ପଣାଜୀ: ଦୀପାବଳି ସନ୍ଧ୍ୟାରେ ଉତ୍ତର ଗୋଆ ଜିଲ୍ଲାର ଏକ ଭଙ୍ଗା କୋଠାରେ ଜଣେ ଅଜ୍ଞାତ ବ୍ୟକ୍ତି ବେଲୁନ ବିକ୍ରେତାଙ୍କ ୩ ବର୍ଷର ଝିଅ ପ୍ରତି ଦୁଷ୍କର୍ମ କରିଛି। ପୋଲିସ କହିଛି ଯେ ଝିଅଟିର ଅବସ୍ଥା ଏବେ ଗୁରୁତର ରହିଛି ଓ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛି। ଏଥିରେ ବିଜେପି ଶାସିତ ଗୋଆର ଜନୈକ ମନ୍ତ୍ରୀ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏପରି ଘଟୁଥିବା ୯୦ ପ୍ରତିଶତ ଅପରାଧ ‘ବାହ୍ୟ’ ଲୋକଙ୍କ ଦ୍ୱାରା ଘଟୁଛି। ସେ କହିଛନ୍ତି ଯେ ଯେଉଁ ବ୍ୟକ୍ତି ଏପରି କାଣ୍ଡ କରିଛି ସେ ନିଶ୍ଚିତ ରାକ୍ଷସୀ ପ୍ରକୃତିର।

ରବିବାର ସନ୍ଧ୍ୟାରେ ରାଜଧାନୀ ପାଣାଜୀଠାରୁ ୯ କିଲୋମିଟର ଦୂର ମାପୁସା ଟ୍ୟାକ୍ସି ଷ୍ଟାଣ୍ଡରେ ଏହି କାଣ୍ଡ ହୋଇଛି। କୋଠା ବାହାରେ ଝିଅଟି କାନ୍ଦୁଥିବା ଦେଖି ଜଣେ ପଥଚାରୀ ସ୍ଥାନୀୟ ଲୋକ ଓ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ମୁଖପାତ୍ର କହିଛନ୍ତି ଯେ ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ମାପୁସା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ପାଣାଜୀର ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଝିଅଟିର ପରିବାର ବେଲୁନ ବିକ୍ରୟ କରନ୍ତି ଓ ଦୀପାବଳିରେ ବେଲୁନ ବିକ୍ରି କରିବା ପାଇଁ ଝିଅଟି ପରିବାର ସହ ବଜାରକୁ ଆସିଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇ ଉତ୍ତର ଗୋଆ ପୋଲିସ ଅଧିକ୍ଷକ ରାହୁଲ ଗୁପ୍ତା ବିଳମ୍ବିତ ସନ୍ଧ୍ୟାରେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେ ଅଭିଯୁକ୍ତକୁ ଖୋଜିବା ଓ ଗିରଫ କରିବା ପାଇଁ ପଦକ୍ଷେପ ନିଆଯାଉଥିବା କହିଥିଲେ। ମାପୁସା ପୋଲିସ ଏ ନେଇ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଏହି ଘଟଣାକୁ ବିରୋଧୀ କଂଗ୍ରେସ ଦଳ ଗୁରୁତର ସହ ଗ୍ରହଣ କରିଥିବା ବେଳେ ଅପରାଧର ସମୟୋଚିତ ତଦନ୍ତ ଓ ଏକ ଫାଷ୍ଟ-ଟ୍ରାକ୍ କୋର୍ଟରେ ମାମଲାର ବିଚାର ଦାବି କରିଛି। ଏହା ଛଡା ପାର୍ଟି ରକ୍ଷରୁ ରାଜ୍ୟରେ ପିଲାଙ୍କ ସୁରକ୍ଷା ପାଇଁ ଦୃଢ ପଦକ୍ଷେପ ନେବାକୁ ମଧ୍ୟ ଦାବି କରିଛି।

ଗୋଆ ବିଧାନସଭାରେ ବିରୋଧୀ ଦଳ ନେତା ୟୁରି ଆଲେମାଓ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିରୋଧୀ ଦଳ ଏହି ପ୍ରସଙ୍ଗ ଉଠାଇବ। ଝିଅଟିକୁ ସର୍ବୋତ୍ତମ ସାମ୍ଭବ୍ୟ ଚିକିତ୍ସା ସେବା ଯୋଗାଇ ଦେବା ଓ ପରିବାରକୁ ସମର୍ଥନ ସୁନିଶ୍ଚିତ କରିବାକୁ କଂଗ୍ରେସ ନେତା ବିଜେପି ସରକାରଙ୍କୁ ନିବେଦନ କରିଛନ୍ତି।