ଚେନ୍ନାଇ: ଦକ୍ଷିଣ ଭାରତୀୟ ସିନେମା ଜଗତରୁ ଆସିଛି ଏକ ଦୁଃଖଦ ଖବର। ବରିଷ୍ଠ ତାମିଲ ସଙ୍ଗୀତକାର ତଥା ଗାୟକ ଦେବାଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଛି। ଶନିବାର, ଅକ୍ଟୋବର ୧୭ ତାରିଖରେ ଚେନ୍ନାଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ତାମିଲ ଚଳଚ୍ଚିତ୍ର ଜଗତ ସହ ସଙ୍ଗୀତପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଦେବାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଦେବାଙ୍କ ପୂରା ନାମ ଦେବନେସନ ଚୋକ୍କାଲିଙ୍ଗମ ହୋଇଥିବା ବେଳେ ସଙ୍ଗୀତ ଜଗତରେ ସେ ‘ଦେବା’ ଏବଂ ‘ଥେନିସାଇ ଥେନ୍ଦ୍ରାଲ’ ନାମରେ ବେଶ୍ ପରିଚିତ ଥିଲେ। ପ୍ରାୟ ଚାରି ଦଶନ୍ଧିର ସଙ୍ଗୀତ ଯାତ୍ରାରେ ସେ ୪୦୦ରୁ ଅଧିକ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ସୃଷ୍ଟି କରିଥିଲେ। ତାମିଲ ସିନେମା ସହ ତେଲୁଗୁ, କନ୍ନଡ଼ ଓ ମାଲାୟଲମ୍ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କ ସଙ୍ଗୀତର ଛାପ ଦେଖିବାକୁ ମିଳିଛି ।୧୯୫୦ ନଭେମ୍ବର ୨୦ରେ ଜନ୍ମଗ୍ରହଣ କରିଥିବା ଦେବା ଅଳ୍ପ ବୟସରୁ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ। ସେ ଧନରାଜ ମାଷ୍ଟରଙ୍କଠାରୁ ଗ୍ରହଣ କରିଥିଲେ ପିଆନୋ ଶିକ୍ଷା । ଏହି ଗୁରୁଙ୍କଠାରୁ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଇଲାୟାରାଜା ମଧ୍ୟ ଶିକ୍ଷା ନେଇଥିଲେ। ଏହା ସହିତ ସେ ଜେ. ବି. କୃଷ୍ଣଙ୍କଠାରୁ ହାରମୋନିୟମ୍ରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଶିଖିଥିଲେ।

୧୯୮୬ ମସିହାରେ ତାମିଲ ଚଳଚ୍ଚିତ୍ର ‘ମାଟ୍ଟୁକ୍କାରା ମନ୍ନାରୁ’ ଜରିଆରେ ସେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ପରେ ‘ମନସୁକେଥା ମହାରାସା’ ଓ ‘ଭୈଗାସି ପୋରନ୍ଥାଚୁ’ ଭଳି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା। ତାଙ୍କ ସଙ୍ଗୀତର ବିଶେଷତ୍ୱ ଥିଲା ଚେନ୍ନାଇର ଲୋକପ୍ରିୟ ‘ଗାନା’ ସଙ୍ଗୀତ ଶୈଳୀକୁ ମୁଖ୍ୟଧାରାର ସିନେମାରେ ପରିଚିତ କରାଇବା। ଏହି ଶୈଳୀକୁ ଲୋକପ୍ରିୟ କରିବାରେ ତାଙ୍କର ଅବଦାନ ଉଲ୍ଲେଖନୀୟ।

ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ସହ ଦେବାଙ୍କ ନାମ ଯୋଡ଼ି ହୋଇ ରହିଛି। ‘ଅନ୍ନାମଲାଇ’ (୧୯୯୨), ‘ବାଶା’ (୧୯୯୫) ଓ ‘ଅରୁଣାଚଳମ୍’ (୧୯୯୭) ଭଳି ଚଳଚ୍ଚିତ୍ରରେ ସେ ସଙ୍ଗୀତ ଦେଇଥିଲେ। ରଜନୀକାନ୍ତଙ୍କ ଚଳଚ୍ଚିତ୍ରର ଟାଇଟଲ୍ କାର୍ଡ ସଙ୍ଗୀତ ସହ ମଧ୍ୟ ତାଙ୍କର ସମ୍ପର୍କ ଥିଲା।

ଦେବାଙ୍କ ବିୟୋଗରେ ଅଭିନେତା କାର୍ଥି ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ସଙ୍ଗୀତର ଅସୀମ ଉତ୍ସାହ, ସରଳତା ଓ ଚେନ୍ନାଇର ‘ଗାନା’ ସଙ୍ଗୀତ ପ୍ରତି ଅବଦାନକୁ ସ୍ମରଣ କରି କାର୍ଥି କହିଛନ୍ତି ଯେ ଦେବାଙ୍କ ସୁମଧୁର ସଙ୍ଗୀତ ସବୁବେଳେ ଲୋକଙ୍କ ହୃଦୟରେ ଜୀବନ୍ତ ରହିବ।ସଙ୍ଗୀତକାର ସାମ୍ ସି. ଏସ୍. ମଧ୍ୟ ଦେବାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ଅମର ସଙ୍ଗୀତ ଓ ଅଭୁଲା ଗୀତ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ରହିବ ବୋଲି ସେ ଉଲ୍ଲେଖ କରିଛନ୍ତି।

ଦୀର୍ଘ ସଙ୍ଗୀତ ଜୀବନରେ ଅନେକ ସ୍ମରଣୀୟ ଗୀତ ଓ ସଙ୍ଗୀତ ସୃଷ୍ଟି କରିଥିବା ଦେବା ଆଜି ଆଉ ନାହାନ୍ତି। କିନ୍ତୁ ତାଙ୍କ ସଙ୍ଗୀତ, ଚେନ୍ନାଇର ଗାନା ପରମ୍ପରାକୁ ମିଳିଥିବା ପରିଚୟ ଏବଂ ଦକ୍ଷିଣ ଭାରତୀୟ ସିନେମା ପ୍ରତି ତାଙ୍କ ଅବଦାନ ତାଙ୍କୁ ସଙ୍ଗୀତପ୍ରେମୀଙ୍କ ମନରେ ସବୁଦିନ ପାଇଁ ଅମର କ