ମୁମ୍ବାଇ: ବହୁଚର୍ଚ୍ଚିତ ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼। ୨୦୨୦ ମସିହାରେ ଘଟିଥିବା ଏହି ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟ ବୁଧବାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଦିଶାଙ୍କ ବାପା ସତୀଶ ସାଲିଆନଙ୍କ ପିଟିସନକୁ ଭିତ୍ତି କରି କୋର୍ଟ ଏହି ମାମଲାରେ ସିବିଆଇକୁ ଏଫଆଇଆର (FIR) ରୁଜୁ କରିବା ସହ ତୁରନ୍ତ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ କହିଛନ୍ତି।

ଜଷ୍ଟିସ ସାରଙ୍ଗ କୋତୱାଲ ଏବଂ ଜଷ୍ଟିସ ରଣଜିତସିଂହ ରାଜା ଭୋଂସଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ସୁପରିଚାଳନା ପାଇଁ ଜଣେ ବରିଷ୍ଠ ତଥା ଅଭିଜ୍ଞ ଅଫିସରଙ୍କୁ ତଦନ୍ତ ଭାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଦିଶାଙ୍କ ମୃତ୍ୟୁ ସହ ଜଡ଼ିତ ପ୍ରତ୍ୟେକଟି ଦିଗକୁ ଗଭୀରତାର ସହ ଯାଞ୍ଚ କରିବାକୁ ସିବିଆଇକୁ କୁହାଯାଇଛି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଦିଶାଙ୍କ ବାପା ଆଶ୍ୱସ୍ତି ପ୍ରକାଶ କରିବା ସହ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି।

Also Read: ମହୁଆ ମୋଇତ୍ରଙ୍କ ଉପରକୁ ଅଣ୍ଡା ମାଡ଼ ମାମଲା: ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କଲେ ହାଇକୋର୍ଟ

ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯେ ପର୍ଯ୍ୟନ୍ତ କୌଣସି ପକ୍ଷପାତହୀନ ପ୍ରମାଣ ସାମ୍ନାକୁ ନଆସିଛି, ସେ ପର୍ଯ୍ୟନ୍ତ କାହାକୁ ବି ସିଧାସଳଖ ଅଭିଯୁକ୍ତ ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଯଦି ତଦନ୍ତରୁ କୌଣସି ଅପରାଧିକ ମାମଲା ପ୍ରମାଣିତ ନହୁଏ, ତେବେ ଆବେଦନକାରୀ ଆଗକୁ ଆପିଲ୍ କରିପାରିବେ।

ଘଟଣା କଣ ?

୨୦୨୦ ଜୁନ୍ ୮ ତାରିଖରେ ମୁମ୍ବାଇ ମଲାଡ଼ ଅଞ୍ଚଳସ୍ଥିତ ଏକ ବହୁତଳ ଆପାର୍ଟମେଣ୍ଟର ୧୪ ମହଲାରୁ ଖସିପଡ଼ି ଦିଶା ସାଲିଆନଙ୍କ ମୃତ୍ୟୁ ଘଟିଥିଲା। ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଭାବେ ସେ କାର୍ଯ୍ୟ କରୁଥିଲେ। ମୁମ୍ବାଇ ପୋଲିସ ପ୍ରଥମେ ଏହାକୁ ଏକ ଅପମୃତ୍ୟୁ ଭାବେ ଦର୍ଶାଇ ପରବର୍ତ୍ତୀ ସମୟରେ ଆତ୍ମହତ୍ୟା ବୋଲି ରିପୋର୍ଟ ଦେଇଥିଲା।

Also Read: ପେପର ଲିକ୍ ବିରୋଧୀ ଯୁବ ଆନ୍ଦୋଳନକାରୀଙ୍କୁ ବଡ଼ ଆଶ୍ୱସ୍ତି: ସମସ୍ତ ଏଫ୍ଆଇଆର୍ ଖାରଜ କଲେ ସୁପ୍ରିମକୋର୍ଟ

ତେବେ ପୋଲିସ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରି ଦିଶାଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି ଏବଂ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ରାଜନୈତିକ ଚାପରେ ଘଟଣାକୁ ରଫାଦଫା କରାଯାଇଛି ବୋଲି ସେ ଅଭିଯୋଗ ଆଣିଥିଲେ।

ଏହି ମାମଲାରେ ସିବିଆଇ ତଦନ୍ତ ସହ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ସେ ଆବେଦନରେ ଦାବି କରିଥିଲେ। ବର୍ତ୍ତମାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ତଦନ୍ତରୁ ହିଁ ସ୍ପଷ୍ଟ ହେବ ଯେ ୨୦୨୦ ଜୁନ୍ ୮ ରାତିରେ ପ୍ରକୃତରେ ଦିଶାଙ୍କ ସହ କ’ଣ ଘଟିଥିଲା।