• ରାହୁଲ  ନାମ ତୋ ଶୁନା ହୋଗା...
  • ବଡେ ବଡ଼େ ସେହେରୋମେ ଏସି ଛୋଟି ଛୋଟି ବାତ୍ ହୋତି ରେହତି ହୈ... ସନିରିଟା...

ମୁମ୍ବାଇ : ଏହି ସବୁ ଆଇକନିକ ଡାଇଲଗ୍ ହିଁ ତାଙ୍କ ପରିଚୟ... । ତାଙ୍କ ଷ୍ଟାଇଲ୍ , ତାଙ୍କ ଅନ୍ଦାଜର ଦିୱାନା ସମସ୍ତେ... ସେ ଆଉ କେହି ନୁହନ୍ତି ୱାନ୍ ଆଣ୍ଡ୍ ଓନଲି କିଙ୍ଗ୍ ଖାନ ଶାହାରୁଖ୍ ଖାନ୍।  ନିଜ ଅଭିନୟ, ରୋମାନ୍ସ ଓ ଆକ୍ସନ୍ ଜରିଆରେ ସେ ଦର୍ଶକଙ୍କ ହୃଦୟରେ ସୃଷ୍ଟି କରିଛନ୍ତି ଏକ ସ୍ୱତନ୍ତ୍ର ସ୍ଥାନ।  ଜଣେ ସାଧାରଣ ମଧ୍ୟବିତ୍ତ ପରିବାରରୁ ଆସି ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିବାର ତାଙ୍କର ଯାତ୍ରା ଅନେକଙ୍କ ପାଇଁ ପ୍ରେରଣା। ତାଙ୍କ ନାଁରେ ରହିଛି ଅନେକ ସଫଳତା ଓ ସମ୍ମାନ। ବିଶେଷକରି ବକ୍ସ ଅଫିସ୍‌ରେ ତାଙ୍କର ଦବଦବାଠାରୁ ଆରମ୍ଭ କରି ବିଦେଶରେ ମିଳିଥିବା ସମ୍ମାନ ପର୍ଯ୍ୟନ୍ତ, ପ୍ରତ୍ୟେକ ସଫଳତା ତାଙ୍କୁ ଅନ୍ୟ ଅଭିନେତାଙ୍କଠାରୁ କରିଛି ସ୍ୱତନ୍ତ୍ର ।  ଆଜି କିଙ୍ଗ୍ ଖାନଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କର କିଛି ରେକର୍ଡ ଓ ଉପଲବ୍ଧି ବିଷୟରେ।

1. ୩୦ ବର୍ଷରୁ ଅଧିକ ସମୟ  ସିନେମା ହଲ୍‌ରେ DDLJ- ଶାହରୁଖ ଖାନ୍‌ଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ 'ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ' ।  ୧୯୯୫ ରେ ରିଲିଜ୍ ହୋଇଥିବା ଏହି ରୋମାଣ୍ଟିକ୍ ଫିଲ୍ମରେ ଶାହରୁଖ ଓ କାଜୋଲଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ରାଜ୍ ଓ ସିମରନ୍‌ଙ୍କ ପ୍ରେମ କାହାଣୀ ଆଜି ମଧ୍ୟ ଲୋକଙ୍କ ମନରେ ଜୀବନ୍ତ । ଏହି ଚଳଚ୍ଚିତ୍ରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା ଦୀର୍ଘ ସମୟ ଧରି ହଲ୍ ରେ ଚାଲିବା। ସେଥିପାଇଁ ଏହା କେବଳ ଏକ ଫିଲ୍ମ ନୁହେଁ, ବରଂ ଭାରତୀୟ ସିନେମାରେ ଏକ ଐତିହାସିକ ପରିଚୟ ।

2. ବର୍ଷକରେ ଦୁଇଟି ୧୦୦୦ କୋଟି ଫିଲ୍ମର ରେକର୍ଡ- ୨୦୨୩ ଶାହରୁଖଙ୍କ କ୍ୟାରିୟରର ସବୁଠାରୁ  ସକ୍ସେସଫୁଲ୍ ଇଅର ମଧ୍ୟରୁ ଗୋଟିଏ। ଦୀର୍ଘ ବ୍ୟବଧାନ ପରେ ବଡ଼ ପରଦାକୁ ଫେରି ସେ ବକ୍ସ ଅଫିସ୍‌ରେ ଯେଉଁ ଝଡ଼ ସୃଷ୍ଟି କରିଥିଲେ, ତାହା ସିନେମା ଜଗତରେ ବେଶ୍  ଚର୍ଚ୍ଚାର ବିଷୟ ପାଲଟିଥିଲା। ୨୦୨୩ ଜାନୁଆରୀରେ  ରିଲିଜ୍ ହୋଇଥିଲା 'ପଠାନ୍'। ଏହି ଆକ୍ସନ୍ ଫିଲ୍ମ ବିଶ୍ୱବ୍ୟାପୀ ୧୦୦୦ କୋଟି ଟଙ୍କାରୁ କରିଥିଲା ଅଧିକ ଆୟ । ଏହାପରେ ସେପ୍ଟେମ୍ବରରେ ଆସିଥିଲା 'ଯବାନ୍'। ଏହି ଫିଲ୍ମ ମଧ୍ୟ ବିଶ୍ୱବ୍ୟାପୀ ୧୦୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିଲା। ଗୋଟିଏ ବର୍ଷରେ ଦୁଇଟି ଏତେ ବଡ଼ ବ୍ୟବସାୟ କରୁଥିବା ଚଳଚ୍ଚିତ୍ର ଦେବା, ଶାହରୁଖଙ୍କ ପାଇଁ ନିହାତି ଭାବେ ଏକ ବଡ଼ ଉପଲବ୍ଧି। ଏହା ତାଙ୍କର ଷ୍ଟାରଡମ୍ ଓ ତାଙ୍କ ଲୋକପ୍ରିୟତାକୁ ପ୍ରମାଣିତ କରିଥିଲା।

୩. ବୁର୍ଜ ଖଲିଫାରେ ଶାହରୁଖଙ୍କ ଛବି- ଦୁବାଇର ବିଶ୍ୱପ୍ରସିଦ୍ଧ ଅଟ୍ଟାଳିକା ବୁର୍ଜ ଖଲିଫାରେ ଶାହରୁଖ ଖାନ୍‌ଙ୍କ ଫଟୋ ପ୍ରଦର୍ଶିତ ହେବା ତାଙ୍କର ଅନ୍ତର୍ଜାତୀୟ ଲୋକପ୍ରିୟତାର ଏକ ଝଲକ। ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫାରେ ଶାହରୁଖଙ୍କ ଜନ୍ମଦିନ ଅବସରରେ ଅନେକଥର ସ୍ୱତନ୍ତ୍ର ଆଲୋକ ସାଜସଜ୍ଜା ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଏହା ସହିତ 'ପଠାନ୍', 'ଯବାନ୍' ଓ 'ଡଙ୍କି' ଭଳି ଫିଲ୍ମର ପ୍ରଚାର ସମୟରେ ମଧ୍ୟ ଏହି ଅଟ୍ଟାଳିକାରେ ସ୍ୱତନ୍ତ୍ର ପ୍ରଦର୍ଶନ ଦେଖିବାକୁ ମିଳିଛି।

4. ବିଦେଶୀ ବଜାରରେ ଶାହରୁଖଙ୍କ ଦବଦବା- ଭାରତୀୟ ସିନେମାର ବିଦେଶୀ ବଜାର କଥା ଉଠିଲେ ଶାହରୁଖ ଖାନ୍‌ଙ୍କ ନାଁ ସବୁଠାରୁ ଆଗରେ ଆସେ। ଉତ୍ତର ଆମେରିକା, ବ୍ରିଟେନ୍, ୟୁରୋପ ଓ ମଧ୍ୟପ୍ରାଚ୍ୟରେ ତାଙ୍କ ଫିଲ୍ମକୁ ମିଳିଥାଏ ବିପୁଳ ସମର୍ଥନ।  ବିଶେଷକରି ବିଦେଶରେ ରହୁଥିବା ଭାରତୀୟ ଓ ଦକ୍ଷିଣ ଏସୀୟ ଦର୍ଶକଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ବେଶ୍ ଅଧିକ। ତାଙ୍କ ରୋମାଣ୍ଟିକ୍ ଫିଲ୍ମଠୁ ନେଇ ଆକ୍ସନ୍ ପର୍ଯ୍ୟନ୍ତ ବିଦେଶୀ ବଜାରରେ କରିଛି ଭଲ ବ୍ୟବସାୟ । ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏହି ଲୋକପ୍ରିୟତା ବଜାୟ ରଖିବା, ଶାହରୁଖଙ୍କ କ୍ୟାରିୟରର ଏକ ବଡ଼ ସଫଳତା।

5. ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ଓ ପଦ୍ମଶ୍ରୀରେ ସମ୍ମାନିତ- ଅଭିନୟ ଜରିଆରେ କେବଳ ଦର୍ଶକଙ୍କ ଭଲପାଇବା ନୁହେଁ, ଶାହରୁଖ  ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସମ୍ମାନ ହାସଲ କରିଛନ୍ତି। ୨୦୦୫ରେ ଭାରତ ସରକାର ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ 'ପଦ୍ମଶ୍ରୀ' ପ୍ରଦାନ କରିଥିଲେ। ଏହାବାଦ୍ ଫ୍ରାନ୍ସ ସରକାର ମଧ୍ୟ ତାଙ୍କୁ ଦୁଇଥର ସମ୍ମାନିତ କରିଛନ୍ତି। ୨୦୦୭ରେ ତାଙ୍କୁ 'ଅର୍ଡର ଅଫ୍ ଆର୍ଟସ୍ ଆଣ୍ଡ ଲେଟର୍ସ' ସମ୍ମାନ ମିଳିଥିଲା। ପରେ ୨୦୧୪ରେ ଫ୍ରାନ୍ସର ଅନ୍ୟତମ ସର୍ବୋଚ୍ଚ ନାଗରିକ ସମ୍ମାନ 'ଲେଜିଅନ୍ ଅଫ୍ ଅନର୍'ରେ ସେ ସମ୍ମାନିତ କରାଯାଇଥିଲା।

6. ଏମ୍ପାୟାର୍ ମ୍ୟାଗାଜିନ୍‌ର ୫୦ ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରେ ସ୍ଥାନ- ଅନ୍ତର୍ଜାତୀୟ ସିନେମା ଜଗତରେ ଶାହରୁଖଙ୍କ ଅଭିନୟ ପ୍ରତିଭାକୁ ମଧ୍ୟ ସ୍ୱୀକୃତି ମିଳିଛି। ୨୦୨୨ ମସିହାରେ ବ୍ରିଟେନ୍‌ର ପ୍ରସିଦ୍ଧ ଚଳଚ୍ଚିତ୍ର ପତ୍ରିକା 'ଏମ୍ପାୟାର୍' ପ୍ରକାଶ କରିଥିବା ସର୍ବକାଳୀନ ୫୦ ଶ୍ରେଷ୍ଠ ଅଭିନେତାଙ୍କ ତାଲିକାରେ ଶାହରୁଖ ଖାନ୍ ପାଇଥିଲେ ସ୍ଥାନ । ଭାରତୀୟ ସିନେମାର ଜଣେ ଅଭିନେତା ଭାବେ ଏହି ତାଲିକାରେ ସ୍ଥାନ ପାଇବା ତାଙ୍କ ପାଇଁ ଏକ ବଡ଼ ସଫଳତା।

​​​​​​​

7. ବିଶ୍ୱର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍- ଶାହରୁଖଙ୍କ ସଫଳତା କେବଳ ସିନେମା ଓ ବକ୍ସ ଅଫିସ୍‌ରେ ସୀମିତ ନୁହେଁ। ସମାଜସେବା, ମାନବ କଲ୍ୟାଣ ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ବିଭିନ୍ନ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ଏଥିମଧ୍ୟରେ ସ୍କଟଲ୍ୟାଣ୍ଡର ଏଡିନବରା ବିଶ୍ୱବିଦ୍ୟାଳୟ, ବ୍ରିଟେନ୍‌ର ୟୁନିଭର୍ସିଟି ଅଫ୍ ଲ' ଏବଂ ଅଷ୍ଟ୍ରେଲିଆର ଲା ଟ୍ରୋବ୍ ବିଶ୍ୱବିଦ୍ୟାଳୟର ନାଁ ରହିଛି।

Also Read- ଆମେରିକା ନାଗରିକତା ରଖି ଭାରତୀୟଙ୍କ ପରି ବ୍ୟବହାର କରି ପାରିବେନି, ଇମ୍ରାନଙ୍କୁ କୋର୍ଟଙ୍କ କଡ଼ା ତାଗିଦ୍

ଦିଲ୍ଲୀରୁ ଆରମ୍ଭ ହୋଇଥିବା ଶାହରୁଖ ଖାନ୍‌ଙ୍କ ଯାତ୍ରା ଆଜି ତାଙ୍କୁ ବିଶ୍ୱର ଅନ୍ୟତମ ପରିଚିତ ଅଭିନେତା ଭାବେ ପରିଚୟ ଦେଇଛି। କେତେବେଳେ ବିଫଳତା ଆସିଛି, କ୍ୟାରିୟରରେ ଉତ୍ଥାନ-ପତନ ମଧ୍ୟ ଦେଖିବାକୁ ମିଳିଛି। ହେଲେ ନିଜର ପରିଶ୍ରମ, ଆତ୍ମବିଶ୍ୱାସ ଓ ଅଭିନୟ ପ୍ରତି ନିଷ୍ଠା ବଳରେ ସେ ପ୍ରତ୍ୟେକ ଥର ନିଜକୁ ପ୍ରମାଣିତ କରିଛନ୍ତି। ଆଜି ସେ କେବଳ ବଲିଉଡ୍‌ର ବାଦଶାହ ନୁହେଁ  ବରଂ ବିଶ୍ୱସ୍ତରରେ ମଧ୍ୟ ଲୋକପ୍ରିୟ ଷ୍ଟାର। ତାଙ୍କ ଉପଲବ୍ଧି ଦର୍ଶାଏ ଯେ ପ୍ରତିଭା, ପରିଶ୍ରମ ଓ ଦର୍ଶକଙ୍କ ଭଲପାଇବାରେ ବି ଜଣେ ରଚିପାରନ୍ତି ଇତିହାସ ।