ଭଦ୍ରକ ୮।୮: ଭଦ୍ରକ ଜିଲ୍ଲା ବୈତରଣୀ ନଦୀରେ ସ୍ଥିତି ସୁଧୁରି ନଥିବା ବେଳେ ସାଳନ୍ଦୀ ଓ ଏହାର ଶାଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଭଦ୍ରକ ପୌରପାଳିକା ସହ କେତେକ ପଞ୍ଚାୟତ ଓ ତିହିଡି ବ୍ଲକରେ ବନ୍ୟା ସୃଷ୍ଟି ହୋଇଛି । ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ଅନେକ ପୁରୁଣା ଘାଇରେ ପାଣି ପ୍ରବେଶ କରୁଛି । ସେପଟେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ବାରୋ ପଞ୍ଚାୟତ ବାରୋଡିହ ଗ୍ରାମର କୁଆ ମାହାରା ନିକଟରେ ସାଳନ୍ଦୀ ନଦୀରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି ।

ଏଭଳି ସ୍ଥିତିକୁ ଆହୁରି ଗମ୍ଭୀର କରିପାରେ ଅବିଶ୍ରାନ୍ତ ବର୍ଷା । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । ପ୍ରାୟତଃ ମଧ୍ୟମ ଧରଣର ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳ ବର୍ଷା ବି ହୋଇପାରେ ବୋଲି ଶରତ ସାହୁ ଆକଳନ କରିଛନ୍ତି ।

Also Read:- ଏଣିକି ଜଣିକିଆ ଶିକ୍ଷକରେ ଚାଲିବନି ସ୍କୁଲ, ନିଯୁକ୍ତ ହେବେ ନୂଆ ଶିକ୍ଷକ

ଅନ୍ୟପଟେ, ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଖ ବାଂଲାଦେଶ ଉପରେ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେଉଛି । ଶନିବାରକୁ ଲଘୁଚାପ ରୂପ ନେଇ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ରହିବ । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ମୌସୁମୀ ଟ୍ରଫ୍ ସହ ସମାନ୍ତରାଳ ଭାବେ ଗାଙ୍ଗେୟ ପଶ୍ଚିମବଙ୍ଗ, ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ।