ନୂଆଦିଲ୍ଲୀ: ଚେହେରା ସହ ଦିମାକର ନଥାଏ ସଂପର୍କ। ଚେହେରା ବି କହିପାରେନି କେତେ ପାଠ, କେତେ ଜ୍ଞାନ। ସବୁ ଜ୍ଞାନୀ କଣ ସୁନ୍ଦର ଆଉ ଅପରୂପ। ସବୁ ଅସୁନ୍ଦର କଣ ଜ୍ଞାନୀ। ଏସବୁ ପ୍ରଶ୍ନର ବାସ୍ତବ ଉତ୍ତରଟି କିନ୍ତୁ ଅଛି ପ୍ରାଚୀ ନିଗମଙ୍କ ପାଖରେ। ହଁ ମନେ ପକାନ୍ତୁ ସେହି ପ୍ରାଚୀ ନିଗମଙ୍କୁ। ୨୦୨୪ ଉତ୍ତରପ୍ରଦେଶ ୧୦ମ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିଲେ ପ୍ରାଚୀ। ରଖିଥିଲେ ୯୮.୫୦ ପ୍ରତିଶତ ନମ୍ବର। କିନ୍ତୁ ସେହି ସଫଳତା ପାଇଁ ସେ ଯେମିତି ପ୍ରଶଂସିତ ଥିଲେ, ସେତିକି ଟ୍ରୋଲ୍ ହୋଇଥିଲେ ଫେସବୁକରେ ତାଙ୍କ ଚେହେରା ପାଇଁ। ଝିଅଟିଏ ହୋଇଥିଲେ ବି ତାଙ୍କ ମୁହଁରେ ପୁଅଙ୍କ ଭଳି ଅଛି କିଛି ଲୋମ ଫେସବୁକରେ ତାଙ୍କୁ କିଛି ୟୁଜର ସମାଲୋଚନା କରିଥିଲେ। ପରିହାସ ଜନିତ ମନ୍ତବ୍ୟ ଦେଇଥିଲେ। ଆଉ ଏବେ ତାହାର ଜବାବ ଦେଇଛନ୍ତି ପ୍ରାଚୀ। ଦୁଇ ବର୍ଷ ପରେ ଦ୍ୱାଦଶ ପରୀକ୍ଷାରେ ତାଙ୍କ ସଫଳତା ସମାଲୋଚକ- ଟ୍ରୋଲରଙ୍କୁ ପାଲଟା ଜବାବ ନିଶ୍ଚୟ।

କେଉଁଥିରେ କେତେ ନମ୍ବର ରଖିଛନ୍ତି ପ୍ରାଚୀ

ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାର ପ୍ରାଚୀ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ପ୍ରାଚୀ ରଖିଛନ୍ତି ୯୧.୨୦% ମାର୍କ। ଦଶମରେ ଟପରଙ୍କ ମାର୍କ ଦ୍ୱାଦଶରେ କମିଛି। ତଥାପି ପ୍ରାଚୀ ନିଗମଙ୍କୁ ନେଇ କମୁନି ଚର୍ଚ୍ଚା। ସେ ଗଣିତରେ ୯୯, ହିନ୍ଦୀରେ ୯୬, ରସାୟନ ବିଜ୍ଞାନରେ ୯୫, ପଦାର୍ଥ ବିଜ୍ଞାନରେ ୯୨, ଇଂରାଜୀରେ ୭୩ ପ୍ରତିଶତ ମାର୍କ ରଖିଛନ୍ତି । ଏକ ରିପୋର୍ଟ ଅନୁସାରେ ପ୍ରାଚୀ ଜେଇଇ ପାଇଁ ପ୍ରସ୍ତୁତ କରୁଥିଲେ। ସେଥିପାଇଁ ସେ ଇଂରାଜୀରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ତଥାପି ତାଙ୍କର କନସିଷ୍ଟେନ୍ସିଙ୍କୁ ପ୍ରଶଂସା।

​​​​​​​​​​​​​​ଦଶମ ପରୀକ୍ଷାରେ ୬୦୦ରୁ ୫୯୧ ରଖିଥିଲେ ପ୍ରାଚୀ ନିଗମ। ଆଇଆଇଟି ଇଂଜିନିୟରିଂ କରିବା ଲକ୍ଷ୍ୟରେ ଥିବା ପ୍ରାଚୀ କିନ୍ତୁ ଦ୍ୱାଦଶରେ ସେତିକି ପରସେଣ୍ଟେଜ ପାଇ ନାହାନ୍ତି। କିନ୍ତୁ 91 ପ୍ରତିଶତରୁ ଅଧିକ ନମ୍ବର ତାଙ୍କ ମେଧାଶକ୍ତିର ଯଥେଷ୍ଟ ପ୍ରମାଣ। ବଡ଼ କଥାଟି ହେଲା ସମାଲୋଚକଙ୍କୁ ଚୁପ୍ କରିଦେଇଛନ୍ତି ସେ। ସୁନ୍ଦର ଚେହେରା ନୁହେଁ ଜ୍ଞାନ ବା ମେଧା ଶକ୍ତିର ପରିଚୟ। ଦଶମ ପରେ ସମାଲୋଚନା ଓ ପରିହାସ ତାଙ୍କ ଉପରେ ପ୍ରଭାବ ପକାଇ ପାରିନି। ଦ୍ୱାଦଶ ରେଜଲ୍ଟ ତାଙ୍କୁ ଏକ ଉଦାହରଣ କରିଛି। ଟ୍ରୋଲିଂ ହୋଇ ପ୍ରାଚୀ ଥରେ କହିଥିଲେ, “ଯେତେବେଳେ ୟୁପି ବୋର୍ଡ ରେଜଲ୍ଟ ପ୍ରକାଶ ପାଇଲା, ମୋର ଫଟୋ ଭାଇରାଲ୍ ହୋଇଥିଲା। ଅନେକ ଲୋକ ମତେ ପରିହାସ କରିଥିଲେ। ସେହି ସମୟରେ ମତେ ସମର୍ଥନ କରିଥିବା ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଭଗବାନ ମତେ ଯେମିତି ଗଢ଼ିଛନ୍ତି, ମୁଁ ସେଥିରେ ଖୁସି ଅଛି।”

 

ଆଉଥରେ ସେ କହିଥିଲେ, “ଯଦି ମୋର କିଛି ମାର୍କ କମ୍ ରହିଥାନ୍ତା, ତେବେ ମୁଁ ଟପ୍ପର ହୋଇନଥାନ୍ତି କିମ୍ବା ଏତେ ଲୋକପ୍ରିୟ ହୋଇନଥାନ୍ତି। ବୋଧହୁଏ ସେଇଟା ହିଁ ଭଲ ହୋଇଥାନ୍ତା। ମୁଁ ଏହି ସ୍ଥିତିକୁ ନେଇ ସେତେଟା ଚିନ୍ତିତ ନୁହେଁ, କାରଣ ମୁଁ ବହୁତ ଦିନରୁ ଏହାର ସାମ୍ନା କରି ଆସୁଛି।” ସେ ଯାହା ବି ହେଉ, ଏତେ ସମାଲୋଚନା ଭିତରେ ପ୍ରାଚୀଙ୍କ ସଫଳତା ହିଁ ସମାଲୋଚକଙ୍କୁ ଶକ୍ତ ଜବାବ। ଦ୍ୱାଦଶ ସଫଳତା ପାଇଁ ପ୍ରାଚୀଙ୍କୁ ବଧାଇ। ଆମର କାମନା ସେ ତାଙ୍କ ଲକ୍ଷ୍ୟରେ ସଫଳ ହୁଅନ୍ତୁ।

Also Read- Claude Mythos AI Threat: ବିଶ୍ୱକୁ ଘାରିଛି AI ଭୟ, ‘କ୍ଲୋଡ୍ ମାଇଥୋସ୍’କୁ ନେଇ ଜୋର ଧରିଲା ଚର୍ଚ୍ଚା