ଭୁବନେଶ୍ବର ୮।୧୦: ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଚରଣ ବିଧି ଲାଗୁ ହୋଇଛି । ଶୁକ୍ରବାର ନାମାଙ୍କନ ଭରିବେ ପ୍ରାର୍ଥୀ । ଗୁରୁବାର ଓଡ଼ିଶା ବନ୍ଦ ସତ୍ତ୍ବେ ଫିକା ପଡ଼ିନି କଲେଜ କ୍ୟାମ୍ପସ୍ କ୍ୟାମ୍ପେନ୍ । ଯେହେତୁ ଶୁକ୍ରବାର ନାମାଙ୍କନ ଦାଖଲ, ତେଣୁ ପ୍ରଚାରକୁ ଜୋରଦାର କରିଛନ୍ତି ଆଶାୟୀ । ସେପଟେ ମହର୍ଷି କଲେଜରେ ଲାଗିଲା ପ୍ରଥମ ପୋଷ୍ଟର । ମହର୍ଷି କଲେଜ ଅଫ୍ ନାଚୁରାଲ ଲ' କଲେଜ କ୍ୟାମ୍ପସରେ ABVP ପକ୍ଷରୁ ବିଶାଳ ପୋଷ୍ଟର ଲାଗି ସାରିଛି ।

ରାଜ୍ୟରେ ୧୭ଟି ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟରୁ ୧୩ରେ ଛାତ୍ର ସଂସଦ ନିର୍ବାଚନ କରାଯିବ । ୩ଟି ବିଶ୍ବବିଦ୍ୟାଳୟ ଯଥା, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵ ବିଦ୍ୟାଳୟ, ଓଡ଼ିଆ ବିଶ୍ଵବିଦ୍ୟାଳୟ ଓ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟରେ ନିର୍ବାଚନ ବଦଳରେ ସିଲେକ୍ସନ କରାଯିବ । ବାକି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ କେବଳ ଦୂର ନିରନ୍ତର ପାଠ୍ୟକ୍ରମ ଚାଲୁଥିବାରୁ ସେଠାରେ ଆଦୌ ନିର୍ବାଚନ କି ସିଲେକ୍ସନ ହେବ ନାହିଁ ।

Also Read:- ଓଡ଼ିଶା ବନ୍ଦ ବେଳେ ହିଞ୍ଜିଳିକାଟୁରେ ଉତ୍ତେଜନା, କଂଗ୍ରେସ ନେତାଙ୍କୁ ଉଠାଇନେଲା ପୋଲିସ

ସେହିପରି ରାଜ୍ୟର ୩୨୮ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ କରାଯିବ । ବାକି ୨୦୨ଟି କଲେଜରେ ନିର୍ବାଚନ ବଦଳରେ ଛାତ୍ରନେତା ଚୟନ କରାଯିବ । ଶୁକ୍ରବାର ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଆଗ୍ରହୀ ପ୍ରାର୍ଥୀମାନେ ନୋମିନେସନ୍ ଦାଖଲ କରିପାରିବେ । ଅକ୍ଟୋବର ୧୦ ତାରିଖ ଅପରାହ୍ନ ୩ଟାରେ ଉଚ୍ଚଶିକ୍ଷା ଅନୁଷ୍ଠାନ ତରଫରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ । ଅକ୍ଟୋବର ୧୪ ତାରିଖରେ 'What I Stand For' ମିଟିଂ ଅନୁଷ୍ଠିତ ହେବ । ଅକ୍ଟୋବର ୧୫ ତାରିଖରେ ଭୋଟିଂ ଓ ଫଳାଫଳ ଘୋଷଣା କରାଯିବ । ଅକ୍ଟୋବର ୧୬ ତାରିଖ ଦିନ ବିଜୟୀ ଛାତ୍ରନେତାଙ୍କ ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Watch Video: