ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥାର ପ୍ରଭାବ ଫ୍ୟାଶନ ଜଗତକୁ ମଧ୍ୟ ପ୍ରଭାବିତ କରିଛି।ଚଳିତ ବର୍ଷ ଫ୍ୟାଶନ୍ ରିଟେଲର୍ମାନେ ନିଜର ବିକ୍ରି ବଢ଼ାଇବା ପାଇଁ ସମୟ ପୂର୍ବରୁ ହିଁ ବଡ଼ ରିହାତି ବା 'ଡିସକାଉଣ୍ଟ'ର ସାହାରା ନେଉଛନ୍ତି। ସାଧାରଣତଃ ଯେଉଁ 'ମିଡ୍-ସିଜନ୍ ସେଲ୍' ଜୁଲାଇ ମାସରେ ଆରମ୍ଭ ହୋଇଥାଏ, ତାହା ଏଥର ଜୁନ୍ ମାସର ପ୍ରଥମ ସପ୍ତାହରୁ ହିଁ ଆରମ୍ଭ ହୋଇଯାଇଛି। କିନ୍ତୁ କାହିଁକି ଏଭଳି ପଦକ୍ଷେପ ନେଉଛନ୍ତି ବ୍ରାଣ୍ଡ୍ମାନେ? ଆସନ୍ତୁ ଜାଣିବା।

ଯୁଦ୍ଧ, ଭୌଗଳିକ ଅସ୍ଥିରତା ଓ ପରିବହନ ବାଧାପ୍ରାପ୍ତ ହେବା ଭଳି ଘଟଣା ସାରା ବିଶ୍ୱକୁ ପ୍ରଭାବିତ କରିଛି। ଏଥିରେ ଭାରତ ଅଧିକ ପେଷି ହୋଇଯାଇଛି। ରୋଜଗାର କମିଛି, ଛଟେଇ ବଢ଼ିଛି। ତେଣୁ ଲୋକେ ବର୍ତ୍ତମାନ ଖର୍ଚ୍ଚ ପ୍ରତି ସତର୍କତା ଅବଲମ୍ବନ କରୁଛନ୍ତି। ଏଥିରେ ଫ୍ୟାସନ ସେକ୍ଟର ବି ପ୍ରଭାବିତ ହୋଇଛି। ଶିଳ୍ପ ତଥ୍ୟ ଅନୁଯାୟୀ, ଗତ ଦୁଇ ମାସ ମଧ୍ୟରେ ଫ୍ୟାଶନ୍ ସେକ୍ଟରର ବିକ୍ରି ପ୍ରାୟ ୩୦% କମିଯାଇଛି। ପେଟ୍ରୋଲ, ଡିଜେଲ, ସିଏନ୍ଜି, ଏଲ୍ପିଜି ଏବଂ ଦୈନନ୍ଦିନ ଜରୁରୀ ସାମଗ୍ରୀର ଦର ବୃଦ୍ଧି ଯୋଗୁ ଉପଭୋକ୍ତାମାନେ ନିଜ ଘରୋଇ ବଜେଟ୍ ସନ୍ତୁଳିତ କରିବା ପାଇଁ କପଡ଼ା ଏବଂ ଲାଇଫଷ୍ଟାଇଲ୍ ପ୍ରଡକ୍ଟ୍ସ ଉପରେ ଖର୍ଚ୍ଚ କମାଇ ଦେଇଛନ୍ତି।

ଗ୍ରାହକଙ୍କ କ୍ରୟ କ୍ଷମତା କମିଥିବାରୁ ଏବେ ବଡ଼ ବଡ଼ ଫ୍ୟାଶନ ବ୍ରାଣ୍ଡଗୁଡ଼ିକ ନିଜର ବିକ୍ରି ବୃଦ୍ଧି ପାଇଁ ଅଭୂତପୂର୍ବ ରିହାତି ବା 'ଡିସକାଉଣ୍ଟ'ର ସାହାରା ନେଉଛନ୍ତି। ରିପୋର୍ଟ ମୁତାବକ, ଷ୍ଟକ କ୍ଲିୟରାନ୍ସ ଏବଂ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ରାଣ୍ଡଗୁଡ଼ିକ ୫୦% ରୁ ୭୦% ପର୍ଯ୍ୟନ୍ତ ରିହାତି ଦେଉଛନ୍ତି। ଏହି ମାନ୍ଦାବସ୍ଥା କେବଳ ଛୋଟ ଦୋକାନ ନୁହେଁ, ବରଂ ପ୍ରିମିୟମ ଏବଂ ଲଗ୍ଜରୀ ବ୍ରାଣ୍ଡଗୁଡ଼ିକୁ ମଧ୍ୟ ନିଜର ମୂଲ୍ୟ ନୀତି ପରିବର୍ତ୍ତନ କରିବାକୁ ବାଧ୍ୟ କରିଛି। ଅନ୍ଲାଇନ ପ୍ଲାଟ୍ଫର୍ମଗୁଡ଼ିକରେ ଏକାଧିକ ବ୍ରାଣ୍ଡ୍ ବଛା ବଛା ପ୍ରଡକ୍ଟ୍ସ ଉପରେ ୪୦% ପର୍ଯ୍ୟନ୍ତ ରିହାତି ଦେଉଛନ୍ତି। ବିଶେଷଜ୍ଞଙ୍କ ମତରେ, ରିଟେଲର୍ମାନେ ଏବେ ପାରମ୍ପରିକ 'ଏଣ୍ଡ-ଅଫ୍-ସିଜନ୍ ସେଲ୍'କୁ ଅପେକ୍ଷା ନକରି, ମଝି ସିଜନ୍ରେ ହିଁ ଇନ୍ଭେଣ୍ଟ୍ରି ବା ଷ୍ଟକ୍ ଖାଲି କରିବାକୁ ରଣନୀତି ଆପଣାଉଛନ୍ତି।

ପୂର୍ବରୁ ଯେଉଁ 'ଏଣ୍ଡ-ଅଫ୍-ସିଜନ୍ ସେଲ୍' ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲୁଥିଲା, ତାହା ଏବେ ବିକ୍ରି ବଢ଼ାଇବା ଲକ୍ଷ୍ୟରେ ଜୁନ୍ ଆରମ୍ଭରୁ ହିଁ ଆରମ୍ଭ ହୋଇଯାଇଛି। ତେବେ କମ୍ପାନୀଗୁଡ଼ିକରେ ଏହି ପଦକ୍ଷେପ କେତେ ସଫଳ ହେବ ତାହା ଦେଖିବା ବାକି ରହିଲା।