ମୁମ୍ୱାଇ ୨୨। ୦୮: ମହାରାଷ୍ଟ୍ରରେ FDA ପକ୍ଷରୁ ବଡ଼ ଆକ୍ସନ । ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟବ୍ୟାପୀ ଅଗଷ୍ଟ ୧୯ ଏବଂ ୨୦ ତାରିଖରେ ଚାଲିଥିବା ଏକ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ଦୁଗ୍ଧଜାତ ଦ୍ରବ୍ୟ, ରେଷ୍ଟୁରାଣ୍ଟର ରୋଷେଇ ଘର ଏବଂ ପ୍ରତିବନ୍ଧିତ ଗୁଟ୍କା-ପାନ ମସଲାର ବ୍ୟାପକ ଯାଞ୍ଚ କରାଯାଇଥିଲା । ଏହି ସମୟରେ ମୁମ୍ବାଇର ପ୍ରସିଦ୍ଧ ଅଞ୍ଚଳରେ ଥିବା ମ୍ୟାକଡୋନାଲ୍ଡ୍ସ ସମେତ ଅନେକ ନାମୀଦାମୀ କ୍ଲବ୍ ଏବଂ ରେଷ୍ଟୁରାଣ୍ଟରେ ସଫାସୁତରା ଓ ଖାଦ୍ୟ ସୁରକ୍ଷା ନିୟମର ସାଂଘାତିକ ଉଲ୍ଲଂଘନ ଦେଖିବାକୁ ମିଳିଥିଲା, ଯାହା ପରେ ସେମାନଙ୍କର FSSAI ଲାଇସେନ୍ସ ତତ୍କାଳ ପ୍ରଭାବରୁ ସସ୍ପେଣ୍ଡ କରାଯାଇଛି ।

ମୁମ୍ବାଇର କୋଲାବା ସ୍ଥିତ ମ୍ୟାକଡୋନ (ମେଟ୍ରୋ ହାଉସ୍)ର ପୁନଃ ଯାଞ୍ଚ ସମୟରେ ୨୦ଟି ଭିତରୁ ୧୮ଟି ତ୍ରୁଟି ଅପରିବର୍ତ୍ତିତ ରହିଥିବା ଜଣାପଡ଼ିଥିଲା । ରୋଷେଇ ଘରେ ଜିଅନ୍ତା କକ୍ରୋଚ୍, ହାତ ନ ଧୋଇ ଖାଦ୍ୟ ଛୁଇଁବା ଏବଂ ଅସଲି ପନିର ବଦଳରେ ଆନାଲଗ୍ ସସ୍ ବ୍ୟବହାର ହେଉଥିବା ଜଣାପଡ଼ିଥିଲା । ସେହିପରି ବମ୍ବେ ପ୍ରେସିଡେନ୍ସି ରେଡିଓ କ୍ଲବ୍ ଏବଂ ଖାର ଜିମଖାନାରେ ମଧ୍ୟ ହାଇଜିନ୍ ନିୟମର ବ୍ୟାପକ ଅବହେଳା ଦେଖିବାକୁ ମିଳିଛି । ଛତ୍ରପତି ସମ୍ଭାଜିନଗରର କ୍ରାନ୍ତି ଚୌକ ସ୍ଥିତ ଗାୟତ୍ରୀ ମେୱାଡ ପ୍ରାଇଭେଟ୍ ଲିମିଟେଡ୍ ହୋଟେଲରେ ଚଢ଼ଉ ସମୟର ଦୃଶ୍ୟ ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କଡ଼ାଏରେ ବାରମ୍ବାର ବ୍ୟବହାର ଯୋଗୁଁ ସମ୍ପୂର୍ଣ୍ଣ କଳା ପଡ଼ିଯାଇଥିବା ତେଲ ମିଳିଥିଲା ।

ପନିର ପଚା ଗନ୍ଧ କରୁଥିବାବେଳେ ସେଥିରେ କୌଣସି ଏକ୍ସପାୟାରୀ ଡେଟ୍ ନଥିଲା । ଟଏଲେଟ୍ ପାଖରେ ମାଙ୍କଡ଼ାଜାଲ ଭିତରେ ପନିପରିବା କଟାଯାଉଥିଲା ଏବଂ ଅଳିଆ ଆବର୍ଜନା ପାଖରେ ଖାଦ୍ୟ ସାମଗ୍ରୀ ରଖାଯାଇଥିଲା । ଖାଦ୍ୟ ପଦାର୍ଥରେ ମିଶ୍ରଣ ସହିତ ପ୍ରତିବନ୍ଧିତ ଗୁଟ୍କା ଏବଂ ପାନ ମସଲାରେ ଅବୈଧ କାରବାର ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି । ମୁମ୍ବାଇର ୩ଟି ଦୋକାନକୁ ସିଲ୍ କରାଯାଇଥିବାବେଳେ ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଚଢ଼ଉ ସମୟରେ ପ୍ରାୟ ୧.୯୫ ଲକ୍ଷ ଟଙ୍କାର ପ୍ରତିବନ୍ଧିତ ଗୁଟକା ଓ ପାନ ମସଲା ଜବତ କରାଯାଇଛି । ଲୋକଙ୍କ ସ୍ୱାସ୍ଥ୍ୟ ସହ ଏପରି ଖେଳୁଥିବା ଅନୁଷ୍ଠାନଗୁଡ଼ିକ ବିରୋଧରେ FDAର ଏହି କଡ଼ା ପଦକ୍ଷେପ ସହରର ଅନ୍ୟ ଖାଦ୍ୟ ବ୍ୟବସାୟୀଙ୍କ ମଧ୍ୟରେ କୋଳାହଳ ସୃଷ୍ଟି କରିଛି ।