ଭୁବନେଶ୍ୱର ୧୦।୦୧ : ଜଳିଗଲା ଆମ ବସ୍ । ବିଚ୍ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଆମ ବସ୍ । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟୁଡିଓ ଛକରେ ଆମ ବସ୍ରେ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଛି । କୌଣସି ଯାତ୍ରୀ ମୃତାହତ ହୋଇନଥିବାର ସୂଚନା ମିଳିଛି ।

ଶନିବାର ସକାଳ ସମୟ । ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା ଆମ ବସ୍‌ । ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ହଠାତ୍‌ ଆମ ବସ୍‌ରେ ନିଆଁ ଲାଗିଗଲା । ଯାହାଫଳରେ ଗାଡ଼ି ଡ୍ରାଇଭର ଜଣଙ୍କ ରାସ୍ତାକଡ଼କୁ ଛିଡ଼ା କରିଦେଇଥିଲେ । ଏହାପରେ ଗାଡ଼ିରେ ଥିବା ଯାତ୍ରୀଙ୍କୁ ତଳକୁ ଓହ୍ଲାଇ ଦେଇଥିଲେ । ହେଲେ ସେତେବେଳେକୁ ବହୁ ବିଳମ୍ବ ହୋଇସାରିଥିଲା । ପୁରା ନିଆଁର ପ୍ରକୋପ ଆସିଯାଇଥିଲା ଆମ ବସ୍‌ । ଦେଖୁ ଦେଖୁ ବସ୍‌ଟି ହୁତୁ ହୁତୁ ହୋଇ ଜଳିଥିଲା । ଏହାପରେ ତୁରନ୍ତ ନିକଟସ୍ଥ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରିଥିଲା । ଶେଷରେ ଦୀର୍ଘ ସମୟରେ ଅକ୍ଲାନ୍ତ ପରିଶ୍ରମ ପରେ ପୁରା ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ  । କିନ୍ତୁ ସେତେବେଳେକୁ ବସ୍‌ଟି ପୁରା ଜଳିପୋଡ଼ି ପାଉଁଶ ହୋଇଯାଇଛି ।

 

ଅନ୍ୟପଟେ ଏତେ ବଡ଼ ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ବାକି ସର୍ଟ ସର୍କିଟରୁ ବସ୍‌ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀ ଓ ପୋଲିସ ବିଭାଗର ତଦନ୍ତ ପରେ ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।