ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ବର୍ଷକରେ ପିଇଗଲେ ୧୬ ଲକ୍ଷ ଲିଟର ବିଦେଶୀ ମଦ । ୨୦୨୫ରୁ ଚଳିତ ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲାରେ ୧୬ ଲକ୍ଷରୁ ଊଦ୍ଧ୍ୱର୍ ଲିଟର ବିଦେଶୀ ମଦ ଓ ୨୭ ଲକ୍ଷରୁ ଅଧିକ ବିୟର କାରବାର ହୋଇଛି । ଜିଲ୍ଲାରେ ବିୟର୍ ଅପେକ୍ଷା ବିଦେଶୀ ମଦର ଚାହିଦା ଅଧିକ ରହିଛି । ଧାର୍ଯ୍ୟ କୋଟାଠାରୁ ଯଥେଷ୍ଟ ଅଧିକ ବିଦେଶୀ ମଦ ସହ ବିୟର ଉଠାଣ କରି ଜିଲ୍ଲାରେ ଏକ ନମ୍ବର ସ୍ଥାନ ଦଖଲ କରିଛି ପାରାଦୀପର ଷଣ୍ଢକୁଦ ନଂ ୨ ଠିପି ବନ୍ଦ ବିଦେଶୀ ମଦ ଦୋକାନ।

ସେହିପରି କୁଜଙ୍ଗ ନଂ ୧ ମଦ ଦୋକାନ ସହ ଜଗତସିଂହପୁର ନଂ ୩(ଡିହସାହି), କୁଜଙ୍ଗ ନଂ ୨, ବିରିଡ଼ି ମଧ୍ୟଶାସନ, ବାଲିତୁଠ ଓ ଜଗତସିଂହପୁର ସହର ସ୍ଥିତ ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ବି ଟାର୍ଗେଟଠାରୁ ଅଧିକ ମଦ ଉଠାଣ ହୋଇଥିବା ଜଣାପଡ଼ିଛି । ତେବେ ଏହା ଭିତରୁ କେତେକ ମଦ ଦୋକାନରେ ବିୟର ଉଠାଣ ପ୍ରକୃତ ଲକ୍ଷ୍ୟ ଛୁଇଁପାରି ନାହିଁ । ବର୍ତ୍ତମାନ ଜିଲ୍ଲାରେ ୨୬ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ କାର୍ଯ୍ୟକାରୀ ରହିଛି । ତେବେ ଅଧିକାଂଶ ମଦ ଦୋକାନରେ ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ବିୟର ଉଠାଣ ନୈରାଶ୍ୟଜନକ ରହିଛି । ଏପଟେ କିନ୍ତୁ ବିଦେଶୀ ମଦ ପ୍ରତି ଲୋକଙ୍କ ଆଗ୍ରହ ବଢିଥିବା ଚଳିତ ବର୍ଷ ମାର୍ଚ୍ଚ ମାସର ତଥ୍ୟରୁ ବାରି ହୋଇଯାଇଛି । ଅପରପକ୍ଷେ ଜିଲ୍ଲାର ବୋଧେଇ ଭଳି ଆଉ କିଛି ସ୍ଥାନରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଉଭୟ ବିଦେଶୀ ମଦ ଓ ବିୟର ଉଠାଣର ଛବି ଧାର୍ଯ୍ୟ କୋଟାଠାରୁ ଯଥେଷ୍ଟ ପଛୁଆ ପଡ଼ିଯାଇଛି ।

ଗତ ମାର୍ଚ୍ଚ ମାସର ସୂଚନା ମୁତାବକ, ଜଗତସିଂହପୁର ନଂ ୧ ଠିପି ବନ୍ଦ ବିଦେଶୀ ମଦ ଦୋକାନର ଏମ୍ଜିକ୍ୟୁ ବା ବିଦେଶୀ ମଦ ଉଠାଣର ଧାର୍ଯ୍ୟ କୋଟା ରହିଥିଲା ୮୭୮୪ ଏଲ୍ପିଏଲ୍(ଲଣ୍ଡନ ପ୍ରୁଫ୍ ଲିଟର) ଓ ବିୟର ଥିଲା ୧୫୩୫୯ ବିଏଲ(ବଲ୍କ ଲିଟର) । ତେବେ ଏହି ମାସ ଭିତରେ ଉକ୍ତ ଦୋକାନ ଦ୍ୱାରା ବିଦେଶୀ ମଦ ୧୬୭୦୩ ଲିଟର ଓ ବିୟର ୧୬୧୯୪ ଲିଟର ଉଠାଣ ହୋଇଥିଲା । ଅର୍ଥାତ ଏଠି ବିୟର ତୁଳନାରେ ବିଦେଶୀ ମଦ ଉଠାଣ ପ୍ରତିଶତ ଧାର୍ଯ୍ୟ କୋଟାଠାରୁ ପାଖାପାଖି ଦୁଇ ଗୁଣା ଅଧିକ । ବାଲିକୁଦା ବାଲିସାହି, ବିରିଡ଼ି ମଧ୍ୟଶାସନ, ଓଡ଼ପଙ୍ଗା, ତିର୍ତ୍ତୋଲ ତେନ୍ତୁଲିପଦା, କୁଜଙ୍ଗ ନଂ ୨, ବାଲିତୁଠ, ଏରସମା ଓ ଭୂତମୁଣ୍ଡାଇ ସ୍ଥିତ ଠିପି ବନ୍ଦ ମଦ ଦୋକାନ କ୍ଷେତ୍ରରେ ଗତ ମାର୍ଚ୍ଚ ମାସର ଧାର୍ଯ୍ୟ ବିଦେଶୀ ମଦ ଉଠାଣ କୋଟା ୨୯୪୦ ଲିଟର ଓ ବିଅର ୫୧୪୧ ଲିଟର ରହିଥିବା ବେଳେ କେତେକ ଦୋକାନୀ କୋଟାଠାରୁ ଅଧିକ ପରିମାଣର ବିଅର ଉଠାଇଥିବା ସ୍ଥଳେ ବିଦେଶୀ ମଦ ଉଠାଣ ହାର ତା’ ତୁଳନାରେ କମ୍ ରହିଥିବା ଜଣାପଡ଼ିଛି । କିନ୍ତୁ ଷଣ୍ଢକୁଦ ନଂ ୨ ଦୋକାନ କ୍ଷେତ୍ରରେ ମାର୍ଚ୍ଚ ମାସର ଧାର୍ଯ୍ୟ କୋଟା ୫୮୮୦(ବିଦେଶୀ ମଦ) ଓ ୧୦୨୮୨ ଲିଟର(ବିଅର) ଅନୁସାରେ ସେତେ ଅଧିକ ପରିମାଣର ମଦ, ବିୟର ଉଠାଣ ହୋଇପାରି ନାହିଁ ।

ମାତ୍ର ୨୦୨୫ ଏପ୍ରିଲରୁ ୨୦୨୬ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ହିସାବକୁ ନେଲେ ଷଣ୍ଢକୁଦ ନଂ ୨ ଦୋକାନଟି ଉଭୟ ବିଅର ଓ ବିଦେଶୀ ମଦ ଉଠାଣ ତଥା ବିକ୍ରିରେ ରେକର୍ଡ କରିଛି । ପାରାଦୀପ ନଂ ୨, ଅଠରବାଙ୍କି, ବେଧେଇ, କଟରା, ଦଶବାଟିଆ, ରଘୁନାଥପୁର, ଗୋଡ଼ା, ଷଣ୍ଢକୁଦ ନଂ ୧, ମାଳହୁଙ୍କା, ଜଗତସିଂହପୁର ନଂ ୨(ଆଳିପିଙ୍ଗଳ), ଜଗତସିଂହପୁର ନଂ ୩(ଡିହସାହି), ନାଉଗାଁ, ପାରାଦୀପ ଉଦୟବଟ, ପାରାଦୀପ ନଂ ୧, କୁଜଙ୍ଗ ନଂ ୧ ଓ ପାରଦୀପ ବାଲିପ୍ଲଟ ସ୍ଥିତି ଠିପି ବନ୍ଦ ବିଦେଶୀ ମଦ ଦୋକାନ ଗୁଡ଼ିକ କ୍ଷେତ୍ରରେ ବି ୨୦୨୫ ଏପ୍ରିଲରୁ ୨୦୨୬ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବିୟର ଉଠାଣ ଧାର୍ଯ୍ୟ କୋଟାଠାରୁ ଉପରକୁ ଡେଇଁ ପାରିନାହିଁ । ଏମାନଙ୍କ ଭିତରୁ ବୋଧେଇ ଭଳି ଆଉ କିଛି ଦୋକାନରେ ମଧ୍ୟ ଏହି ସମୟସୀମା ଭିତରେ ବିଦେଶୀ ମଦ ଉଠାଣର ଧାର୍ଯ୍ୟ କୋଟା ଲକ୍ଷ୍ୟସ୍ଥଳ ଛୁଇଁ ପାରିନାହିଁ ।

ମୋଟାମୋଟି ଯଦି ଦେଖାଯାଏ, ୨୦୨୫ ଏପ୍ରିଲରୁ ଚଳିତ ମାର୍ଚ୍ଚ ମାସ ଭିତରେ ଜିଲ୍ଲାର ଜଗତସିଂହପୁର ନଂ ୧, ବିରିଡ଼ି ମଧ୍ୟଶାସନ, ଓଡ଼ପଙ୍ଗା, କୁଜଙ୍ଗ ନଂ ୨, ବାଲିତୁଠ, ପାରାଦୀପ ନଂ ୨, କଟରା, ମାଳହୁଙ୍କା, ଜଗତସିଂହପୁର ନଂ ୩(ଡିହସାହି) ଓ କୁଜଙ୍ଗ ନଂ ୧ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଗୁଡ଼ିକ ବିଦେଶୀ ମଦ ଉଠାଣର ଧାର୍ଯ୍ୟ ଟାର୍ଗେଟ ଉପରକୁ ଲମ୍ପ ମାରିଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ଅବଶିଷ୍ଟ ଅଧିକାଂଶ ମଦ ଦୋକାନ ଗୁଡ଼ିକ । ବିୟର ଉଠାଣର ହାରକୁ ଦେଖିଲେ ବିରିଡ଼ି ମଧ୍ୟଶାସନ, ଷଣ୍ଢକୁଦ ନଂ ୨, ଅଠରବାଙ୍କି, କଟରାକୁ ଛାଡ଼ିଦେଲେ ଅବଶିଷ୍ଟ ୨୨ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ୨୦୨୫ ଏପ୍ରିଲରୁ ଚଳିତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଫଳାଫଳ ଶୋଚନୀୟ ରହିଛି । ଅର୍ଥାତ ଧାର୍ଯ୍ୟ କୋଟାଠାରୁ ଅଧିକ ନିମ୍ନଗାମୀ ।

also read- ଆକ୍ସନରେ ପ୍ରଶାସନ, ଆଗାମୀ ୭ ଦିନ ପାଇଁ ସମସ୍ତ ଦହିବରା-ଫାଷ୍ଟପୁଡ୍ ଦୋକାନ

ସୂଚନା ଥାଉ କି, ୨୦୨୫ରୁ ଚଳିତ ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲାର ଏହି ୨୬ଟି ଠିପି ବନ୍ଦ ଦୋକାନ ଗୁଡ଼ିକ ସର୍ବମୋଟ ୧୬ ଲକ୍ଷ ୩୬ ହଜାର ୪୧୭ ଲିଟର ବିଦେଶୀ ମଦ ଓ ୨୭ ଲକ୍ଷ ୫୯ ହଜାର ୮୭୭ ଲିଟର ବିୟର ଉଠାଣ କରିଛନ୍ତି । ଏଣେ ବିଦେଶୀ ମଦର ମୋଟ ଧାର୍ଯ୍ୟ ଟାର୍ଗେଟ ରହିଥିଲା ୧୧ ଲକ୍ଷ ୯୯ ହଜାର ୨୦୬ ଲିଟର । ବିୟର ଉଠାଣର ଟାର୍ଗେଟ ପାଖାପାଖି ୨୧ ଲକ୍ଷ ଲିଟର ରହିଥିଲା । ଯଦିଓ ଟାର୍ଗେଟଠାରୁ ଅଧିକ ବିୟର ଜିଲ୍ଲାକୁ ଆସିଛି କିନ୍ତୁ ହାତଗଣତି ମଦ ଦୋକାନୀଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଏକ୍ଷେତ୍ରରେ ପଛୁଆ ପଡ଼ିଯାଇଛନ୍ତି ।