ମୁମ୍ବାଇ : କ୍ରିକେଟ୍ ମଇଦାନରେ ନିଜ ଅନ୍ଦାଜ୍ ପାଇଁ ଚର୍ଚ୍ଚାରେ ରହୁଥିବା ସନରାଇଜର୍ସ ହାଇଦ୍ରାବାଦର CEO କାବ୍ୟା ମାରନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଖୁବ ଚର୍ଚ୍ଚା । କାବ୍ୟାଙ୍କ ଜୀବନରେ ଆସିବାକୁ ଯାଉଛନ୍ତି ନୂଆ ଜୀବନସାଥୀ । ସନରାଇଜର୍ସ ହାଇଦ୍ରାବାଦର CEO କାବ୍ୟା ମାରନ ଯାହାଙ୍କୁ ବିବାହ କରିବାକୁ ଯାଉଛନ୍ତି ସେ ହେଉଛନ୍ତି ଭାରତୀୟ ସଂଗୀତ ଜଗତର ପ୍ରସିଦ୍ଧ ସଂଗୀତକାର ଅନିରୁଦ୍ଧ ରବିଚନ୍ଦ୍ର । ଦୁହିଁଙ୍କ ବିବାହ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ପରେ, କାବ୍ୟାମାରନ ଏବଂ ଅନିରୁଦ୍ଧ ରବିଚନ୍ଦ୍ରଙ୍କ ବିବାହ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ବିବାହ ରିସେପ୍ସନ ନଭେମ୍ବର 21 ତାରିଖରେ ଚେନ୍ନାଇରେ ଆୟୋଜିତ ହେବାକୁ ଯାଉଛି । ତଥାପି, ବିବାହ ତାରିଖ ଏବଂ ଉତ୍ସବର ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ଦମ୍ପତି କୌଣସି ସ୍ପଷ୍ଟ ଘୋଷଣା କରିନାହାନ୍ତି ।

ସୂଚନା ଥାଉ କି, କାବ୍ୟା ମାରନ୍ ହେଉଛନ୍ତି ପ୍ରସିଦ୍ଧ ବ୍ୟବସାୟୀ କଳାନିଧି ମାରନଙ୍କ ଝିଅ ଏବଂ ସନରାଇଜର୍ସ ହାଇଦ୍ରାବାଦର CEO। IPL ମ୍ୟାଚ୍ ସମୟରେ ତାଙ୍କ ଉପସ୍ଥିତି ଓ ଲୋକପ୍ରିୟତା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନ୍ୟପଟେ, ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ନାମ ଅନିରୁଦ୍ଧ ରବିଚନ୍ଦର ମଧ୍ୟ ନିଜ ସଙ୍ଗୀତ ପାଇଁ ସାରା ଦେଶରେ ବେଶ ଲୋକପ୍ରିୟ। ‘ୱାଇ ଦିସ୍ କୋଲାଭେରି ଡି’, ‘ଜୱାନ୍’ ଓ ‘ଜେଲର୍’ ଭଳି ପ୍ରୋଜେକ୍ଟ ତାଙ୍କୁ ଏକ ବଡ଼ ପରିଚୟ ଦେଇଛି। ସେ ପରବର୍ତ୍ତୀ ସମୟରେ "କତ୍ଥି," "ମାଷ୍ଟର," "ବିକ୍ରମ", ଏବଂ "ଲିଓ," ଭଳି ଚଳଚ୍ଚିତ୍ର ପାଇଁ ସଙ୍ଗୀତ ରଚନା କରିଥିଲେ। ତାଙ୍କର ସଙ୍ଗୀତ ତାମିଲ ସିନେମା ବ୍ୟତୀତ ତେଲୁଗୁ ଏବଂ ହିନ୍ଦୀ ଉଭୟରେ ଶୁଣିବାକୁ ମିଳିଛି ।

କିନ୍ତୁ ସୋସିଆଲ ମିଡିଆରେ ବର୍ତ୍ତମାନ କାବ୍ୟା ମାରନ୍ ଓ ଅନିରୁଦ୍ଧ ରବିଚନ୍ଦରଙ୍କ ବିବାହ ବ୍ୟତୀତ ଅନେକ କଥାକୁ ନେଇ ଚର୍ଚ୍ଚା ଚାଲିଛି । ଏହି ଖବରର ଆଉ ଏକ ରୋଚକ ଦିଗ ହେଉଛି ସୁପରଷ୍ଟାର ରଜନୀକାନ୍ତଙ୍କ ସହ ଅନିରୁଦ୍ଧଙ୍କ ରହିଛି ପାରିବାରିକ ସମ୍ପର୍କ। ରଜନୀକାନ୍ତଙ୍କ ପତ୍ନୀ ଲତା ରଜନୀକାନ୍ତ ହେଉଛନ୍ତି ଅନିରୁଦ୍ଧଙ୍କ ବାପା ରବି ରାଘବେନ୍ଦ୍ରଙ୍କ ଭଉଣୀ। ଏହି କାରଣରୁ ଅନିରୁଦ୍ଧଙ୍କର ରଜନୀକାନ୍ତଙ୍କ ପରିବାର ସହ ଘନିଷ୍ଠ ସମ୍ପର୍କ ରହିଛି। ଯାହାକୁ ନେଇ ଏହି ଖବର ଏବେ ଆହୁରି ହାଇଲାଇଟରେ ରହିଛି | କାବ୍ୟା ଓ ଅନିରୁଦ୍ଧଙ୍କ ବିବାହକୁ ନେଇ ବର୍ତ୍ତମାନ ସୁଦ୍ଧା ଅଧିକ ତଥ୍ୟ ସାମ୍ନାକୁ ଆସିନାହିଁ । ସମସ୍ତଙ୍କ ନଜର ଏବେ ଦୁହିଁଙ୍କ ବିବାହ ତାରିଖ ଓ ସ୍ଥାନ କେବେ ଫାଇନାଲ ହେଉଛି ରହ ଉପରେ ରହିଛି।