ନୂଆଦିଲ୍ଲୀ: ଇସ୍ରାଏଲରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ବଡ଼ ଝଟକା ଦେଇଛି ଆମେରିକା । ବିଶ୍ବ ରାଜନୀତିରେ କୌଣସି ନେତାଙ୍କୁ ବିଶ୍ବାସ କରୁନଥିବା ନେଇ ଟ୍ରମ୍ପ ମନ୍ତବ୍ୟ ଦେବା ପରେ ପରେ ଆମେରିକାର ଉପରାଷ୍ଟ୍ରପତି ବଡ଼ ଘୋଷଣା କରିଛନ୍ତି । ଉପରାଷ୍ଟ୍ରପତି ଜେଡି ଭାନ୍‌ସ ସ୍ପ​‌ଷ୍ଟ କରିଛନ୍ତି ଯେ, ଇସ୍ରାଏଲ  ନିର୍ବାଚନରେ ନେତାନ୍ୟାହୁଙ୍କୁ ସେ ସମର୍ଥନ କରିବେ ନାହିଁ । ସେ କହିଛନ୍ତି, ମୁଁ କେବଳ ନିଜର ଦେଶରେ ନେତାଙ୍କୁ ସମର୍ଥନ କରେ, ଇସ୍ରାଏଲରେ ମୁଣ୍ଡ ପୂରାଇବି ନାହିଁ । କିନ୍ତୁ ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପ କହିଥିଲେ, ସେ ନେତାନ୍ୟାହୁଙ୍କୁ ସମର୍ଥନ କରିବେ ।  

ସାମ୍ବାଦିକ ମାର୍କ୍ ହାଲପେରିନଙ୍କ ସହ ସାକ୍ଷାତକାରରେ ଜେ.ଡି. ଭାନ୍‌ସ୍ କହିଛନ୍ତି ଯେ, ‘ରାଷ୍ଟ୍ରପତିଙ୍କର ଆମେରିକା ଏବଂ ଅନ୍ତର୍ଜାତୀୟ ରାଜନୈତିକ ଇତିହାସରେ ସବୁଠାରୁ ପ୍ରଭାବଶାଳୀ ସମର୍ଥନ ରହିଛି। ମୁଁ କେବଳ ଆମେରିକାର ପ୍ରାର୍ଥୀମାନଙ୍କୁ ସମର୍ଥନ କରେ ଏବଂ ସେଥିପାଇଁ ମିଡ୍‌ଟର୍ମ ନିର୍ବାଚନ ଉପରେ ମୋର ଧ୍ୟାନ ରହିଛି। ତେଣୁ, ମୁଁ ଇସ୍ରାଏଲ୍ ନିର୍ବାଚନରେ ମୁଣ୍ଡ ପୂରାଇବି ନାହିଁ।’

ଇସ୍ରାଏଲ୍ ସରକାରଙ୍କ ସହ ମତଭେଦ 
ଜେ.ଡି. ଭାନ୍‌ସ୍ ପୂର୍ବରୁ ଇସ୍ରାଏଲ୍ ସରକାରଙ୍କ କିଛି ନୀତି ଓ ନେତାଙ୍କୁ ସମାଲୋଚନା କରିଆସିଛନ୍ତି। ବିଶେଷ କରି ଇରାନ ସହ ଆମେରିକାର କୂଟନୈତିକ ଆଲୋଚନା ଏବଂ ଚୁକ୍ତିକୁ ଇସ୍ରାଏଲ୍ ବାଧା ଦେବାକୁ ଚେଷ୍ଟା କରୁଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଆମେରିକା ଦେଉଥିବା ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ଏବଂ ଆର୍ଥିକ ସହାୟତା ଯୋଗୁଁ ହିଁ ଇସ୍ରାଏଲ୍ ସୁରକ୍ଷିତ ଅଛି । ତେଣୁ ଇସ୍ରାଏଲର ବଡ଼ ଶତ୍ରୁ ଆମେରିକା ରାଷ୍ଟ୍ରପତି ନୁହଁନ୍ତି ବରଂ ସେମାନେ ନିଜର ବାସ୍ତବତାକୁ ବୁଝିବା ଉଚିତ୍ ବୋଲି କହିଥିଲେ ଭାନ୍‌ସ।

ଏହା ପୂର୍ବରୁ ୨୦୨୬ ଆରମ୍ଭରେ ନେତାନ୍ୟାହୁ ଏବଂ ଜେ.ଡି. ଭାନ୍‌ସ୍‌ଙ୍କ ମଧ୍ୟରେ ଫୋନରେ ତିକ୍ତତାପୂର୍ଣ୍ଣ ଆଲୋଚନା ହୋଇଥିଲା ।  ନେତାନ୍ୟାହୁ ଏହି ଯୁଦ୍ଧକୁ ବହୁତ ସହଜ ବୋଲି କହିଥିଲେ।  କିନ୍ତୁ ଭାନ୍‌ସ୍ ଏହାକୁ କଡ଼ା ଭାଷାରେ ବିରୋଧ କରିଥିଲେ। ସେପଟେ ଭାନସଙ୍କ ଭାବମୂର୍ତ୍ତିକୁ ମଳିନ କରିବାକୁ ଇସ୍ରାଏଲରେ ଚକ୍ରାନ୍ତ ହେଉଛି ବୋଲି ଆମେରିକୀୟ ଅଧିକାରୀ ବିଶ୍ବାସ କରୁଛନ୍ତି ।

ସେହି ଅଧିକାରୀମାନଙ୍କ ଅନୁସାରେ, ଇରାନ ସହ ଏକ ଚୁକ୍ତି ଲାଗି ସବୁଠାରୁ ଯୋଗ୍ୟ ନେତା ଭାନ୍‌ସଙ୍କ ସହ କୌଣସି ଏକ ଚୁକ୍ତି କରିବାକୁ ଇରାନ୍‌ ଇଚ୍ଛା ପ୍ରକାଶ କରିଆସିଛି । ସେପଟେ ଚୁକ୍ତିକୁ ବିରୋଧ କରିଆସିଥିବା ଇସ୍ରାଏଲ ଭାନସଙ୍କ ପ୍ରଭାବକୁ ଦୂର୍ବଳ କରିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ହୋଇଛି । ଏହି ସବୁ ଚର୍ଚ୍ଚା ମଧ୍ୟରେ, ଭାନ୍‌ସ ଇସ୍ରାଏଲ ନିର୍ବାଚନରେ ନେତାନ୍ୟାହୁଙ୍କୁ ସମର୍ଥନ କରିବେନି ବୋଲି ମନା କରିଛନ୍ତି ।