ଭୁବନେଶ୍ୱର,୧୪/୦୮: ଏତେବର୍ଷା କେହି ଆକଳନ କରିନଥିଲେ। ଭୟାବହ ପରିସ୍ଥିତି ଉତ୍ତର ଓଡ଼ିଶାରେIଦିନକର ବର୍ଷାରେ ମୟୂରଭଞ୍ଜରେ ମାଡ଼ି ଆସିଛି ବନ୍ୟା। ବାରିପଦା ସହର ଉବୁଟୁବୁ । ଜିଲ୍ଲାର ୨୨ ବ୍ଲକରେ ପାଣି ମାଡ଼ିଯାଇଛି। ବାଲେଶ୍ଵର ବି ଜଳାର୍ଣ୍ଣବ। ରାଉରକେଲା ସହରର ପଶିଯାଇଛି ପାଣି। କେନ୍ଦୁଝର ଆନନ୍ଦପୁରର ଅନେକ ଅଞ୍ଚଳ ଜଳବନ୍ଦୀ। ଜାତୀୟ ରାଜପଥ ଉପରେ ପାଣି ଚାଲିଛି।

ବୈତରଣୀ,ବୁଢ଼ାବଳଙ୍ଗ,ଜଳକା,ସୁବର୍ଣ୍ଣରେଖା,ସାଳନ୍ଦୀ ଉଛୁଳିଛି। ଆନନ୍ଦପୁରରେ ବୈତରଣୀ ବିପଦ ସଙ୍କେତ ଉପରେ। ଜଳସ୍ତର ୩୯.୨୭ମିଟର ଛୁଇଁଛି। ଆଖୁଆପଦାରେ ୧୭.୫୪ ମିଟରରେ ପ୍ରବାହିତ ହେଉଛି ପାଣି। ଖୁକ୍ରବାର ରାତି ସୁଦ୍ଧା ଏଠାରେ ବି ବିପଦ ସଙ୍କେତ ପାର୍ କରିଯାଇପାରେ। ଏନଏଚ-୫ ଗୋବିନ୍ଦପୁ ରଠାରେ ବୁଢ଼ାବଳଙ୍ଗ ୭.୬୦ ମିଟରରେ ପ୍ରବାହିତ ହେଉଛି। ରାତିରେ ବିପଦ ସଙ୍କେତ ଟପିପାରେ। ଜଳକା ବି ଫୁଲିବା ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାରେ ପାଣି ସୁ ସୁ ହୋଇ ମାଡ଼ି ଆସୁଛି।

Also Read :- ଓଡ଼ିଶାର କଳାକ୍ଷେତ୍ରକୁ ବଡ଼ ସମ୍ମାନ: ୩ ଓଡ଼ିଆଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ

ବନ୍ୟା ପରେ ବନ୍ୟା । ଚିନ୍ତା ଏଇଠି ସରିଯାଇନି। ଏବେ ଉତ୍ତର ଓଡ଼ିଶାରେ ତୃତୀୟ ଦଫା ବନ୍ୟା ସ୍ଥିତି ଉପୁଜିଛି। ଏବେ ଗୋଟିଏ ବନ୍ୟା ସ୍ଥିତିରେ ଓଡ଼ିଶା ଯୁଝୁ ଥିବାବେଳେ ଆଗକୁ ପୁଣି ଏକ ବନ୍ୟା ଆଶଙ୍କା ଡରାଇଲାଣି। ବିଶେଷଜ୍ଞଙ୍କ ଆକଳନ- ୨୦ ତାରିଖବେଳକୁ ପୁଣି ଗୋଟିଏ ଲଘୁଚାପ ଆସିପରେ। ଆହୁରି ବଡ଼ ଅଧିକ ବର୍ଷା ଅଜାଡ଼ିବ । ଆଗାମୀ ଲଘୁଚାପ ବର୍ଷା ପ୍ରଭାବରେ ମହାନଦୀ ଫୁଲିବା ସହ ଉପକୂଳ ଓଡ଼ିଶା ପାଇଁ ବନ୍ୟା ସ୍ଥିତି ଅଣିପାରେ।

ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷିଛି। ବାରିପଦାରେ ୨୧୫.୨ ମିଲିମିଟର,ବାଲେଶ୍ବରରେ ୧୬୯.୪ ମିମି ଓ ରାଉରକେଲାରେ ୯୬.୮ ମିମି ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶିମିଳିପାଳ ପର୍ବତମାଳାରେ ପ୍ରବଳ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଛି। ବାଙ୍ଗିରିପୋଷି ସମେତ ବିଭିନ୍ନ ସ୍ଥାନରେ ବୁଢ଼ାବଳଙ୍ଗ କରାଳ ରୂପ ଦେଖାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ମଧୁବନ ବଗିଚା ସାହି ସମେତ ତଳି ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବୁଢ଼ାବଳଙ୍ଗ ନଦୀ ସମେତ ଜିଲ୍ଲାର ଛୋଟ ବଡ଼ ପ୍ରାୟ ସବୁ ନଦୀ ନାଳରେ ବନ୍ୟା ସ୍ଥିତି । ୨୨ଟି ବ୍ଳକର ୨୮ଟି ପଞ୍ଚାୟତ ଓ ବାରିପଦା ପୌରପାଳିକାର ୬ଟି ୱାର୍ଡବାସୀ ବନ୍ୟାରେ ପ୍ରଭାବିତ। ୧୭୩୫ ଜଣ ବର୍ଷାରେ ପ୍ରଭାବିତ ହୋଇଛନ୍ତି। ଲଗାଣ ବର୍ଷାରେ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି।

ବାଲେଶ୍ବର ଜିଲ୍ଲା ସହିତ ମୟୂରଭଞ୍ଜ,ପଡ଼ୋଶୀ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା,ବୁଢ଼ାବଳଙ୍ଗ,ଜଳକା ନଦୀର ଜଳସ୍ତର ବଢ଼ିଛି । ବସ୍ତାର ବାହାର୍ଭା ଚଗଣରେ ୪ ଫୁଟ୍ ପାଣି ଚାଲିଛି। ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ବାହାନଗା ବ୍ଲକରେ ପାଖାପାଖି ୨୦୦୦ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ଵର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ସହଦେବଖୁଣ୍ଟା ରାସ୍ତା ନୂଆସାହି ଛକରେ ପାଣି ଜମିବା ଯୋଗୁ ରେମୁଣାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ପ୍ରବଳ ବର୍ଷାରେ ରାଉରକେଲାର ବିଭିନ୍ନ ସ୍ଥାନରେ ପାଣି ଜମିଥିଲା। ରିଙ୍ଗରୋଡ୍ ଠାରୁ ମେନ୍ ରୋଡ୍,ବିମାନବନ୍ଦର ରୋଡ୍ ଓ ବିଭିନ୍ନ ସେକ୍ଟର ଅଞ୍ଚଳ ରାସ୍ତାରେ ପାଣି ଲହଡ଼ି ମାରିଥିଲା। ରାଉରକେଲା ରେଳ ଷ୍ଟେସନ ମଧୁସୂଦନ ଛକରୁ ଡେଲି ମାର୍କେଟ୍ ଯାଇଥିବା ସହରର ମୁଖ୍ୟ ରାସ୍ତା ସହିତ ଅନେକ ଅମ୍ପୂର୍ଣ ବୁଡ଼ି ଯାଇଥିଲା।

ଆଗକୁ ବଡ଼ ବର୍ଷା

ପଶ୍ଚିମବଙ୍ଗ ଉପକୂଳ ଉପରେ ଥିବା ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ- ଝାଡ଼ଖଣ୍ଡ ଆଡ଼କୁ ମୁହାଁଉଛି। ଏହା ଆସନ୍ତା ୨୪ ଘଣ୍ଟା ପରେ କ୍ରମଶଃ ଦୁର୍ବଳ ହୋଇପାରେ। ପାଣିପାଗ ବିଭାଗ ଅନୁସାରେ ୧୪ ତାରିଖ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବର୍ଷା ଅଧିକହୋଇପାରେ।

ବାଲେଶ୍ବର,ଦେବଗଡ଼,ଅନୁଗୋଳ,କେନ୍ଦୁଝର,ମୟୂରଭଞ୍ଜ,ସୁବର୍ଣ୍ଣପୁର,ବୌଦ୍ଧ,ନୂଆପଡ଼ା,ବଲାଙ୍ଗୀରରେ ପ୍ରବଳ ବର୍ଷା ହୋଇପାରେ। କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ୧୫ରୁ ବର୍ଷା ପ୍ରକୋପ କ୍ରମଶଃ କମିବ। ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୧୬ରୁ ୧୯ ଯାଏଁ ବିସ୍ତୃତ ଅଞ୍ଚଳରେ ବର୍ଷା ହେବନି। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ଶୁକ୍ରବାର ସକାଳ ସୁଦ୍ଧା ସୁନ୍ଦରଗଡ଼,କେନ୍ଦୁଝରରେ ସକାଳ ସୁଦ୍ଧା ଅତ୍ୟନ୍ତ ପ୍ରବଳ ବୃଷ୍ଟିପାତ ଆଶଙ୍କା ରହିଛି। ଏହାବାଦ୍ ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ସଂଲଗ୍ନ କେନ୍ଦ୍ରୀୟ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି,ବୁଢ଼ାବଳଙ୍ଗ,ଜଳକା ଓ ବୈତରଣୀ ନଦୀ ଅବବାହିକାରେ ଆସନ୍ତା ୧୫-୧୬ ତାରିଖ ପର୍ଯ୍ୟନ୍ତ ବନ୍ୟା ଆଶଙ୍କା ଅଧିକ ରହିଛି। ଶିମିଳିପାଳ ପାହାଡ଼ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେଲେ ମାଟି ଧସିବା ସହ ହଠାତ୍ ବନ୍ୟାର ଆଶଙ୍କା ବଢ଼ିଥାଏ।

ଆସନ୍ତା ୧୪ରୁ ୧୬ ତାରିଖ ମଧ୍ୟରେ ଛତିଶଗଡ଼ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେଲେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ ବଢ଼ିପାରେ। ବର୍ତ୍ତମାନ ମହାନଦୀ ତଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ନାହିଁ। ହେଲେ ବର୍ତ୍ତମାନର ବର୍ଷା ସହ ଆସନ୍ତା ୨୦ ତାରିଖବେଳର ସମ୍ଭାବ୍ୟ ନୂଆ ଲଘୁଚାପ ବର୍ଷା ମିଶିଲେ ହୀରାକୁଦ ଜଳଭଣ୍ଡାର ପରିଚାଳନା ଉପରେ ଚାପ ବଢ଼ିପାରେ। ବାଲେଶ୍ଵର,ଭଦ୍ରକ,ଯାଜପୁର ଏବଂ ମହାନଦୀ ଡେଗ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ହୋଇପାରେ। ବିଭିନ୍ନ ମଡେଲ ଅନୁସାରେ ୧୯-୨୦ ତାରିଖବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଅଛି। ଏହା ପ୍ରଭାବରେ କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାରେ ପୁଣି ବ୍ୟାପକ ବର୍ଷା ହୋଇପାରେ। ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁ କହିଛନ୍ତି,ଶୁକ୍ରବାରଠାରୁ ବର୍ଷା ପ୍ରକୋପ କମିବ। ହେଲେ ୧୯-୨୦ରୁ ପୁଣି ବର୍ଷା ପ୍ରକୋପ ବଢ଼ିବ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ।