କୋଲକାତା ୧୦।୧: ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଆବାସୀୟ ପରିସରରେ ମତଦାନ କେନ୍ଦ୍ର ନ କରିବା ପାଇଁ ଅନୁରୋଧକୁ ପ୍ରତ୍ୟାକ୍ଷାନ କରିଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ରାଜ୍ୟର ଯେଉଁ ବହୁତଳ ଭବନରେ ୩୦୦ରୁ ଅଧିକ ଲୋକେ ବସବାସ କରୁଥିବେ ସେହି ପରିସରରେ ମତଦାନ କେନ୍ଦ୍ର ଖୋଲାଯିବ। ଏଥି ପାଇଁ ଆୟୋଗ କୋଲକାତା ସମେତ ୭ ଜିଲ୍ଲାରେ ମୋଟ ୬୯ଟି ମତଦାନ କେନ୍ଦ୍ର ଖୋଲିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଏଥିରେ ଦକ୍ଷିଣ କୋଲକାତାରେ ୨ଟି, ଉତ୍ତର କୋଲକାତାର ୮, ଦକ୍ଷିଣ ୨୪ ପ୍ରଗଣାର ୨୫, ଉତ୍ତର ୨୪ ପ୍ରଗଣାର ୨୨, ହାୱଡାର ୪, ପୂର୍ବ ବର୍ଦ୍ଧମାନର ୩ ଓ ହୁଗୁଳିର ୫ ଆବସୀୟ ପରିସରରେ ମତଦାନ କେନ୍ଦ୍ର ସ୍ଥାପନା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ମମତା ଆବାସୀୟ ପରିସରରେ ଭୋଟ ଦାନ କେନ୍ଦ୍ର ନ ଖୋଲିବା ପାଇଁ ମୁଖ୍ୟନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କୁ ପତ୍ର ଲେଖିଥିଲେ। ଏଥିରେ ସେ କହିଥିଲେ ଯେ ବହୁତଳ ଭବନରେ ମତଦାନକେନ୍ଦ୍ର ଖୋଲିଲେ ଏଥିରେ ବସବାସ କରୁଥିବା ଲୋକଙ୍କୁ ଅସୁବିଧା ହେବ।

ତେବେ ନିର୍ବାଚନ ଅଧିକାରୀଙ୍କ ସୂଚନାରେ ଟିଏମସି କଡ଼ା ପ୍ରତିକ୍ରିୟା ରଖି କହିଛି ଯେ ଏଥିରୁ ପୁଣି ଥରେ ଏହା ପ୍ରମାଣିତ ହୋଇଛି ଯେ ସିଇଓଙ୍କ କାର୍ଯ୍ୟାଳୟ ବିଜେପିର ‘ବି’ ଟିମ୍। ସିଇଓଙ୍କ କାର୍ଯ୍ୟାଳୟ ଏବେ ବିଜେପିର ପାର୍ଟି କାର୍ଯ୍ୟାଳୟରେ ପରିଣତ ହୋଇଛି। ମମତା ମତଦାତା ସୂଚୀ ଗହନ ପୁନରୀକ୍ଷଣ (ଏସଆଇଆର) ସମ୍ପର୍କିତ ଶୁଣାଣି ରୋକିବାକୁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପୁଣି ପତ୍ର ଲେଖିଛନ୍ତି। ଏଥିରେ ଯେଉଁ ପରି ଶୁଣାଣି ହେଉଛି ସେଥିରେ ମୁଁ ଆଶ୍ଚର୍ଯ୍ୟ ଓ ଚିନ୍ତିତ ବୋଲି ଉଲ୍ଲେଖ କରିଛନ୍ତି। ତ୍ରୁଟିପୂର୍ଣ୍ଣ ପଦ୍ଧତି କାରଣରୁ ଅମର୍ତ୍ୟ ସେନ୍, ମହମଦ ସାମୀ ଓ ଜୟ ଗୋସ୍ୱାମୀଙ୍କୁ ଶୁଣାଣି ପାଇଁ ନୋଟିସ ପଠାଯାଉଥିବା କହିଛନ୍ତି।

ସେପଟେ ହାୱଡା ବଗନାନ ଅଞ୍ଚଳରେ ସହାୟକ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ମୌସମ ସରକାର ତର୍କ ସଂଗତ ବିସଙ୍ଗତୀ ଦର୍ଶାଇ ଚାକିରୀରୁ ଇସ୍ତଫା ଦେଇଛନ୍ତି। ଏଥିରେ ସେ ବୈଧ ଭୋଟରଙ୍କ ନାମ କଟାଯାଉଥିବାର ଅଭିଯୋଗ କରି ଇସ୍ତଫା ଦେଇଛନ୍ତି । ବ୍ଲକ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଫିସର ପଦରେ କାର୍ଯ୍ୟରତ ମୌସମ ଅଭିଯୋଗ କରିଛନ୍ତି ଯେ ଏହା ସମାଜରେ ବଞ୍ଚିତ ବର୍ଗର ଲୋକଙ୍କ ମତାଧିକାର ଛଡାଇବାର ଷଡ଼ଯନ୍ତ୍ର। ଏହା ଉପରେ ଟିଏମସି କହିଛି ଯେ ରାଜ୍ୟରେ ଏସଆଇଆରକୁ ନେଇ ଚାଲିଥିବା ଅନିୟମିତତାର ପର୍ଦ୍ଦାଫାସ ହୋଇ ଯାଇଛି। ନିର୍ବାଚନ ଆୟୋଗଙ୍କ ନିଜ ଅଧିକାରୀ ବ୍ୟବସ୍ଥାର ତ୍ରୁଟି ଲାଗି ଇସ୍ତଫା ଦେଉଥିବା ଟିଏମସି କହିଛି।