ମୁମ୍ବାଇ , ୨ /୧୧ : ଆଜି ସେ ବଲିଉଡ୍ର ଅନ୍ୟତମ ସଫଳ ଓ ଲୋକପ୍ରିୟ ଅଭିନେତା। ଦେଶରୁ ବିଦେଶ ପର୍ଯ୍ୟନ୍ତ ରହିଛନ୍ତି ତାଙ୍କର କୋଟି କୋଟି ପ୍ରଶଂସକ। ତାଙ୍କର ରୋମାଣ୍ଟିକ୍ ଅନ୍ଦାଜ୍, ଅଭିନୟ ଏବଂ ଷ୍ଟାରଡମ୍ର ଦିୱାନା ସାରା ବିଶ୍ୱ। ହେଲେ ଏହି ସଫଳତା ପଛରେ ରହିଛି ଏକ ସ୍ପଷ୍ଟ ଲକ୍ଷ୍ୟ ଓ ନିଜ ଉପରେ ଅତୁଟ ବିଶ୍ୱାସ। ଆମେ କହୁଛୁ ବଲିଉଡ୍ର କିଙ୍ଗ୍ ଖାନ୍ ଶାହରୁଖ୍ ଖାନ୍ଙ୍କ କଥା l ନିକଟରେ ନିର୍ଦ୍ଦେଶକ ଆନନ୍ଦ ମହେନ୍ଦ୍ରୁଙ୍କ ସହ ଶାହରୁଖ୍ଙ୍କ ପୁରୁଣା ସମ୍ପର୍କ ଓ କ୍ୟାରିୟରର ପ୍ରାରମ୍ଭିକ ଦିନଗୁଡ଼ିକର କିଛି ଅଜଣା କଥା ସାମ୍ନାକୁ ଆସିଛି। ଏହି ଘଟଣାରେ ଶାହରୁଖ୍ଙ୍କ ବ୍ୟକ୍ତିତ୍ୱ, ଆତ୍ମବିଶ୍ୱାସ ଏବଂ ଭବିଷ୍ୟତକୁ ନେଇ ତାଙ୍କର ସ୍ପଷ୍ଟ ଚିନ୍ତାଧାରାର ଝଲକ ଦେଖିବାକୁ ମିଳିଛି।

ନିର୍ଦ୍ଦେଶକ କରଣ ଜୋହର ଅନେକଥର ଶାହରୁଖ୍ ଖାନ୍ଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ବିଷୟରେ କହିଛନ୍ତି। ୧୯୮୦ ଦଶକର ଶେଷ ଭାଗରେ ନିର୍ଦ୍ଦେଶକ ଆନନ୍ଦ ମହେନ୍ଦ୍ରୁଙ୍କ କାର୍ଯ୍ୟାଳୟରେ ଉଭୟଙ୍କର ପ୍ରଥମ ଦେଖା ହୋଇଥିଲା।ସେତେବେଳେ କରଣ ଜୋହର ଆନନ୍ଦ ମହେନ୍ଦ୍ରୁଙ୍କ ୧୯୮୯ ମସିହାର ଶିଶୁଙ୍କ ପାଇଁ ନିର୍ମିତ ସାଇନ୍ସ ଫିକ୍ସନ୍ ଟେଲିଭିଜନ୍ ଧାରାବାହିକ ‘ଇନ୍ଦ୍ରଧନୁଷ’ ମାଧ୍ୟମରେ ଅଭିନୟ ଜଗତରେ ପାଦ ଥାପିବାକୁ ଯାଉଥିଲେ। ଅନ୍ୟପଟେ, ସେହି ଧାରାବାହିକରେ ଏକ ଭୂମିକା ପାଇଁ ଶାହରୁଖ୍ଙ୍କୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା।

କରଣଙ୍କ କହିବା ଅନୁସାରେ, ଶାହରୁଖ୍ ସେହି ଭୂମିକାକୁ ଖୁବ୍ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ। ଏଥିପାଇଁ ପ୍ରଥମେ କରନଙ୍କୁ ସେ ଟିକେ ଅହଂକାରୀ ମନେ ହୋଇଥିଲେ। କିନ୍ତୁ ନିର୍ଦ୍ଦେଶକ ଆନନ୍ଦ ମହେନ୍ଦ୍ରୁ ଏହି ଘଟଣାର ଏକ ଭିନ୍ନ ଦିଗ ସାମ୍ନାକୁ ଆଣିଛନ୍ତି। ଆନନ୍ଦ ମହେନ୍ଦ୍ରୁଙ୍କ କହିବା ଅନୁସାରେ, ଶାହରୁଖ୍ଙ୍କୁ ‘ଇନ୍ଦ୍ରଧନୁଷ’ରେ ଅପ୍ପୁଙ୍କ ବଡ଼ ଭାଇ ବାଲାଙ୍କ ଭୂମିକା ଦିଆଯାଇଥିଲା। ପ୍ରଥମେ ସେ ଏଥିପାଇଁ ରାଜି ମଧ୍ୟ ହୋଇଥିଲେ। କିନ୍ତୁ ପରେ ତାଙ୍କୁ ଅନ୍ୟ ଏକ ଫିଲ୍ମରେ କାମ କରିବାର ସୁଯୋଗ ମିଳିବାରୁ ସେ ଧାରାବାହିକରୁ ଓହରି ଯାଇଥିଲେ। ଶେଷରେ ଏହି ଭୂମିକାରେ ଅକ୍ଷୟ ଆନନ୍ଦ ଅଭିନୟ କରିଥିଲେ।

ଏହି ସମୟରେ ଶାହରୁଖ୍ଙ୍କୁ ପ୍ରଖ୍ୟାତ ନିର୍ଦ୍ଦେଶକ ବାସୁ ଭଟ୍ଟାଚାର୍ଯ୍ୟ ଏକ ଫିଲ୍ମରେ ଅଭିନୟ ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଶାହରୁଖ୍ଙ୍କ ଲକ୍ଷ୍ୟ ଥିଲା ଭିନ୍ନ। ସେ ତାଙ୍କୁ କହିଥିଲେ, “ମୁଁ ଇଣ୍ଟେଲେକ୍ଚୁଆଲ୍ ଫିଲ୍ମ କରିବାକୁ ଆଗ୍ରହୀ ନୁହେଁ। ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଅଭିନେତା ଅଛନ୍ତି। ମୁଁ ଜଣେ ଷ୍ଟାର୍ ହେବାକୁ ଚାହେଁ।” ଆନନ୍ଦ ମହେନ୍ଦ୍ରୁଙ୍କ ମତରେ, ଶାହରୁଖ୍ଙ୍କ ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ସେ ନିଜେ କ'ଣ ଚାହାଁନ୍ତି ଏବଂ କ'ଣ ଚାହାଁନ୍ତି ନାହିଁ, ସେ ବିଷୟରେ ଆରମ୍ଭରୁ ହିଁ ସ୍ପଷ୍ଟ ଥିଲେ।

ଶାହରୁଖ୍ ଖାନ୍ଙ୍କ ସହ ଆନନ୍ଦ ମହେନ୍ଦ୍ରୁଙ୍କ ସମ୍ପର୍କ ବେଶ୍ ପୁରୁଣା। ଶାହରୁଖ୍ ଯେତେବେଳେ ଦିଲ୍ଲୀରେ ରହୁଥିଲେ ଏବଂ ଅଭିନୟ ଜଗତରେ ନିଜର ସ୍ଥାନ ସୃଷ୍ଟି କରିବାକୁ ସଂଘର୍ଷ କରୁଥିଲେ, ସେତେବେଳେ ମଧ୍ୟ ଆନନ୍ଦଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା। ଆନନ୍ଦଙ୍କ କହିବା ଅନୁସାରେ, ଦିଲ୍ଲୀରେ ତାଙ୍କର ଏକ କାର୍ଯ୍ୟାଳୟ ଥିଲା। ଶାହରୁଖ୍ ସେଠାକୁ ତାଙ୍କୁ ଦେଖା କରିବାକୁ ଆସୁଥିଲେ। ଉଭୟେ ଏକାଠି ବୋଲିଂ ଖେଳୁଥିଲେ। ଏପରିକି ରାତିରେ ଦିଲ୍ଲୀର ପ୍ରସିଦ୍ଧ ‘ପରାଠେୱାଲି ଗଳି’କୁ ଯାଇ ଗାଡ଼ିରେ ଜୋର୍ରେ ଗୀତ ବଜାଇବା ସହ ଗାଡ଼ି ଉପରେ ଠିଆ ହୋଇ ଗୀତ ଗାଉଥିଲେ ଶାହରୁଖ୍।ଆନନ୍ଦ ତାଙ୍କୁ ଜଣେ ଖୋଲା ମନର, ବୁଦ୍ଧିମାନ ଓ ସିନେମାକୁ ଭଲ ଭାବରେ ବୁଝିପାରୁଥିବା ବ୍ୟକ୍ତି ଭାବେ ବର୍ଣ୍ଣନା କରିଛନ୍ତି।

୧୯୯୨ ମସିହାରେ ରାଜ କଁୱରଙ୍କ ଫିଲ୍ମ ‘ଦିୱାନା’ ମାଧ୍ୟମରେ ଶାହରୁଖ୍ ବଡ଼ ପରଦାରେ ନିଜର ପରିଚୟ ସୃଷ୍ଟି କରିଥିଲେ। ପରେ ୧୯୯୩ରେ ୟସ ଚୋପ୍ରାଙ୍କ ଫିଲ୍ମ ‘ଡର୍’ ତାଙ୍କୁ ବ୍ୟାପକ ଲୋକପ୍ରିୟତା ଦେଇଥିଲା। ତଥାପି ସଫଳତା ପାଇବା ପରେ ସେ ପୁରୁଣା ସମ୍ପର୍କକୁ ଭୁଲି ନଥିଲେ। ଆନନ୍ଦ ମହେନ୍ଦ୍ରୁଙ୍କ ୧୯୯୩ର ଟେଲିଭିଜନ୍ ଧାରାବାହିକ ‘ରଜନୀ’ରେ ମଧ୍ୟ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଏପରିକି ନିଜ ବାନ୍ଦ୍ରାସ୍ଥିତ ଘରେ ମଧ୍ୟ ସୁଟିଂ ପାଇଁ ଅନୁମତି ଦେଇଥିଲେ। ଆନନ୍ଦଙ୍କ କହିବା ଅନୁସାରେ, ଯଦି ଶାହରୁଖ୍ ପ୍ରକୃତରେ ଅହଂକାରୀ ହୋଇଥାନ୍ତେ, ତେବେ ସଫଳତା ପରେ ମଧ୍ୟ ତାଙ୍କ ସହ ଏତେ ଭଲ ସମ୍ପର୍କ ରଖିନଥାନ୍ତେ।

also read- Shah Rukh Khan Records : କିଙ୍ଗ ଖାନ୍ ଙ୍କ ସଫଳତା ଓ ଉପଲବ୍ଧି , ନୂଆଦିଲ୍ଲୀରୁ ଦୁବାଇ...

୧୯୯୭ରେ ସୁଭାଷ ଘାଇଙ୍କ ଫିଲ୍ମ ‘ପରଦେଶ’ର ସୁଟିଂ ସମୟର ଏକ ଘଟଣା ମଧ୍ୟ ମନେ ପକାଇଛନ୍ତି ଆନନ୍ଦ। ତାଙ୍କ କହିବା ଅନୁସାରେ, ଶାହରୁଖ୍ ଅଧିକାଂଶ ସମୟ ମେକଅପ୍ ରୁମ୍ରେ ନରହି ସୁଟିଂ ସେଟ୍ରେ ହିଁ ରହୁଥିଲେ। ମହିମା ଚୌଧୁରୀଙ୍କ ସିନ୍ ସୁଟିଂ ହେଉଥିବା ସମୟରେ କିମ୍ବା କୋରିଓଗ୍ରାଫର ଅହମଦ ଖାନ୍ ଜୁନିୟର କଳାକାରଙ୍କ ସହ କାମ କରୁଥିବା ବେଳେ ମଧ୍ୟ ଶାହରୁଖ୍ ସେଟ୍ ଛାଡ଼ୁ ନଥିଲେ। ସେ ସବୁବେଳେ ସିନେମା ସହ ଜଡ଼ିତ ରହିବାକୁ ପସନ୍ଦ କରୁଥିଲେ। ଆନନ୍ଦ କହିଛନ୍ତି, ଶାହରୁଖ୍ଙ୍କ ଏହି ସିନେମା ପ୍ରତି ଗଭୀର ଭଲପାଇବା ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା। ସତରେ, ଜଣେ ବଡ଼ ଷ୍ଟାର୍ ହେବାର ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନ ପାଇଁ ଆରମ୍ଭରୁ ନିଜ ରାସ୍ତା ବାଛିବା ଶାହରୁଖ୍ ଖାନ୍ଙ୍କ କ୍ୟାରିୟରର ଏହି ପୁରୁଣା କାହାଣୀ ତାଙ୍କ ଦୃଢ଼ ଲକ୍ଷ୍ୟ ଓ ସିନେମା ପ୍ରତି ଥିବା ଭଲପାଇବାର ଏକ ନିଆରା ଉଦାହରଣ।