ଚାନ୍ଦବାଲି ୨୦।୩: ମଣ୍ଡି ଅବ୍ୟବସ୍ଥା । ମଣ୍ଡିରୁ ଉଠୁନି ଧାନ । ରାସ୍ତାରେ ଧାନବସ୍ତା ରଖି ପ୍ରତିବାଦ କରିଛନ୍ତି ସେବା ସମବାୟ ସମିତିର ଚାଷୀ । ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ମଣ୍ଡିରୁ ଧାନ ଉଠା ନହେବାକୁ କେନ୍ଦ୍ରକରି ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦ କରିଛନ୍ତି ଚାଷୀ । ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଚାରିତରଫ ନିକଟରେ ଚାଷୀ ମାନେ ଧାନ ବସ୍ତା ରାସ୍ତା ମଝିରେ ରଖି ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଦୀର୍ଘ ସମୟ ଧରି ଯାତାୟାତ ଠପ୍ ହୋଇପଡିଛି । ରାସ୍ତାର ଦୁଇ ପଟେ ଗାଡି ଲମ୍ବା ଲାଇନ୍ ଲାଗି ରହିଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗଦି ଚାରିତରଫ ସେବା ସମବାୟ ସମିତି ମାଧ୍ୟମରେ ଚାଷୀ ମାନେ ମଣ୍ଡିକୁ ଧାନ ଆଣିଥିଲେ । କିନ୍ତୁ କିଛି ଦିନ ଧରି ଧାନ ଉଠା ହେଉନଥିବାରୁ ଚାଷୀ ମାନେ ଭାରି ସମସ୍ୟାରେ ପଡ଼ିଛନ୍ତି । ବର୍ଷା ଓ ଖୋଲା ଆକାଶ ତଳେ ଧାନ ବସ୍ତା ପଡ଼ି ରହିବାରୁ ଧାନ ନଷ୍ଟ ହେବାର ଆଶଙ୍କା ବଢ଼ିଛି । ଚାଷୀ ମାନଙ୍କ ଅଭିଯୋଗ ଅନୁସାରେ, ଟୋକନ ମିଳିଥିଲେ ମଧ୍ୟ ସମୟରେ ଧାନ ବିକ୍ରି କରିପାରୁନଥିବାରୁ ସେମାନେ ଆର୍ଥିକ ଚାପରେ ପଡ଼ିଛନ୍ତି ।

Also Read:- Market Complex Fire: ମହାବୀର କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ : ନିଆଁ ଲିଭାଇବାକୁ ୪ ଦମକଳ ଗାଡ଼ି ନିୟୋଜିତ

ପ୍ରଶାସନ ଓ ସମବାୟ ସମିତି ପକ୍ଷରୁ ଯଥାଚିତ ବ୍ୟବସ୍ଥା ନ ହେବାରୁ ଏହି ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି । ଅବରୋଧ ସମୟରେ ଚାନ୍ଦବାଲି ତହସିଲଦାରଙ୍କ ଗାଡି ମଧ୍ୟ ଘଟଣାସ୍ଥଳରେ ଦୀର୍ଘ ଦୁଇ ଘଣ୍ଟା ଧରି ଅଟକି ରହିଛି । ପ୍ରଶାସନ ପକ୍ଷରୁ ଶୀଘ୍ର ଧାନ ଉଠା ପାଇଁ ପଦକ୍ଷେପ ନିଆଗଲେ ଚାଷୀମାନେ ଅବରୋଧ ଉଠାଇବେ ବୋଲି ଚେତାବନୀ ଦେଇଛନ୍ତି । ଯଦି ସ୍ଥାୟୀ ସମାଧାନ ନ ହୁଏ ଆଗାମୀ ଦିନରେ ଆହୁରି ତୀବ୍ର ଆନ୍ଦୋଳନ କରିବେ ବୋଲି ଚାଷୀ ମାନେ ସଚେତନ କରିଛନ୍ତି ।