ଲଣ୍ଡନ: ୟୁଟ୍ୟୁବର ଧ୍ରୁବ ରାଠୀ ଇଂଲଣ୍ଡ ପହଞ୍ଚି ଭାରତରେ ଜାରି ନିର୍ବାଚନ ଆୟୋଗ ସମ୍ପର୍କିତ ବିରୋଧ ପ୍ରଦର୍ଶନକୁ ନେଇ ବଡ଼ ବୟାନ ଦେଇଛନ୍ତି। ରାଠୀ କହିଛନ୍ତି ଯେ ଯଦି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଇସ୍ତଫା ଦେଇ ଦିଅନ୍ତି ତେବେ ଜାରି ସବୁ ବିକ୍ଷୋଭ ଆଜି ହିଁ ଠପ ହୋଇଯିବ। ସୂଚନା ଅନୁସାରେ ଧ୍ରୁବ ରାଠୀ ନିକଟରେ ଭାରତ ଆସିଥିଲେ, ଯାହାଦ୍ୱାରା ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବିରୋଧ ପ୍ରଦର୍ଶନରେ ସାମିଲ ହୋଇ ପାରିବେ। ତେବେ ପୋଲିସ ତାଙ୍କୁ ଅଟକ କରିଥିଲା।

ପୋଲିସ ଅଟକ କାରଣରୁ ସେ ପ୍ରଦର୍ଶନରେ ସାମିଲ ହୋଇ ପାରିନଥିଲେ, ଏହା ପରେ ସେ ଲଣ୍ଡନ ଚାଲିଯାଇ ଇଂଲଣ୍ଡ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଲଣ୍ଡନ ପାର୍ଲ୍ୟାମେଣ୍ଟ ସ୍କୋୟାରରେ ରାଠୀ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ‘ଆମ ଦେଶରେ ଆମକୁ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଉନି ଓ ମୁଁ ଆଜି ସେହି ଦେଶର ସଂସଦ ସମ୍ମୁଖରେ ଛିଡା ହୋଇଛି ଯିଏ ଆମକୁ ୨୦୦ ବର୍ଷ ଧରି ଶାସନ କରିଥିଲା। ଏହାକୁ କହନ୍ତି ଗଣତନ୍ତ୍ର’ ବୋଲି ଧ୍ରୁବ ରାଠୀ କହିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀରେ ବିକ୍ଷୋଭ ରୋକିବା ଲାଗି ୩୫ ହଜାରରୁ ଅଧିକ ସିଏପିଏଫ ଓ ଦିଲ୍ଲୀ ପୋଲିସ ଜବାନ ମୁତୟନ ହୋଇଥିଲେ। ୭ ହଜାରରୁ ଅଧିକ ଲୋକଙ୍କୁ ଅଟକ କରାଯାଇଥିଲା ଓ ଗଣମାଧ୍ୟମକୁ ମାରପିଟ କରାଯାଇଥିଲା। ରାଠୀ କହିଛନ୍ତି ଯେ ମୋତେ ମଧ୍ୟ ପୋଲିସ ଅପହରଣ କରିଥିଲା। ତେବେ କେବଳ ମୁଁ ଏତିକି ଚାହୁଁଛି ଆପଣ ନିଜନିଜ ଘରକୁ ଯାଇ ଭାରତରେ କଣ ଚାଲିଛି ପରିବାରକୁ ଜଣାନ୍ତୁ।

ରାଠୀ କହିଛନ୍ତି ଯେ ଭାରତରେ ଆଜି ହିଁ ପ୍ରୋଟେଷ୍ଟ ବନ୍ଦ ହୋଇଯିବ, କେବଳ ଜ୍ଞାନେଶ କୁମାରଙ୍କ ଇସ୍ତଫା କରାଇ ଦିଅ ଓ ଏପରି ନିର୍ବାଚନ କମିସନରଙ୍କୁ ନିଯୁକ୍ତ କର ଯାହାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଓ ବିରୋଧୀ ଦଳ ନେତା ମିଳିତ ବାଛିବେ। ଆମେ କେବଳ ଉତ୍ତରଦାୟିତା ଚାହୁଁଛୁ। ସେ ଏହା ବି କହିଛନ୍ତି ଯେ ଭାରତରେ ଭୋଟ ଚୋରି ହେଉଛି, ଯଦି ଠିକ୍ ଭାବେ ନିର୍ବାଚନ କରାଯାଏ ତେବେ ଏବେକା ସରକାରଙ୍କୁ ୧୦୦ ସିଟ୍ ମିଳିବା ମଧ୍ୟ କଷ୍ଟକର ହୋଇ ପଡିବ। ତେବେ ରାଠୀ ତାଙ୍କ ସମ୍ବୋଧନରେ ଆମ ମାମଲାରେ ଆମେ ବିଦେଶୀ ହସ୍ତକ୍ଷଦେପ ଚାହୁଁ ନଥିବା କହିଛନ୍ତି। ସେ କହିଛନ୍ତି ଯେ ମୁଁ ଏଠାରେ ପ୍ରବାସୀ ଭାରତୀୟ ଓ ଭାରତୀୟଙ୍କୁ ସମ୍ବୋଧିତ କରିବାକୁ ଆସିଛି। କାରଣ ଆମ ଦେଶରେ ଭୋଟ ଚୋରି କଥା ସମସ୍ତେ ଜାଣିବା ଦରକାର ।