ଲକ୍ଷ୍ନୌ: ରାମ ମନ୍ଦିର ଦାନ ରାଶିର କଥିତ ହଡପର ଯାଞ୍ଚ କରୁଥିବା ପୋଲିସକୁ ନୂଆ ସୁରାଗ ମିଳିଛି। ଜେଲ ହାଜତରେ ଅବିନାଶ ଶୁକ୍ଳାକୁ ପଚରା ଉଚରା ବେଳେ ସେ ପରିବାର ଓ ସାଙ୍ଗସାଥୀଙ୍କ ଉପରେ ଖର୍ଚ୍ଚ କରିଥିବା ୧୯ ଲକ୍ଷ ଟଙ୍କାର ବିବରଣୀ ଦେଇଛି। ସୂତ୍ର ଅନୁସାରେ ପଚରା ଉଚରା ପାଇଁ ଅବିନାଶକୁ ହାଜତରୁ ଜେଲ ବାହାରକୁ ଅଣାଯାଇଥିଲା। ଏହି ସମୟରେ ଅଯୋଧ୍ୟାସ୍ଥିତ ରିଜର୍ଭ ପୋଲିସ ଲାଇନରେ ତାକୁ ମାରାଥନ ପଚରାଉଚରା କରାଯାଇଥିଲା। ଏହି ପଚରା ଉଚରାରେ ସେ ଚୋରି ପଇସାର ଏକ ବଡ଼ ଅଂଶ ପରିବାର ଓ ସାଙ୍ଗସାଥୀଙ୍କ ମଧ୍ୟରେ ବାଣ୍ଟିଥିବାର କହିଛି। ଏହା ଛଡା ସେ କିଛି ବ୍ୟକ୍ତିଗତ କ୍ରୟ ମଧ୍ୟ କରିଛି।

ପଚରାଉଚରାରେ ତଦନ୍ତକାରୀ ଜାଣିବାକୁ ପାଇଛନ୍ତି ଯେ ଅବିନାଶ ତାର ଜଣେ ଭାଇର ବିବାହ ଉତ୍ସବରେ ପାଖାପାଖି ୬ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଅନ୍ୟ ଜଣେ ଭାଇକୁ ୫ଲକ୍ଷ ଟଙ୍କା ଦେଇଛି। ପୋଲିସ ଏହା ବି ଜାଣିବାକୁ ପାଇଛି ଯେ ଅବିନାଶ ୩୫ଲକ୍ଷ ଟଙ୍କାରେ ଏକ କାର କିଣିଥିଲା। ଏହାକୁ ପୋଲିସ ଜବତ କରିଛି। ସୂତ୍ର ଅନୁସାରେ ଅବିନାଶ ତାର ଜଣେ ବନ୍ଧୁଙ୍କୁ ୨୫ଲକ୍ଷ ଟଙ୍କା ଦେଇଛି। ଏହାଛଡା ତାଙ୍କୁ ଏକ ମହଙ୍ଗା ମୋବାଇଲ ଫୋନ ମଧ୍ୟ ଉପହାରରେ ଦେଇଛି। ଏହା ଛଡା ସେ କିଛି ଲୋକଙ୍କୁ ମଧ୍ୟ ଟଙ୍କା ଦେଇଛି।

ପୋଲିସ ଅବିନାଶର ଦୁଇ ଭାଇଙ୍କୁ ପଚରା ଉଚରା କରିଛି ଓ ଯାଞ୍ଚ ସମ୍ପର୍କିତ କିଛି କାଗଜପତ୍ର ଜବତ କରିଛି। ଅଧିକାରୀ ୨୦୨୪ରେ ଅବିନାଶର ଭାଇ ଅଭିଷେକ ଶୁକ୍ଳା ନାମରେ କ୍ରୟ କରାଯାଇଥିବା ଏକ ଜମିର ଯାଞ୍ଚ କରୁଛନ୍ତି ଓ ସେହି ବ୍ୟାଙ୍କ ଆକାଉଣ୍ଟ ଗୁଡିକର ଯାଞ୍ଚ ହେଉଛି ଯେଉଁଥିରୁ ବିପୁଳ ଧନରାଶି ଟ୍ରାନ୍ସଫର ହୋଇଛି। ବିଭିନ୍ନ ବ୍ୟକ୍ତିଙ୍କୁ ସେ ଦେଇଥିବା ଅର୍ଥ ଆଦାୟ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଛି। ଅବିନାଶ ଶୁକ୍ଳା ନିକଟରୁ ମୋଟ ୨୦ଲକ୍ଷ ୩୯ ହଜାର ନଗଦ, ୧,୧୨୧ ଆମେରିକା ଡଲାର, ସ୍ୱର୍ଣ୍ଣ ଆଭୂଷଣ, ରୂପା ଆଭୂଷଣ, ଅନ୍ୟ ମୂଲ୍ୟବାନ ସାମଗ୍ରୀ ସହିତ ଏକ ଏସୟୁଭି ମଧ୍ୟ ଜବତ ହୋଇଛି।