ଭୁବନେଶ୍ୱର: ସକାଳୁ ସକାଳୁ ଥରିଲା ବଙ୍ଗୋପସାଗର। ବଙ୍ଗୋପସାଗରରେ ଅନୁଭୂତ ହୋଇଛି ଏକ ମଧ୍ୟମ ଧରଣର ଭୂମିକମ୍ପ। ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବା ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ କରାଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଏହି ସୂଚନା ଦେଇଥିବା ବେଳେ ଓଡ଼ିଶାର SOA CEC ର ନିର୍ଦ୍ଦେଶକ ଡକ୍ଟର ଶରତ ସାହୁ ମଧ୍ୟ ଏହାକୁ ନେଇ ଆଲର୍ଟ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ସମୁଦ୍ର ଭିତରେ ଭୂକମ୍ପ ହୋଇଥିଲେ ସୁଦ୍ଧା ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର କିଛି ଅଞ୍ଚଳରେ ମୃଦୁ ଝଟ୍କା ଅନୁଭୂତ ହୋଇଛି।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)ର ତଥ୍ୟ ଅନୁଯାୟୀ, ଆଜି ଭୋର୍ ୫ଟା ୫ ମିନିଟ୍ ୪୬ ସେକେଣ୍ଡରେ ସମୁଦ୍ର ଗର୍ଭରେ ଏହି ଭୂକମ୍ପନ ସୃଷ୍ଟି ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ବେଳେ ବଙ୍ଗୋପସାଗରର ପ୍ରୟ ୧୦ କିଲୋମିଟର ଗଭୀରରେ ଏହାର କେନ୍ଦ୍ରସ୍ଥଳୀ ରହିଥିଲା।

ସମୁଦ୍ର ଭିତରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳୀ ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳର ନିକଟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡ଼ିଛି। ବିଶେଷ କରି ଓଡ଼ିଶାର ବ୍ରହ୍ମପୁରଠାରୁ ୨୮୨ କିଲୋମିଟର ଦକ୍ଷିଣରେ ଏବଂ ପୁରୀଠାରୁ ପ୍ରାୟ ୩୬୭ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ଏହି କେନ୍ଦ୍ରସ୍ଥଳୀ ରହିଥିଲା। ସେହିପରି ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ୨୨୭ କିଲୋମିଟର ଏବଂ ରାଜମହେନ୍ଦ୍ରୀଠାରୁ ୨୭୫ କିଲୋମିଟର ଦୂର ସମୁଦ୍ର ଭିତରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା।

ସମୁଦ୍ର ଗର୍ଭରେ ଭୂକମ୍ପ ହେବା ପରେ ଆନ୍ଧ୍ରପ୍ରଦେଶର ପ୍ରମୁଖ ସହର ବିଶାଖାପାଟଣାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶାଖାପାଟଣାର ଏମଭିପି କଲୋନୀ, ପେଦାୱାଲତେର, ଗାଜୁୱାକା, ୟେନ୍ଦାଡା ଏବଂ ଆରିଲୋଭା ଭଳି ଅଞ୍ଚଳରେ ଲୋକେ ମୃଦୁ ଝଟ୍କା ଅନୁଭୂତ କରିଥିଲେ। କିଛି ସେକେଣ୍ଡ ପାଇଁ ଘରର ଆସବାବପତ୍ର ହଲିଯିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ।

ତେବେ ଆଶ୍ଵସ୍ତିର କଥା ହେଉଛି, ଭୂକମ୍ପର ତୀବ୍ରତା ମଧ୍ୟମ ଶ୍ରେଣୀର ହୋଇଥିବାରୁ ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତି କିମ୍ବା ପ୍ରାଣହାନିର ଖବର ହସ୍ତଗତ ହୋଇନାହିଁ। ସେପଟେ ପ୍ରଶାସନ ଏବଂ ପାଣିପାଗ ବିଶେଷଜ୍ଞମାନେ ସମ୍ପୂର୍ଣ୍ଣ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।