ୱାସିଂଟନ: କାଲିଫର୍ଣ୍ଣିୟାରେ ସ୍କାଏ ଡାଇଭିଂ ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଦୁଇ ସ୍କାଏଡାଇଭର ଆକାଶରେ ପରସ୍ପର ସହ ଧକ୍କା ଲାଗିବା ଯୋଗୁ ତଳକୁ ଖସି ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣା ଶୁକ୍ରବାର ହୋଇଛି। ଦୁର୍ଘଟଣାର ଶିକାର ହୋଇଥିବା ସ୍କାଏଡାଇଭର ଦ୍ୱୟ ବେଶ୍ ଅଭିଜ୍ଞ ଓ ସେମାନଙ୍କ ପାଖରେ ଲାଇସେନ୍ସ ମଧ୍ୟ ଥିଲା। ସେମାନେ ସ୍କାଏଡାଇଭ ଏଲସିନୋର ସହିତ ସମ୍ପର୍କିତ। ରିଭରସାଇଡ କାଉଣ୍ଟି ଦମକଳ ବିଭାଗ ସୂଚନା ଅନୁସାରେ ଆକାଶରୁ ଖସି ଦୁଇ ସ୍କାଏଡାଇଭର ଗୁରୁତର ଆହତ ହୋଇଥିଲେ ଓ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେମାନଙ୍କ ମୃତ୍ୟୁ ହୋଇଛି।

ସ୍କାଏଡାଇଭ ସଂସ୍ଥା ଏଲସିନୋର ଅନୁସାରେ ଡାଇଭ କାଳରେ ଫ୍ରି ଫଲ ଓ ପରେ ପାରାଚୁଟ ଖୋଲିବା ପ୍ରକ୍ରିୟା ସବୁ ସ୍ୱଭାବିକ ଥିଲା। ତେବେ ସେମାନେ ତଳକୁ ଓହ୍ଲାଇବାକୁ ଚେଷ୍ଟା କରିବା କାଳରେ ମାଟିରୁ ୧୫୦ ଫୁଟ ଉପରେ ପରସ୍ପର ସହ ଧକ୍କା ହୋଇଯାଇଥିଲେ। ଏହି ଧକ୍କା ଲାଗିବା କାରଣରୁ ସେମାନଙ୍କ ପାରାଚୁଟ୍ ପରସ୍ପର ସହ ଛନ୍ଦି ହୋଇଯାଇଥିଲା। ଏଣୁ ସେମାନେ ଆଉ ଆକାଶରେ ଅଧିକ ସମୟ ରହି ପାରିନଥିଲେ ସିଧା ତଳକୁ ଖସିଥିଲେ। ତଳେ ପଡି ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା ଓ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଛି।