ନୂଆଦିଲ୍ଲୀ, ୧୦/୧୧ : ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ମଙ୍ଗଳବାର ଖେଳାଯିବ ତୃତୀୟ ଦିନିକିଆ । ଭାରତ ପ୍ରଥମ ୨ଟି ମ୍ୟାଚ ଜିତି ସାରିଛି। ଆଜି ବିଜୟ ଜାରି ରଖ୍ ସିରିଜ କବଜା କରିବାକୁ ଭାରତ ପ୍ରୟାସ କରିବ। ନ୍ୟୁଜିଲାଣ୍ଡ ‘କର ବା ମର' ସ୍ଥିତିରେ ରହିଛି। ସିରିଜ ବଞ୍ଚାଇବାକୁ ହେଲେ ଜିତିବାକୁ ହେବ। ଏସବୁ ଭିତରେ ବର୍ଷା ମ୍ୟାଚରେ ଖଳନାୟକ ସାଜିବ।

ବର୍ଷା ଯୋଗୁଁ ଖେଳରେ ବାରମ୍ବାର ବାଧା ଉପୁଯିବା ଆଶଙ୍କା ରହିଛି। ଫଳରେ ୫୦ ଓଭର ବିଶିଷ୍ଟ ପୂର୍ଣ୍ଣ ମୁକାବିଲା ଏକ ପ୍ରକାର ଅସମ୍ଭବ। ପ୍ରଥମ ୨ଟି ମ୍ୟାଚରେ ପେସ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା। ଭାରତର ଯୁବ ପେସ୍ ବାହିନୀ ବେଶ୍ ଘାତକ ସାବ୍ୟସ୍ତ ହୋଇଥିଲେ। ବିଶେଷ କରି ଅର୍ଶଦୀପ ସିଂହ ଓ ଗୁରନୁର ବ୍ରାରଙ୍କ ବୋଲିଂ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ନିଦ ହଜାଇ ଦେଇଥିଲା । ଆଜି ମଧ୍ୟ ପେସ୍ ବୋଲରଙ୍କ ଉପରେ ମ୍ୟାଚ ଫଳାଫଳ ନିର୍ଭର କରିବ। ତେବେ ନ୍ୟୁଜିଲାଣ୍ଡ ପେସ୍ ବାହିନୀଙ୍କ ସାମ୍ନା କରିବା ପାଇଁ ଭାରତୀୟ ବ୍ୟାଟରମାନଙ୍କ ପ୍ରସ୍ତୁତି ଉପରେ ସମଗ୍ର କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ।

Also Read :- କମିଲା ପାରଦ ବଢିଲା ଶୀତ : ଆହୁରି କମିବ ରାତି ତାପମାତ୍ରା

ଦିନିକିଆ ବିଶ୍ଵକପ୍ ସମୟରେ ଦକ୍ଷିଣ ଆଫ୍ରିକାରେ ଏଭଳି ପିଚ୍ ଦେଖିବାକୁ ମିଳିବ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ସିରିଜ ବିଶ୍ୱକପ୍ ପାଇଁ ଉପଯୁକ୍ତ ପ୍ରସ୍ତୁତି ହୋଇ ପାରିବ। ମଧ୍ୟକ୍ରମ ବ୍ୟାଟର ଶ୍ରେୟାସ ଆୟରଙ୍କ ପ୍ରଦର୍ଶନକୁ ନେଇ ସାମାନ୍ୟ ଚିନ୍ତା ରହିଛି। ସେ ସଟ୍ ପିଚ୍ ବୋଲିଂ ଓ ବାଉନ୍ସର ବିପକ୍ଷରେ ଉପାୟଶୂନ୍ୟ ମନେ ହେଉଛନ୍ତି। ଉପ ଅଧିନାୟକ ହୋଇଥିବାରୁ ତାଙ୍କୁ ଏକାଦଶରୁ ବାଦ ଦିଆଯାଇ ପାରିବ ନାହିଁ। ତେଣୁ ଇଶାନ କିଷନ କିମ୍ବା ଋତୁରାଜ ଗାଏକୱାଡ ସୁଯୋଗ ପାଇବା ଏକ ପ୍ରକାର ଅସମ୍ଭବ।

ସେଡନ ପାର୍କ ଷ୍ଟାଡ଼ିୟମ୍ ପିଚ୍ ପେସ୍ ବୋଲରଙ୍କୁ ଭରପୁର ସହାୟତା କରିବା ନିଶ୍ଚିତ। ବର୍ଷା ଯୋଗୁଁ ପିଚ୍ ଘୋଡ଼ାଇ ରଖା ଯାଇଥିବାରୁ ଆଦ୍ରତା ଭରି ରହିଛି। ଫଳରେ ମ୍ୟାଚ ସମୟରେ ପିଚରୁ ଅତିରିକ୍ତ ବାଉନ୍ସ ଓ ସୁଇଙ୍ଗ ମିଳିବ। ପେସ୍ ବୋଲରଙ୍କ ପାଇଁ ଏହି ପିଚ୍ ସ୍ୱର୍ଗ ପାଲଟିବ। ତେଣୁ କରି ଟସ୍ ସେଭଳି ଗୁରୁତ୍ବ ରଖିବ ନାହିଁ ।