ଇସ୍ଲାମାବାଦ: ପାକିସ୍ତାନ-ଭାରତ ବ୍ୟାପାର ପରିଷଦ (ପିଆଇବିସି) ସଭାପତି ନୁର ମହମଦ କସୁରୀ କହିଛନ୍ତି ଯେ ୨୦୧୯ ପୁଲବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହ ବାଣିଜ୍ୟ ବନ୍ଦ ହେବା ଯୋଗୁ ପାକିସ୍ତାନର ୪୦୦୦ କୋଟି ଡଲାର କ୍ଷତି ହୋଇଛି। ଏକ ବୟାନରେ କସୁରୀ ସୋମବାର ଉଭୟ ଦେଶଙ୍କ ମଧ୍ୟରେ ପୁଣି ବ୍ୟବସାୟ ସ୍ୱଭାବିକ କରିବା ଲାଗି ଏକ ନିବେଦନରେ ଏହା ଦ୍ୱାରା ଦୁଇ ଦେଶଙ୍କ ଲାଭ ହେବ ବୋଲି କହିଛନ୍ତି। ଏହାଛଡା ନିବେଶ, ପର୍ଯ୍ୟଟନ ଓ ଆଞ୍ଚଳିକ ସହଯୋଗର ନୂଆ ଅବସର ସୃଷ୍ଟି ହେବ ବୋଲି ମଧ୍ୟ ସେ ଆଶାପୋଷଣ କରିଛନ୍ତି।

କସୁରୀ କହିଛନ୍ତି ଯେ ଦ୍ୱୀପାକ୍ଷୀୟ ବ୍ୟବସାୟ ବନ୍ଦ ହେବା ଯୋଗୁ ପାକିସ୍ତାନ କମ୍ପାନୀମାନଙ୍କୁ ଜରୁରି କଞ୍ଚାମାଲ ଓ ଅନ୍ୟ ଜିନିଷ ଲାଗି ଦୂର ବଜାର ଉପରେ ନିର୍ଭର ରହିବାକୁ ପଡୁଛି। ଏଣୁ ପରିବହନ ଓ ମାଲ ବୋଝେଇଖଲାସ ବାବଦ ବ୍ୟୟ ବଢିବଢି ଚାଲିଛି। ଏହା ଛଡା ମାଲ ଯୋଗାଣରେ ମଧ୍ୟ ବିଳମ୍ବ ହେଉଛି। କସୁରୀଙ୍କ ଅନୁସାରେ ପାକିସ୍ତାନର ଔଷଧ ଉଦ୍ୟୋଗ ଭାରତୀୟ କଞ୍ଚାମାଲ ଉପରେ ନିର୍ଭର କରୁଥିଲା। ଏଥିରେ ଯଦି ଭାରତରୁ ଆମଦାନୀ ପୁଣି ଆରମ୍ଭ ହୁଏ ତେବେ ପାକିସ୍ତାନର ବାର୍ଷିକ ୨୦୦ରୁ ୩୦୦ କୋଟି ଡଲାର ସଞ୍ଚୟ ହେବ। ସେହିପରି ଘରୋଇ ବସ୍ତ୍ର ଉଦ୍ୟୋଗର ଉତ୍ପାଦନ ହ୍ରାସ ଯୋଗୁ ପାକିସ୍ତାନକୁ ବ୍ରାଜିଲ, ଇଜିପ୍ଟ, ଚୀନ ଓ ଆମେରିକାରୁ କପା ଆମଦାନୀ କରିବାକୁ ପଡୁଛି। ଏଥି ପାଇଁ ପାକିସ୍ତାନ ବାର୍ଷିକ ଅତିରିକ୍ତ ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛି।

ସେ କହିଛନ୍ତି ଯେ ଭାରତରୁ ଚିନି, ସାର, ସିମେଣ୍ଟ, ପେଟ୍ରୋଲିୟମ ଉତ୍ପାଦ, ଲୁହା, ଇସ୍ପାତ, ପନିପରିବା ଓ ଭାରି ମେସିନାରୀ ପାକିସ୍ତାନ ଆମଦାନୀ କରିପାରେ। ଭାରତୀୟ ତୈଳ ରିଫାଇନାରୀ ଭୌଗଳିକ ରୂପେ ପାକିସ୍ତାନ ସୀମାକୁ ଲାଗି ରହିଛି। ଏଣୁ ପେଟ୍ରୋଲିୟମ ଉତ୍ପାଦ ଆମଦାନୀ ପାକିସ୍ତାନ ଲାଗି ଶସ୍ତା ଓ ଦ୍ରୁତ ହୋଇ ପାରିବ। ପିଆଇବିସି ମୁଖ୍ୟ କସୁରୀ କହିଛନ୍ତି ଯେ ରାଜନୈତିକ ମତପାର୍ଥକ୍ୟ ଆର୍ଥିକ ସହଯୋଗ ରାସ୍ତାରେ ବାଧା ହେବା ଉଚିତ ନୁହେଁ। ଏଣୁ ଲମ୍ବିତ ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିବ। ସେ କହିଛନ୍ତି ଯେ ପାକିସ୍ତାନ ଓ ଭାରତ ମଧ୍ୟରେ ଐତିହାସିକ, ସାଂସ୍କୃତିକ ଓ ପାରିବାରିକ ସମ୍ପର୍କ ରହିଛି। ଏହା ଦୁଇଦେଶଙ୍କ ସୁସମ୍ପର୍କର ଆଧାର ହୋଇ ପାରେ।