ମୁମ୍ବାଇ : ଦୀପାବଳି ଅବସରରେ ଥିଏଟରକୁ ଆସିଛି ନିତେଶ ତିଓ୍ବାରୀଙ୍କ ଅନେକ ‘ରାମାୟଣ’। ଫିଲ୍ମକୁ ନେଇ ଏକ ମଜାଦାର କାହାଣୀ ଲୋକଲୋଚନକୁ ଆସିଛି । ତେବେ ଫିଲ୍ମରେ ରାମ ଓ ଲକ୍ଷ୍ମଣଙ୍କ ଭୂମିକାରେ ରଣବୀର କପୁର ଏବଂ ରବି ଦୁବେ ପିନ୍ଧିଥିବା କବଚର କାହାଣୀ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଏହି କବଚ ପଛରେ ରହିଛି ଆସାମର କାରିଗରଙ୍କ ଅଦ୍ଭୁତ ହସ୍ତକଳା ଓ ଦୀର୍ଘ ବର୍ଷର ପରିଶ୍ରମ । ତେବେ ଅତି ସୁକ୍ଷ୍ମରେ ତିଆରି ହୋଇଛି ଏହି ସ୍ୱତନ୍ତ୍ର କବଚ | ପାରମ୍ପରିକ ବେତ କାରିଗରୀ ଓ ରବର ମିଶ୍ରଣରେ ପ୍ରସ୍ତୁତ ଏହି କବଚ ନିର୍ମାଣରେ ଦୀର୍ଘ ବର୍ଷ ସମୟ ଲାଗିଥିଲା। ଆସାମର ବାରପେଟ ଜିଲ୍ଲାର କୁଶଳୀ କାରିଗରମାନଙ୍କର ଏକ ଟିମ୍ ଅତି ଯତ୍ନର ସହ ଏଗୁଡ଼ିକୁ ହାତରେ ପ୍ରସ୍ତୁତ କରିଥିଲେ । ଫିଲ୍ମରେ ଏହି ସ୍ୱତନ୍ତ୍ର କବଚ ପରିଧାନର ଦୃଶ୍ୟ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି, ଯେଉଁଥିରେ ରାମ, ଲକ୍ଷ୍ମଣ ଓ ସୀତା ବନବାସ ସମୟରେ ଖର-ଧୂଷଣଙ୍କ ସେନା ସହ ଯୁଦ୍ଧ ଲାଗି ପ୍ରସ୍ତୁତ ହେଉଥିବା ଦେଖାଯାଇଛି।

ତେବେ ଏହି ଆକର୍ଷଣୀୟ କବଚ ପଛରେ ଅଛନ୍ତି ବାରପେଟା ସ୍ଥିତ ଜାନିୟା ବାଙ୍ଗଲିପାରା ଗାଁର ମୁଖ୍ୟ କାରିଗର ଜୟନାଲ ଆବ୍ଦିନ । ୧୫ ଜଣ ସ୍ଥାନୀୟ କାରିଗରଙ୍କ ସହିତ ମିଶି ପ୍ରାୟ ସାଢ଼େ ୩ ବର୍ଷରୁ ଅଧିକ ସମୟ ଲାଗି ସେ ହାରାହାରି ୩୦-୩୫ କବଚ ହାତରେ ପ୍ରସ୍ତୁତ କରିଥିଲେ । ପାରମ୍ପରିକ ବେତ କାମରୁ ଆରମ୍ଭ ହୋଇଥିବା ପ୍ରୋଜେକ୍ଟ ଶେଷରେ ଭିନ୍ନ ଭିନ୍ନ ସାମଗ୍ରୀ ସହିତ ଏକ ପରୀକ୍ଷାରେ ରୂପାନ୍ତରିତ ହେଲା। ଉଦ୍ଦେଶ୍ୟ ଥିଲା, ଏଭଳି କବଚ ପ୍ରସ୍ତୁତ କରିବା ଯାହା ଦେଖିବାକୁ ଆକର୍ଷଣୀୟ ଲାଗିବା ସହ ସୁଟିଂ ବେଳେ କଳାକାରଙ୍କ ପାଇଁ ପିନ୍ଧିବା ଆରାମଦାୟକ ହେବ। ଫିଲ୍ମ ଟିମ୍ ପକ୍ଷରୁ ଆବ୍ଦିନଙ୍କୁ କବଚର ଚିତ୍ର ଓ ଡିଜାଇନ୍ ପଠାଯାଇଥିଲା।

ପ୍ରୋଜେକ୍ଟରେ କାମ କରିବାକୁ ରାଜି ହେବା ପରେ ଫିଲ୍ମର ପ୍ରତିନିଧି ଟିମ୍ ତାଙ୍କ ପାଖରେ ପହଞ୍ଚି କବଚର ମାପ ଓ ଅନ୍ୟ ତଥ୍ୟ ଦେଇଥିଲେ । କିନ୍ତୁ ଡିଜାଇନ୍କୁ ପିନ୍ଧିବାଯୋଗ୍ୟ କବଚରେ ରୂପାନ୍ତର କରି କରିବା ସହଳ ନ ଥିଲା । ଶୁଦ୍ଧ ବେତକୁ କବଚରେ ରୂପାନ୍ତରିତ କରିବା ଓ ତାକୁ ପିନ୍ଧିବାଯୋଗ୍ୟ କରିବା ଖୁବ୍ କଷ୍ଟକର ଥିଲା । ପ୍ରଥମେ ଏହାକୁ ପିନ୍ଧିଲେ, ଅତ୍ୟନ୍ତ କଠିନ ଓ ଅଣନିଃଶ୍ବାସୀ ଲାଗୁଥିଲା । ତା'ପରେ ଫିଲ୍ମ ଟିମ୍ ରବରକୁ ବିକଳ୍ପ ପାଇଁ ପଠାଇଲେ, ଯାହା କବଚକୁ ନମନୀୟ କଲା ।

ତେବେ କାରିଗରଙ୍କ କାମ ଚାଲିଥିବା ବେଳେ ୬ ମାସ ଧରି କୌଣସି ଖବର ଫିଲ୍ମ ଟିମ୍ ପକ୍ଷରୁ ଆସିନଥିଲା । ହଠାତ୍ ସୁଟିଂ ଆରମ୍ଭ ହେବା ପୂର୍ବରୁ ଖୁବ୍ କମ୍ ସମୟରେ ଆଉ ୮-୧୦ କବଚ ପ୍ରସ୍ତୁତି ଅର୍ଡର୍ ଆସିଲା । ମଜାଦାର କଥା ହେଉଛି କାରିଗରମାନେ ପ୍ରଥମେ ଫିଲ୍ମ ବିଷୟରେ କିଛି ଜାଣି ନଥିଲେ । କେବଳ ସେମାନଙ୍କୁ କୁହାଯାଇଥିଲା, ଏକ ଫିଲ୍ମ ପାଇଁ କବଚ ପ୍ରସ୍ତୁତ ହେଉଛି। ଶେଷରେ ସେମାନଙ୍କ କାମକୁ ପରିଚୟ ମିଳିବ । ଏବେ ଫିଲ୍ମ ରିଲିଜ୍ ହେବା ପରେ ସତ ସେମାନେ ଜାଣିବାକୁ ପାଇଲେ।