କେନ୍ଦୁଝର,୧୪/୦୮: କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳରେ ଲଗାଣ ବର୍ଷା ଫଳରେ ବିଭିନ୍ନ ଅଞ୍ଚଳରେ ଅବସ୍ଥା ସଙ୍ଗୀନ ହୋଇପଡିଛି। ବୁଧବାର ରାତି ୨ଟା ବେଳୁ ଅନବରତ ବର୍ଷା ଯୋଗୁଁ ସୁନାନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ଭଳି ସ୍ଥିତି ଦେଖା ଦେଇଛି । ଯୋଡାର ତଳି ଅଞ୍ଚଳରେ ପୌରପାଳିକାର ଡ୍ରେନରେ ଜଳ ନିଷ୍କାସନ ହୋଇ ନପାରି ୱାର୍ଡ ନଂ ୩ ହୁଡ଼ିସାହିକୁ ଯାଇଥିବା ରାସ୍ତା ସମ୍ପୂର୍ଣ୍ଣ ବୁଡି ଯାଇଛି।

ସେହିପରି ୫୨୦ ନଂ ଜାତୀୟ ରାଜପଥରେ ଜଳ ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ଜଳ ପ୍ରବାହିତ ହେଉଛି । କିଛି ବ୍ୟକ୍ତିଙ୍କ ଘର ଭାଙ୍ଗି ଯାଇଥିବା ବାବଦରେ ଯୋଡା ବିକାଶ ପରିଷଦ ସଭାପତି ସୂଚନା ଦେଇଛନ୍ତି। ଯୋଡା ସୁନା ନଦୀ ଅବବାହିକରେ ଥିବା ତଳି ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନବରତ ବର୍ଷା ଫଳରେ ସହରାଞ୍ଚଳ ତଥା ଖଣି ଅଞ୍ଚଳର ଜନସାଧାରଣଙ୍କ ସ୍ଥିତି ଅତ୍ୟନ୍ତ ଦୁର୍ବିସହ ହୋଇପଡିଛି। ଏପରିକି ଜାତୀୟ ରାଜପଥରେ ହାଲୁକା ଯାନବାହାନ ବଳାଚଳ ବାଧାପ୍ରାପ୍ତ ହୋଇଛି। ୧୧ ଘଣ୍ଟା ଧରି ଅନବରତ ବର୍ଷା ଯୋଡା,ଯୁରୁତି,ବାମେବାରି,କାଳୀମାଟି,ବିଲେଇପଦା ପ୍ରଭୃତି ଅଞ୍ଚଳର ଜନ ସାଧାରଣଙ୍କ ଜୀବନଯାପନକୁ ଠପ୍ କରି ଦେଇଛି।

ଲଗାଣ ବର୍ଷା ଫଳରେ ଯୋଡ଼ା ଫ୍ରାଏଓଭରର ଜଳ ନିଷ୍କାସନ ପାଇଁ ଥିବା ପାଇପ ଅତ୍ୟନ୍ତ ନିମ୍ନମାନର ହୋଇ ଥିବାରୁ ଫାଟି ଯାଇ ସିଧାସଳଖ ଫ୍ଲାଏଓଭରରୁ ଜଳପ୍ରପାତ ଭଳି ତଳକୁ ପଡ଼ୁଛି। ଲଗାଣ ବର୍ଷା ଏବଂ ଏହି ପରିସ୍ଥିତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ଆଗୁଆ ସୂଚନା ପାଇଥିଲେ ହେଁ ସ୍କୁଲ ଛୁଟି ଘୋଷଣା କରି ନଥିବାରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Also Read :- ଆସୁଛି ବଡ ବନ୍ୟା ! ୨୦ରେ ଆଉ ଏକ ଲଘୁଚାପ, ଫୁଲିବ ମହାନଦୀ

ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ ଏ ନେଇ କହିଛନ୍ତି ଯେ,ନଦୀ କୂଳିଆ ଲୋକଙ୍କୁ ସ୍ଥାନାନ୍ତର କରଯାଇ ସ୍କୁଲରେ ରଖଯାଇଛି ଏବଂ ସେମାନଙ୍କୁ ପୌରପାଳିକା ପକ୍ଷରୁ ଖାଦ୍ୟ ଦିଆଯାଉଛି। ଲୋକଙ୍କ ଘରେ ପାଣି ପଶି ଯାଇ ଥିବାରୁ ତାହାକୁ ମୋଟର ଲଗାଇ ପାଣି ବାହାର କରାଯାଉଛି।

ସୂଚନାଯୋଗ୍ୟ, ଦୁଧବାର ରାତିରୁ ଗୁରୁବାର ଦିନ ୧୨ ଟା ପର୍ଯ୍ୟନ୍ତ ୧୫୦ ମିଲି ମିଟର ଦୃଷ୍ଟିପାତ ହୋଇଛି । ଯୋଡା ବ୍ଲକର କଳୀମାଟି-ହାଣ୍ଡିଭଙ୍ଗାରେ ଲଗାଣ ବର୍ଷା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହେଇଯାଇଛି । ହାଣ୍ଡିଭଙ୍ଗା ଜଳପ୍ରପାତର ଜଳ ଶିବ ମନ୍ଦିର ସମେତ ଅଞ୍ଚଳକୁ ଜଳମଗ୍ନ କରିଦେଇଛି। ଜଳସ୍ତର ଏତେ ପ୍ରଖର ଯେ,ବଡ ବଡ ଭାରୀଯାନ ରାସ୍ତାରେ ଅଟକି ରହିଛି।