍ଥନ କରିବାକୁ ନିବେଦନ କରୁଛି।’ ବାଂଲାଦେଶର ଭବିଷ୍ୟତ ନିରପେକ୍ଷ ଓ ଗଣତାନ୍ତ୍ରିକ ପ୍ରକ୍ରିୟା ଜରିଆରେ ନିର୍ଦ୍ଧାରିତ ହେବା ଉଚିତ୍ ।  ଆମେରିକା, ଚୀନ୍, ଜାପାନ ଏବଂ ପଡ଼ୋଶୀ ଦେଶଗୁଡ଼ିକ ସହ ବାଂଲାଦେଶର ସୁସମ୍ପର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେପଟେ ଶେଖ ହସିନା କେବେ ବାଂଲାଦେଶ ଫେରିବେ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ସଂପର୍କରେ କହିନାହାନ୍ତି ।