ଭୁବନେଶ୍ୱର ୩୦।୧୨: ଦେହ, ହାତ କାଲୁଆ କରି ପକାଉଥିଲା। ପଦାକୁ ବାହାରିଲେ ଥରାଇ ଦେଉଥିଲା । ରାଜ୍ୟର ଅଧିକାଂଶ ସ୍ଥାନରେ ଅସମ୍ଭାଳ ଶୀତ ହେଉଥିଲା । ନୂଆବର୍ଷରେ ବି ଶୀତ ଅସହ୍ୟ ହେବ । ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି । ରବିବାର ୧୫ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ୩.୬ ଡିଗ୍ରୀରେ ଥରିଥିଲା ଓଡ଼ିଶା । ସେମିଳିଗୁଡ଼ାରେ ୫.୨, ଫୁଲବାଣୀରେ ୫.୫, ଦାରିଙ୍ଗବାଡ଼ିରେ ୬, କୋରାପୁଟରେ ୬.୪, ଝାରସୁଗୁଡ଼ାରେ ୬.୫, ରାଉରକେଲାରେ ୭, ଅନୁଗୁଳରେ ରାତି ତାପମାତ୍ରା ୮ ଡିଗ୍ରୀ ଥିଲା । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫.୬ ଡିଗ୍ରୀ କମ୍ ରହିଥିଲା । ଝାରସୁଗୁଡ଼ାରେ ସ୍ୱାଭାବିକଠାରୁ ୪.୮, ଫୁଲବାଣୀରେ ୧.୮, କଟକରେ ୧.୫, ଭବାନୀପାଟଣାରେ ୧.୪ ଓ ଗୋପାଳପୁରରେ ସ୍ୱାଭାବିକଠାରୁ ୧ ଡିଗ୍ରୀ କମ୍ ରହିଥିଲା । ଝାରସୁଗୁଡ଼ାରେ ଡିସେମ୍ବର ମାସର ଚତୁର୍ଥ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।

ମଙ୍ଗଳବାର ରାତିରେ ଫୁଲବାଣୀ ଓ କୋରାପୁଟରେ ପାରଦ ୭ ଡିଗ୍ରୀ ରହିବ । ଅନୁଗୁଳ ଓ ରାଉରକେଲାରେ ୮ ଡିଗ୍ରୀ, ନବରଙ୍ଗପୁରରେ ୯ ଡିଗ୍ରୀ, ସୋନପୁର, ବଲାଙ୍ଗିର ଓ ସୁନ୍ଦରଗଡ଼ରେ ୧୦ ଡିଗ୍ରୀ ରହିପାରେ । ନୂଆବର୍ଷ ଦିନ ବା ୧ ତାରିଖରେ ଫୁଲବାଣୀରେ ରାତି ତାପମାତ୍ରା ୮ଡିଗ୍ରୀ, ଅନୁଗୁଳ, ରାଉରକେଲା ଓ କୋରାପୁଟରେ ୯ ଡିଗ୍ରୀ ରହିପାରେ । ନବରଙ୍ଗପୁରରେ ୧୦ ଡିଗ୍ରୀ, ବଲାଙ୍ଗିର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୧୧ ଡିଗ୍ରୀ ରହିପାରେ ।

ବୁଧବାର ସୁନ୍ଦରଗଡ଼, କନ୍ଧମାଳ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କଟକ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଘନରୁ ଅତି ଘନ କୁହୁଡ଼ି ଦେଖା ଦେଇପାରେ । ଉତ୍ତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ମଧ୍ୟମ ଧରଣର କୁହଡ଼ି ରହିବ । ୧ ତାରିଖରେ ସୁନ୍ଦରଗଡ଼, କନ୍ଧମାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀରେ ଅତି କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।