ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିକୁ ୨୦୨୫-୨୬ରେ ୨୦,୦୦୦ରୁ ଅଧିକ ଟଙ୍କାର ଚାନ୍ଦାରେ ବ୍ୟାପକ ହ୍ରାସ ଦେଖା ଦେଇଛି। ପାର୍ଟିକୁ ଏହି ଅବଧିରେ ମୋଟ ୧୩୦.୭ କୋଟି ଟଙ୍କାର ଯୋଗଦାନ ମିଳିଛି। ଏହା ୨୦୨୪-୨୫ରେ ମିଳିଥିବା ୫୧୭.୪କୋଟି ଟଙ୍କାର ମାତ୍ର ଏକ ଚତୁର୍ଥାଂଶ। ଏହି ତଥ୍ୟ ଗତ ୩ ବର୍ଷରେ ସବୁଠୁ କମ୍ ବୋଲି କୁହାଯାଇଛି। ନିର୍ବାଚନ ଆୟୋଗକୁ କଂଗ୍ରେସ ପ୍ରଦାନ କରିଥିବା ୨୦୨୫-୨୬ ଯୋଗଦାନ ରିପୋର୍ଟରେ ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ମୋଟ ଚାନ୍ଦାର ୧୯% ଦେଇଛି। ଗତ ୨୦୨୪-୨୫ରେ ଏହି ଟ୍ରଷ୍ଟର ଯୋଗଦାନ ୪୧.୮ ପ୍ରତିଶତ ଥିଲା।

ପ୍ରୁଡେଣ୍ଟ ଏକମାତ୍ର ଇଲେକ୍ଟୋରାଲ ଟ୍ରଷ୍ଟ ଯାହା ମାଧ୍ୟମରେ କର୍ପୋରେଟ ଚାନ୍ଦା କଂଗ୍ରେସ ପର୍ଯ୍ୟନ୍ତ ପହଞ୍ଚିଥାଏ। ଏଥର ଟ୍ରଷ୍ଟ ପାର୍ଟିକୁ ୨୫ କୋଟି ଟଙ୍କା ଦେଇଛି, ଯାହା ଗତବର୍ଷର ୨୧୬କୋଟି ଟଙ୍କାର ମାତ୍ର ୧୧.୫%। ୨୦୨୪-୨୫ ଲୋକସଭା ନିର୍ବାଚନ ବର୍ଷ ଥିଲା। ଏଣୁ ବିରୋଧୀ ଦଳ ଚାନ୍ଦାରେ ୮୪% ବୃଦ୍ଧି ଏକ ସ୍ୱଭାବିକ କଥା ଥିଲା। ତେବେ ୨୦୨୫-୨୬ରେ ମିଳିଥିବା ୧୩୦.୭ କୋଟି ଟଙ୍କାର ଚାନ୍ଦା ୨୦୨୩-୨୪ ତୁଳନାରେ ୫୩% କମ୍। ଏହି ହ୍ରାସ ସେତେବେଳେ ହୋଇଛି ଯେତେବେଳେ ୨୦୨୫-୨୬ ବିହାର ବିଧାନସଭା ନିର୍ବାଚନ ହୋଇଥିଲା ଓ ଏପ୍ରିଲ ୨୦୨୬ରେ ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ପ୍ରସ୍ତୁତି ଚାଲିଥିଲା।

କଂଗ୍ରେସକୁ ଯୋଗଦାନ ଦେଉଥିବା ସଂସ୍ଥାଙ୍କ ମଧ୍ୟରେ ପ୍ରୁଡେଣ୍ଟ ବ୍ୟତୀତ ଷ୍ଟାର ସିମେଣ୍ଟ ଲିମିଟେଡ, ସଜ୍ଜନ ଭଜନକା, ଅଫନାମ କନଷ୍ଟ୍ରକ୍ସନ, ପ୍ରେମକୁମାର ଭଜନକା, ଇପସମ ପ୍ରୋଏଡଭାଇଜର ଓ ଏସଏମଏସ ବିଲ୍ଡର୍ସ ଆଦି ଅଛନ୍ତି। ଏମାନଙ୍କ ମଧ୍ୟରୁ ୧ କୋଟି ଟଙ୍କାରୁ ଅଧିକ ଯୋଗଦାନ ଦେବାରେ ୯ଟି ସଂସ୍ଥା ଅଛନ୍ତି। ଫଳରେ ପାର୍ଟିକୁ ୪୩ କୋଟି ଟଙ୍କା ମିଳିଛି, ଯାହା ମୋଟ ଚାନ୍ଦାର ଏକ ତୃତିୟାଂଶ। ସେହିପରି ୫ ଲକ୍ଷ ଟଙ୍କା ବା ଏଥିରୁ କମ୍ ୧,୩୨୧ ଯୋଗଦାନ ମିଳିଛି। ଏଥିରୁ ପାର୍ଟିକୁ ୩୭.୨ କୋଟି ଟଙ୍କା ମିଳିଛି।