ନୂଆଦିଲ୍ଲୀ,୧୩|୦୭: କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇ ଡିଫେଣ୍ଡି-ଚମ୍ପିଅନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ଚଳିତ ଫିଫା ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଇଂଲଣ୍ଡ ୨-୧ ଗୋଲରେ ନରୱେକୁ ଏବଂ ଆର୍ଜେଣ୍ଟିନା ୩-୧ ଗୋଲରେ ସ୍ଵିଜରଲାଣ୍ଡକୁ ପରାଜିତ କରିଥିଲା। ଫ୍ରାନ୍ସ-ସ୍ପେନ ପ୍ରଥମ ସେମି ଫାଇନାଲ ଆସନ୍ତା ମଙ୍ଗଳବାର (୧୪ ତାରିଖ) ମଧ୍ୟରାତ୍ରିରେ ଏବଂ ଆର୍ଜେଣ୍ଟିନା-ଇଂଲଣ୍ଡ ଦ୍ବିତୀୟ ସେମି ଫାଇନାଲ ବୁଧବାର (୧୫ ତାରିଖ) ମଧ୍ୟରାତ୍ରିରେ ଖେଳଯିବ ।

ନରୱେ ଏଥର ଯେଉଁଭଳି ଭାବେ ପ୍ରଦର୍ଶନ କରୁଥିଲା ଦଳ ସେମି ଫାଇନାଲକୁ ଉନ୍ନୀତ ହେବାକୁ ଚାବିଦାର ରହିଥିଲା। କିନ୍ତୁ ଇଂଲଣ୍ଡ ସେ ସୁଯୋଗ ଦେଇ ନଥିଲା । ଜୁଡ୍ ବେଲିଂହାମ୍ ଡବଲ ଗୋଲ୍ ଦେଇ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ନରୱେ ବେଶ ଭଲ ଆରମ୍ଭ କରିଥିଲା । ଆଣ୍ଡ୍ରିଆସ ସ୍କେଲଡେରପ ୩୬ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲେ । ତାଙ୍କୁ ଏଥିରେ ସହାୟତା କରିଥିଲେ ମାର୍ଟିନ ଓଡେଗାର୍ଡ I ପ୍ରଥମାର୍ଦ୍ଧ ଶେଷ ହେବା ପୂର୍ବରୁ ଗୋଲ୍ ଦେଇ ବେଲିଂହାମ୍ ସ୍ଥିତି ୧-୧ କରିଥିଲେ ।

ଇଂଲଣ୍ଡର ଏହି ଗୋଲକୁ ନେଇ ବିବାଦ ଦେଖାଦେଇଥିଲା । ଓର୍ଜାନ୍ ନାଇଲ୍ୟାଣ୍ଡ ଯେଉଁ ଗୋଲ କିକ୍ ମାରିଥିଲେ, ତାହା ସ୍ପାଇଡର କ୍ୟାମେରା ତାରରେ ବାଜିଥିଲା। ଫଳରେ ଇଂଲଣ୍ଡ ଖେଳାଳି ଏହାର ଲାଭ ଉଠାଇଥିଲେ । ଆଣ୍ଟୋନି ଏକ ପାସକୁ ଗୋଲପୋଷ୍ଟରେ ପୂରାଇଥିଲେ। କିନ୍ତୁ ଏହାକୁ ନେଇ ନରଓ୍ୱେ ଖେଳାଳି ରେଫରୀଙ୍କ ନିକଟରେ ଆବେଦନ କରିଥିଲେ । ମାତ୍ର ସେମାନଙ୍କ ଆବେଦନକୁ ରେଫରୀ ଗ୍ରହଣ କରି ନଥିଲେ । ଇଂଲଣ୍ଡକୁ ଗୋଲ ମିଳିଥିଲା। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ସ୍ଥିତି ୧-୧ ହୋଇଥିଲା ।

ନିର୍ଦ୍ଧାରିତ ସମୟ ଏବଂ ଇନକ୍ୟୁରୀ ଟାଇମରେ ମ୍ୟାଚ ଅମୀମାଂସିତ ରହିବା ପରେ ଅତିରିକ୍ତ ସମୟ ଖେଳ ଆରମ୍ଭ ହୋଇଥିଲା। ମାତ୍ର ୩ ମିନିଟ ମଧ୍ୟରେ (୯୩ ମିନିଟ) ଇଂଲଣ୍ଡ ଦ୍ଵିତୀୟ ଗୋଲ ଦେଇ ୨-୧ରେ ଅଗ୍ରଣୀ ଲାଭ କରିଥିଲା। ଏହି ଗୋଲ ମଧ୍ୟ ବେଲିଂହାମ ସ୍କୋର କରିଥିଲେ ।

ଏହି ଗୋଲ ହିଁ ଇଂଲଣ୍ଡକୁ ସେମି ଫାଇନାଲରେ ପ୍ରବେଶ କରିବାକୁ ଯଥେଷ୍ଟ ରହିଥିଲା । ନରୱେର ଖୋଳାଳି ସେମିତି କିଛି ଚମତ୍କାର ଦେଖାଇ ପାରି ନଥିଲେ। ପରେ ଯଦିଓ ଆଉ ଶେଷ ପର୍ଯ୍ୟନ୍ତ ମ୍ୟାଚରେ ଗୋଲ ହୋଇ ନଥିଲା । କିନ୍ତୁ ନରୱେ ଗୋଟିଏ ଗୋଲ ପଛରେ ରହି ବିଦାୟ ନେଇଥିଲା।